Unknown

 

 

 

 

 

 

 

 

 

 

 

ଯାଦୁଘର

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

 

ଆଭାସ

 

ଭେଲାରେ......ଭେଲାରେ......ଭେଲା...... ।

ଭାନୁମତୀ ଖେଳ, ‘‘ହଟ ଚମଟ ଖେଳ’’, କହି ଢୋଲକଟିକୁ ଜୋରରେ ଟିପିଦେଲା ଯାଦୁକର ।

ରାସ୍ତା ଉପରେ ଜମିଥିବା ଲୋକେ ଜୋରରେ ତାଳି ବଜାଇ ଯାଦୁକରକୁ ଉତ୍ସାହିତ କରିବାକୁ ଲାଗିଲେ । ଯାଦୁକର ଗୋଟାଏ ସେକେଣ୍ଡ ମଧ୍ୟରେ ବାକ୍‌ସ ଭିତରେ ପଶିଥିବା ଲୋକଟିକୁ ଉଭାନ କରିଦେଲା । ଜନତା ଏକ ସ୍ୱରରେ କହି ଉଠିଲେ ସାବାସ୍‌, ସାବାସ୍‌ ।

କରତାଳି ଧ୍ୱନୀରେ ଚାରିଆଡ଼ ପ୍ରତିଧ୍ୱନିତ ହୋଇ ଉଠିଲା । ସମସ୍ତଙ୍କ ମୁହଁରେ ଯାଦୁକରର ଭୁରିଭୁରି ପ୍ରଶଂସା । ଉଭାନ ହୋଇଥିବା ଲୋକଟିକୁ ପୁଣି ଫେରେଇ ଆଣିବାକୁ ଦର୍ଶକମାନେ ଯାଦୁକରକୁ ଅନୁରୋଧ କଲେ ।

ଯାଦୁକର ହସ ହସ ମୁହଁରେ କହିଲା, ‘‘ଯୋରସେ ତାଳି ବଜାଅ ।’’

ସମସ୍ତେ ଏକ ସାଙ୍ଗରେ ଜୋରରେ ତାଳି ବଜାଇବାରେ ଲାଗିଲେ ।

ଯାଦୁକର ପୁଣି ଯା-ଲାଗିଯା, ‘‘ଭାନୁମତି ଖେଳ, ହଟ ଚମଟ ଖେଳ’’ କହି ହାତରେ ଧରିଥିବା ହାଡ଼ଟିକୁ ବନ୍ଦଥିବା ବାକ୍‌ସର ଚାରିପଟ ବୁଲାଇ ବାକ୍‌ସଟିକୁ ଖୋଲିଦେଲା । ଦର୍ଶକମାନେ ପୁଣି ସେଇ ଲୋକଟିକୁ ବାକ୍‌ସ ଭିତରୁ ବାହାରିବାର ଦେଖି ବିସ୍ମିତ ହେଇଉଠିଲେ । ସମସ୍ତଙ୍କ ଭହଁରେ ଶୁଣାଗଲା ସାବାସ୍‌ ଯାଦୁକର ।

ଖେଳଶେଷ ହେଲା । ଦର୍ଶକମାନେ ଯେ ଯାହାର ବକ୍‌ସିସ ଦେଇ ନିଜ ନିଜ ବାଟରେ ଚାଲିଲେ । ଯାଦୁକର ନିଜର ଖେଳ ସରଞ୍ଜାମ ଧରି ରେଲଷ୍ଟେସନ ଅଭିମୁଖରେ ଯାତ୍ରାକଲା ।

ବ୍ରହ୍ମପୁର ରେଲଷ୍ଟେସନ ନିକଟରେ ଛତ୍ରଶାଳା । ଯାଦୁକର କିଛିଦୂର ଯିବାପର ପଛକୁ ଫେରି ଚାହିଁଲା ତା’ ପଛେ ପଛେ ଗୋଟିଏ ବୁଢ଼ା ଭିକାରୀ ତାନପୁରା ଖଣ୍ଡିଏ ଧରି ଷ୍ଟେସନ ଆଡ଼ିକି ଆସୁଚି । ଯାଦୁକର ତାର କର୍ତ୍ତବ୍ୟ କଥା ମନେପକାଇ ଠିଆହୋଇ ଗଲା । ବୁଢ଼ା ଭିକାରୀ ନିକଟକୁ ଆସିବା ଦେଖି ଦୂରର ଯାଦୁକର ଅଭିବାଦନ ଜଣାଇଲା । ବୁଢ଼ା, ଯାଦୁକରର ପାଖକୁ ଆସି ହସି ହସି କହିଲା, ‘‘ଚାଲ ବାପା, ନିରୋଳା ଯାଗା ଦେଖି କଥା ଭାଷା ହେବା ।’’ ଯାଦୁକର ଆଉ ଅପେକ୍ଷା ନ କରି ଆଗେଇ ଚାଲିଲା ଷ୍ଟେସନ୍‌ଠାରୁ ଟିକିଏ ଦୂରରେ ଥିବା ଗୋଟିଏ ଆମ୍ବଗଛ ମୂଳକୁ-। ଭିକାରୀ ବୁଢ଼ା ମଧ୍ୟ ଧୀରେ ଧୀରେ ଚାଲି ସେଇଠି ପହୁଞ୍ଚିଲା ।

ନିଛାଟିଆ ଯାଗା । ଲୋକଙ୍କର ସେ ବାଟଦେଇ ଯା ଆସ ନାହିଁ । ଦୁହେଁ ପାଖାପାଖି ବସିଲେ । ବୁଢ଼ା ପଚାରିଲା ‘‘ବାପା କମଳ ! କଣ କର୍ତ୍ତବ୍ୟ ଶେଷ କରିଛ ?

ନା ସାର୍‌ ! କହିଲା କମଳ ବଡ଼ କମ୍ପିତ କଣ୍ଠରେ ।

-ତେବେ ?

-ଚେଷ୍ଟା କରୁଚି ସାର୍‌ ।

ଚେଷ୍ଟା ! କି ଚେଷ୍ଟା କରୁଚ ତମେ ଚାରିଦିନ ଧରି ? ସମୟର ମୂଲ୍ୟ ବୁଝିପାରୁ ନାହିଁ କମଳ, ଗୋଟାଏ ମିନିଟ ବ୍ୟବଧାନରେ ତମପାଇଁ କେତେଗୁଡ଼ିଏ ପ୍ରାଣୀଙ୍କର ସର୍ବନାଶ ଘଟୁଚି ତା’ ବୋଧେ ତମେ ଜାଣନା । ଓଡ଼ିଶାର ବିଖ୍ୟାତ ଗୁଇନ୍ଦା ପଙ୍କଜ ଦାସ ଯେ ଏଠି ଆସି ପହୁଞ୍ଚିଛି, ତା ବୋଧେ ତମକୁ ଜଣାନାହିଁ । ତମର ଏ ଭାନୁମତୀ ଖେଳରେ ଯେ ଆମର କାଳ ପୂରିବ ଏକଥା ତୁମେ କଳ୍ପନା ବି କରି ପାରୁନ ।

 

ବୃଦ୍ଧଙ୍କ କଥାରେ ମୁହଁ ତଳକୁ ପୋତି ନୀରବ ହୋଇ ବସିରହିଲା କମଳ ।

 

ଛାଡ଼, ଯା ହେବାର ହୋଇଛି । ଆଜି ଦିନକ ଭିତରେ କାମ ଶେଷକରି ବ୍ରହ୍ମପୁର ଛାଡ଼ିବ-। ତମକୁ ସାହାଯ୍ୟ କରିବା ପାଇଁ ମୁଁ ଏଠିକି ଆସିଛି । ତମକୁ ଦିଆ ଯାଇଥିବା ଅଙ୍କିତ ନକ୍‌ସା ସାବଧାନରେ ରଖିଛ ତ ?

 

-ରଖିଛି ସାର୍‌ ! ଥରିଥରି କହିଲା କମଳ ।

 

-ସାବଧାନ । ଖୁବ୍‌ ସତର୍କତା ଅବଲମ୍ବନ କରିବ । ପଙ୍କଜ ବାବୁର ଆଖି ଚାରିଆଡ଼େ ଘୂରି ବୁଲୁଚି ।

 

ଆଜି ରାତି ଦଶଟା ବେଳେ ଠିକଣା ଯାଗାରେ ଦେଖା କରିବ । ସଂଘର ବୈଠକ ବାରଟା ବେଳେ ।

 

ସମ୍ମତି ଜଣାଇଲା କମଳ । ବୃଦ୍ଧ ଆଉ ଡେରି ନ କରି ପୁଣି ନିଜ ରାସ୍ତାଧରି ଚାଲିଲା ।

 

ଏକ

 

ଆସନ୍ନ ସଂଧ୍ୟା...ପାମବିଚ୍‌ ହୋଟେଲର ପ୍ରଶସ୍ତ ବାରଣ୍ଡା ଉପରେ ଗୋଟିଏ କୁସନଦିଆ ଚେୟାର ଉପରେ ବସି ଓଡ଼ିଶାର ଖ୍ୟାତନାମା ଗୁଇନ୍ଦା ପଙ୍କଜ ଦାସ ଚିନ୍ତା କରୁଥିଲେ ସେଇ ଦୁର୍ଦ୍ଧର୍ଷ ଡକାୟତ ଦଳର ବ୍ୟୂହ ଭେଦର ଉପାୟ । ବଙ୍ଗୋପସାଗରର କାଲୁଆ ପବନ ସାଙ୍ଗରେ ଭାସି ଆସୁଥିଲା ବେତାର ଯନ୍ତ୍ରର ମର୍ମସ୍ପର୍ଶୀ ସଂଗୀତର ମଧୁମୟ ମୂର୍ଚ୍ଛନା । ହଠାତ୍‌ ହୋଟେଲର ଅଫିସ ରୁମ୍‌ ଭିତରୁ କଲିଙ୍ଗ୍‌ ବେଲଟା ବାଜିଉଠିଲା ଜୋରରେ...କ୍ରିଂ....କ୍ରିଂ.....କ୍ରିଂ....

 

ପଙ୍କଜ ବାବୁ ନିଜକୁ ଭାବନା ରାଜ୍ୟରୁ ଫେରେଇ ଆଣି ହାତ ଘଡ଼ିକି ଚାହିଁ ଦେଖିଲେ ସାଢ଼େ ଛଅ..... । ବ୍ରହ୍ମପୁର ଫେରିବାକୁ ହେବ ସାତଟା ପୂର୍ବରୁ......ମନ ଚଞ୍ଚଳ ହୋଇ ଉଠିଲା ।

 

ବ୍ୟସ୍ତତା ଭିତରେ ପଛକୁ ଚାହିଁ ଦେଖିଲେ ତାଙ୍କ ସହକାରୀ ପ୍ରଫୁଲ୍ଲ ବାବୁଙ୍କୁ...ମୁହଁରେ ଚାପା ହସ ହସି କହି ଉଠିଲେ–

 

‘‘ଆରେ, ପ୍ରଫୁଲ୍ଲ ? ତମେ କେତେବେଳୁ ?

 

‘‘ଦୀର୍ଘ ଦେଢ଼ଘଣ୍ଟା ହେଲାଣି ସାର ବଡ଼ ନମ୍ର ଗଳାରେ କହିଲେ ପ୍ରଫୁଲ୍ଲ ।’’

 

Sorry, I am, ମୋର ତମ ଆଡ଼ିକି ଆଦୌ ଲକ୍ଷ୍ୟ ନାହିଁ ପ୍ରଫୁଲ୍ଲ...ଭାବନାର ସୁଅ ମୋତେ ଏତେ ଦୂରକୁ ଟାଣି ନେଇ ଯାଇଥିଲା ଯେ ମୁଁ କୂଳ କିନାରା ନ ପାଇ ଭାସି ଭାସି ଚାଲିଥିଲି ଲକ୍ଷ୍ୟହୀନ ଭାବରେ...ଦୀର୍ଘ ଦେଢ଼ ଘଣ୍ଟା ଏଠି ଅପେକ୍ଷା କରିବା ଭିତରେ କିଛି ଲକ୍ଷ୍ୟ କରି ପାରିଚ-? ବଡ଼ ଭାବପ୍ରବଣ ହୋଇ ପଚାରିଲେ ପଙ୍କଜ ବାବୁ....

 

Yes sir, ମୁଁ ଅନୁଭବ କରିଚି ଯେପରି ଆପଣ ଗୋଟାଏ କୌଣସି ଲକ୍ଷ୍ୟସ୍ଥଳରେ ପହୁଞ୍ଚିବା ପାଇଁ ବ୍ୟାକୁଳ ଥିଲେ ।

 

ଏକ୍‌ଯାକ୍‌ଟିଲ...ମଣିଷ ମନ ଚିହ୍ନିବାର ଅଦ୍ଭୁତ ଶକ୍ତି ତମ ପାଖରେ ଅଛି ପ୍ରଫୁଲ୍ଲ । ମୋର ବିଶ୍ୱାସ ତମ ଜୀବନରେ ତମେ ବହୁତ ଉନ୍ନତି କରି ପାରିବ-ବୁଝିଲ ପ୍ରଫୁଲ୍ଲ, ଜୀବନରେ ୪୫ ବର୍ଷ ଭିତରେ ମୋର ଏ ଯେଉଁ ଶୋଚନୀୟ ପରାଜୟ ତା’ ମୋତେ ଯେତିକି ବାଧିନି ତ’ଠୁଁ ବେଶି ବାଧିଚି ମୋର ବନ୍ଧୁ ମାନଙ୍କୁ-ମୋର ସହକର୍ମୀ ମାନଙ୍କୁ ।

 

ହଁ, ସାର, ଆପଣଙ୍କର ଏ ପରାଜୟ ନୁହେ, ପରାଜୟ ସମସ୍ତ ଗୁଇନ୍ଦାମାନଙ୍କର... ପରାଜୟ ସମଗ୍ର ପୋଲିସ ବାହିନୀର... । ଆମମାନଙ୍କ ଅପାରଗତା ଫଳରେ ଆଜି ସମଗ୍ର ଓଡ଼ିଶାରେ ଗୋଟାଏ ଆତଙ୍କର ଛାୟା ଘୋଟି ଯାଇଛି । ଜନ ସାଧାରଣଙ୍କର ଆମ ମାନଙ୍କ ଉପରୁ ଆସ୍ରା ତୁଟି ଯାଇଚି... । ପତ୍ରପତ୍ରିକା ମାନଙ୍କରେ ଯେପରି ଲେଖା ସବୁ ପ୍ରକାଶ ପାଉଚି ସେଥିରୁ ମୋର କାହିଁକି ଧାରଣା ହେଉଚି ଜନ ସାଧାରଣଙ୍କ ଚକ୍ଷୁରେ ଆମେ ସବୁ ଘୃଣ୍ୟ ହୋଇ ଉଠିଛେ...ସେମାନେ ଯେପରି ଅନୁଭବ କରୁଚନ୍ତି ଆମେମାନେ ଦସ୍ୟୁ ଦଳଙ୍କ ସହିତ ସଂପୃକ୍ତ ।

 

ଅବିଶ୍ୱାସ କରୁନି ତମ କଥାକୁ ମୁଁ ମଧ୍ୟ ଠିକ୍‌ ସେଇଆ ଅନୁଭବ କରିଚି...ବାସ୍ତବିକ୍‌ କହିବାକୁ ଗଲେ ଦୂରଦୃଷ୍ଟିର ଅଭାବ ଆମ ମାନଙ୍କର ବଡ଼ ବ୍ୟସ୍ତ କଣ୍ଠରେ କହିଲେ ପଙ୍କଜ ବାବୁ...-।’’

 

ବର୍ତ୍ତମାନ କଣ କରିବାକୁ ହେବ ସାର.... ? ପ୍ରଫୁଲ୍ଲଙ୍କ କଣ୍ଠରେ ଭରି ରହିଥିଲା ବିଷାଦ-

 

ପଙ୍କଜ ବାବୁ, ପ୍ରଫୁଲ୍ଲଙ୍କ ମନର ଭାବ ବୁଝି ପାରି ଗୋଟାଏ ଉତ୍କଟ ହସ ହସି ଉଠିଲେ–ହସ ଭିତରେ ଭରି ରହିଛି ଅସୀମ ଆନନ୍ଦ....

 

ପଙ୍କଜ ବାବୁଙ୍କର ମୁହୂର୍ତ୍ତକ ଭିତରେ ଏ ପ୍ରକାର ଅଦ୍ଭୁତ ପରିବର୍ତ୍ତନ ଯୁବକ ପ୍ରଫୁଲ୍ଲଙ୍କୁ ବିସ୍ମିତ କରି ଦେଇଥିଲା...ସେ ଅବାକ୍‌ ହୋଇ ଚାହିଁ ରହିଲେ ତାଙ୍କର ଉଜ୍ଜ୍ୱଳମୟ ଆଖି ଦୁଇଟିକୁ ।

 

ପଙ୍କଜ ବାବୁଙ୍କର ହସର ସ୍ରୋତ କ୍ରମଶଃ ବଙ୍ଗୋପସାଗର ଉପର ଦେଇ ଭାସି ଆସୁଥିବା କାଲୁଆ ପବନ ସାଙ୍ଗରେ ଭାସି ଯାଇଥିଲା ଦୂର ଦୂରାନ୍ତକୁ ।

 

ପ୍ରଫୁଲ୍ଲଙ୍କର ଅଭିନୟ ଭାବ ବୁଝିପାରି ମୁହଁରେ ଚାପା ହସ ହସି ପଙ୍କଜ ବାବୁ କହି ଉଠିଲେ, ‘‘ବୁଝିଲ ପ୍ରଫୁଲ୍ଲ ! ପୃଥିବୀ ବକ୍ଷରେ ଯେତେବଳେ କରାଳ ବନ୍ୟାର ଆବିର୍ଭାବ ହୁଏ...ମହା ମହୀରୁହଠାରୁ ଆରମ୍ଭ କରି କ୍ଷୁଦ୍ର ପିପିଲିକା ପର୍ଯ୍ୟନ୍ତ କେହି ଜଣେ ହେଲେ ବି ଅବ୍ୟାହତି ପାଆନ୍ତିନି-। ସର୍ବଗ୍ରାସୀ କରାଳ ବନ୍ୟା ମୁଖରେ ସମସ୍ତେ ସଲୀଳସମାଧି ଭଜନ୍ତି......ସେଠାରେ ଦୋଷୀ ନିର୍ଦ୍ଦୋଷର ପାର୍ଥକ୍ୟ ରହେନା ।

 

ଦୁନିଆଁର ରଙ୍ଗମଞ୍ଚରେ ବିଭିନ୍ନ ପ୍ରକାର ଅଭିନୟ କରିବାକୁ ପଡ଼େ । ଏଥିପାଇଁ ଧୈର୍ଯ୍ୟ ଓ ସାହସ ଦରକାର... । ମଣିଷ ଜୀବନରେ ଠୋକର ନ ବାଜିଲେ ଠିକିବା ଅସମ୍ଭବ । ଦସ୍ୟୁ ଆମମାନଙ୍କୁ ଠୋକର ଦେଇ ଚାଲି ଯାଇଛି । ଆମେ ଠିକିଚେ...ୟା ଫଳରେ ଆମେ ଅନେକ କିଛି ଶିକ୍ଷା ପାଇଚେ... । ମୋର ବିଶ୍ୱାସ ଆମେ ଏଥର ପ୍ରବଳ ଅଗ୍ନିଶିଖା ଭିତରେ ନିର୍ବିଘ୍ନରେ ଯାତ୍ରା କରି ପାରିବା... । ଏଥର ଆମର ଅଭିଯାନର ଫଳ ବିଜୟ ଛଡ଼ା ଅନ୍ୟ କିଛି ନୁହେ । ଆସ, ସାତଟା ବାଜିବାକୁ ଆଉ ପନ୍ଦର ମିନିଟ ବାକୀ ।

 

ଯୁବକ ପ୍ରଫୁଲ୍ଲଙ୍କ ମୁହଁରେ ହସର ରେଖା ଫୁଟି ଉଠିଲା... ତାଙ୍କର ଘୁମ ଭାଙ୍ଗିଛି...ସେ ଆଜି ନୂତନ ପଥର ଯାତ୍ରୀ...ଯୁବକ ପ୍ରାଣର ତଟକା ରକ୍ତ ବିଦ୍ୟୁତ୍‌ପରି ଖେଳି ଯାଇଛି ପଙ୍କଜ ବାବୁଙ୍କ ପ୍ରେରଣାରେ... । ଆଉ ମୁହୂର୍ତ୍ତେ ମାତ୍ର ଡେରି ନକରି ସତେଜ କଣ୍ଠରେ କହି ଉଠିଲେ, ଚାଲନ୍ତୁ ସାର....

 

ପଙ୍କଜ ବାବୁ ଆଉ ବିଳମ୍ବ ନକରି ଘରର କାନ୍ଥ ସହିତ ସଂଲଗ୍ନଥିବା କଲିଙ୍ଗ୍‌ ବେଲ୍‌ଟିକୁ ଟିପିଦେଲେ...ବେଲ୍‌ଟି...କ୍ରିଂ... କ୍ରିଂ... କ୍ରିଂ ଶବ୍ଦ କରି ଉଠିଲା ।

 

ଗୋଟାଏ ମିନିଟ୍‌ ଭିତରେ ହୋଟେଲର ଅଫିସ ରୁମ୍‌ ଭିତରୁ ପ୍ରବେଶ କଲା ଜଣେ ଶୁଭ୍ର ପରିଚ୍ଛଦଧାରୀ ଯୁବକ...ହାତରେ ଗୋଟିଏ ଚାଇନିଜ୍‌ ପ୍ଲେଟ୍‌ ଭିତରେ ଖଣ୍ଡିଏ ବିଲ୍‌ କାଗଜ...ଯୁବକଟି ଅତି ସମ୍ମାନ ସହକାରେ ଆଣି ପ୍ଲେଟ୍‌ଟିକୁ ସାମନା ଟେବୁଲ ଉପରେ ରଖିଦେଲା...। ପଙ୍କଜ ବାବୁ ବିଲ୍‌ଟିକୁ ଦେଖିନେଇ ମନିପର୍ଶରୁ ଖଣ୍ଡିଏ ପାଞ୍ଚଟଙ୍କିଆ ନୋଟ ଓ ଆଉ ଗୋଟିଏ ଅଧୁଲି ବାହାର କରି ପ୍ଲେଟ ଭିତରେ ରଖିଦେଲେ । ଶୁଭ୍ର ପରିଚ୍ଛଦଧାରୀ ଯୁବକଟି ସାଇବେନୀ କାଇଦାରେ ସଲାମ ଠୁଙ୍କି ପ୍ଲେଟଟି ନେଇ ପ୍ରସ୍ଥାନ କଲା ।

 

ଚନ୍ଦ୍ରାଲୋକ କ୍ରମଶଃ ଅସ୍ପଷ୍ଟ ବିଂଚିହୋଇ ପଡ଼ି ଆସୁଥିଲା ବଙ୍ଗୋପସାଗରର ନୀଳ ବିଚିମାଳା ଉପରେ...ବିଦ୍ୟୁତାଲୋକରେ ଉଦ୍‌ଭାଷିତ ହୋଇ ଉଠୁଥିଲା । ଗୋପାଳ ପୁରର ସମଗ୍ର ସହରଟି... ଲାଇଟ୍‌ ହାଉସର ଆଲୋକ ଦୂରରୁ ସଙ୍କେତ ଦେଉଥିଲା ଭାସମାନ ସେତୁ ସମୂହକୁ....

 

ପଙ୍କଜ ବାବୁ ପ୍ରଫୁଲ୍ଲ ବାବୁଙ୍କୁ ସାଙ୍ଗରେ ଧରି ଗେଟ୍‌ ଫାଟକ ପାଖରେ ପହୁଞ୍ଚିଲେ...ମଟର ସାଇକେଲଟି ସତୃଷ୍ଣ ନୟନରେ ଅନାଇ ରହିଥିଲା ତାର ପ୍ରଭୁଙ୍କ ଆଗମନକୁ । ସାଙ୍ଗେ ସାଙ୍ଗେ ଦରଓ୍ୟାନ ଗେଟ୍‌ ଫାଟକ ଖୋଲିଦେଲା... । ପଙ୍କଜ ବାବୁ ପ୍ରଫୁଲ୍ଲବାବୁଙ୍କୁ ପଛ ସିଟ୍‌ରେ ବସାଇ ମଟର ସାଇକେଲରେ ଷ୍ଟାଟ୍‌ ଦେଲେ । ଆଜ୍ଞାବାହୀ ଭୃତ୍ୟପରି ମଟର ସାଇକେଲଟି ଗର୍ଜିଉଠି ଦୁରନ୍ତ ବେଗରେ ଛୁଟି ଚାଲିଲା ବ୍ରହ୍ମପୁର ଗୋପାଳପୁର ପିଚ୍‌ରାସ୍ତା ଉପରେ... ।

 

ଦୁଇ

 

ରାତି ଦୁଇଟା...ବିଖ୍ୟାତ ଗୁଇନ୍ଦା ପଙ୍କଜ ବାବୁ ଗୁଇନ୍ଦା ବିଭାଗୀୟ ଅଫିସରୁ ଫେରି ଖିଆପିଆ ଶେଷକରି ନିଜ କୋଠରିଟିରେ ଶୋଇ ଦିନସାରା ଅକ୍ଳାନ୍ତ ପରିଶ୍ରମର କ୍ଳାନ୍ତି ଦୂର କରୁଥିଲେ....ହଠାତ୍‌ କୋଠରୀର ପଛପଟ କାଚ ଝରକାରେ କାହାର କରାଘାତ ଶୁଣାଗଲା....

 

ପଙ୍କଜବାବୁ ଚମକିପଡ଼ି ଉଠିବସି ଫେରି ଚାହିଁଲେ ସେଇ ଦିଗକୁ... । ଆଉ କୌଣସି ଶବ୍ଦ ନାହିଁ ...ପୁଣି ମୁହଁଫେରାଇ ଆରାମରେ ଶୋଇ ରହିଲେ ବିଛଣା ଉପରେ ।

 

ଦୁଇ ମିନିଟ୍‌ ଯାଇଚି କି ନା ପୁଣି ଶବ୍ଦ.....ପଙ୍କଜବାବୁଙ୍କର ସନ୍ଦେହୀ ମନ ସଂଦେହ ଦୋଳିରେ ଦୋଳାୟମାନ ହେବାକୁ ଲାଗିଲା.....ଆଖି ଫେରେଇଲେ ଆଉଥରେ ସେଇ ଦିଗକୁ ।

 

ଆଶ୍ଚର୍ଯ୍ୟ...ରାସ୍ତାର ଅସ୍ପଷ୍ଟ ବିଦ୍ୟୁତାଲୋକରେ କାଚ ଝରକା ବାଟେ ଦେଖିପାରିଲେ ଗୋଟିଏ ବିରାଟ ଛାୟାମୂର୍ତ୍ତି ତାଙ୍କରି ଆଡ଼କୁ ଲକ୍ଷ୍ୟକରି ଠିଆହୋଇ ହସୁଚି...ଓଃ କି ବିଭତ୍ସ ସେ ମୂର୍ତ୍ତି । ପଙ୍କଜବାବୁଙ୍କ ଆଖି ବନ୍ଦ ହୋଇଗଲା ସେ କରାଳ ଦୃଶ୍ୟରେ... । ଭୟ ଓ ଆସନ୍ନ ବିପଦର ଆଶଙ୍କାରେ ଶରୀର ତାଙ୍କର ଥରି ଉଠିଲା...ମନ ଭିତରେ ଅସଂଖ୍ୟ ଭାବନାର ଢେଉ ଖେଳିଗଲା ମୁହୂର୍ତ୍ତକ ଭିତରେ...ସେ ସଂଜ୍ଞାହୀନ ହୋଇ ପଡ଼ିଲା ପରି ଅନୁଭବ କଲେ...

 

ନିସ୍ତବ୍‌ଧ ଘନ ଅଂଧକାର ରାତ୍ରୀ...ରାତ୍ରୀର ନିସ୍ତବ୍‌ଧତା ଭିତରେ ଶୁଭୁଛି ନିଶାର ସାଇଁ ସାଇଁ ଶବ୍ଦ...ହିଲ୍‌ପାଟଣାରୁ ଷ୍ଟେସନକୁ ଯାଇଥିବା ରାସ୍ତାଟି ନିର୍ଜନ ହୋଇ ଉଠିଛି । ନିର୍ଜନ କଠୋରୀ ଭିତରେ ଏକାକୀ ପଙ୍କଜବାବୁ...ଆଉ...କିଏ ବା ତାଙ୍କର ଆର୍ତ୍ତନିବେଦନ ଶୁଣିବ ? ମନ ଭିତରେ ଦମ୍ଭଧରି ନିଜର ପିସ୍ତଲଟିକୁ ଭଲକରି ଥରେ ପରୀକ୍ଷା କରିନେଲେ... ।

 

ଠିକ୍‌ ଅଛି...ଏଥର ଆଉ କେହି ମୋର ପ୍ରତିବଂଧକ ହୋଇ ପାରିବେନି... । ମନେ ମନେ ଭାବି, ଧୀରେ କାଚର ଝରକାଟିକୁ ଅଳ୍ପ ଖୋଲି ପିସ୍ତଲଟିକୁ ଫୁଟାଇଦେଲେ ସେଇ ଛାୟାମୂର୍ତ୍ତି ଉପରକୁ ଲକ୍ଷ୍ୟକରି । ପିସ୍ତଲଟି ଗର୍ଜି ଉଠିଲା...

 

ଦୁର୍ଭାଗ୍ୟ, ଛାୟାମୂର୍ତ୍ତି ତା ପୂର୍ବରୁ ଉଭେଇ ଯାଇଥିଲା କୁହେଳିକା ସୃଷ୍ଟିକରି ।

 

ପଙ୍କଜ ବାବୁ ବିସ୍ମିତ ହୋଇ ଉଠିଲେ......ଗୁଳି ଶବ୍ଦରେ ନିକଟରେ ପହରା ହେଉଥିବା ସିପାହୀ ଦୁଇଜଣ ଘଟଣା ସ୍ଥଳକୁ ଦଉଡ଼ି ଆସିଲେ...ପଙ୍କଜ ବାବୁଙ୍କ ମନରେ ସାହସ ଆସିଲା.....ସେ କୋଠରୀର ରୁଦ୍ଧ ଦ୍ୱାର ଖୋଲି ବାହାରକୁ ଆସିଲେ... ।

 

ପଙ୍କଜ ବାବୁଙ୍କୁ ଘଟଣାସ୍ଥଳରେ ଦେଖି ସିପାହୀ ଦୁଇଜଣ ସାମରିକ କାଇଦାରେ ଅଭିବାଦନ ଜଣେଇ ଗୁଳି ଶବ୍ଦର କାରଣ ପଚାରି ବସିଲେ ।

 

ପଙ୍କଜ ବାବୁ ସେମାନଙ୍କର ସଂଦେହ ଭଂଜନ କରି ଘର ଚାରିପଟ ବଗିଚାକୁ ଥରେ ବୁଲି ଆସିବାକୁ ଆଦେଶ ଦେଲେ... ସିପାହୀ ଦୁଇଜଣ ଆଦେଶ ପ୍ରାପ୍ତି ମାତ୍ରେ ବଗିଚାର ଚତୁର୍ଦ୍ଦିଗ ନିରୀକ୍ଷଣ କରିବାକୁ ବାହାରି ପଡ଼ିଲେ ।

 

ପଙ୍କଜ ବାବୁ ସେହିପରି ଗୁଳିଭରା ରିଭଲଭର ହାତରେ ଠିଆ ହୋଇ ରହିଥାନ୍ତି... କିଛି ସମୟପରେ ସିପାହୀ ଦୁଇଜଣ କ୍ଷିପ୍ର ଗତିରେ ଦଉଡ଼ି ଆସି କହିଲେ...

 

‘‘ଶୀଘ୍ର ଆସନ୍ତୁ–ଗୋଟାଏ ଅଦ୍‌ଭୁତ ଜିନିଷର ସଂଧାନ ମିଳିଛି... ।’’

 

ପଙ୍କଜବାବୁ ଗୋଟାଏ ଝୁଙ୍କରେ ଦଉଡ଼ିଗଲେ ଘଟଣା ସ୍ଥଳକୁ... । ସିପାହୀ ଦୁଇଜଣ ଝାଉଁଗଛ ମୂଳେ ପଡ଼ିଥିବା ଜିନିଷଟିକୁ ଦେଖାଇ ଦେଲେ... ।

 

ଆଶ୍ଚର୍ଯ୍ୟ, ଅଂଧକାର ଭିତରେ ମଧ୍ୟ ସ୍ପଷ୍ଟ ଦେଖାଯାଇ ପାରୁଚି... । ପଙ୍କଜବାବୁ ବଡ଼ ଆଗ୍ରହସହକାରେ କାଚ ଖଣ୍ଡିକ ତଳୁ ଉଠାଇ ଆଣି ପାଠ କରିବାରେ ଲାଗିଲେ... । ସେଥିରେ ଲେଖାଅଛି–

 

ପ୍ରିୟ ଗୁଇନ୍ଦା ମହାଶୟ !

 

ଆପଣଙ୍କର ସମସ୍ତ ବୁଦ୍ଧି ବୃତ୍ତି ଆଜି ଆମମାନଙ୍କ ନିକଟରେ ହାର ମାନିଚି...ଆଉ ଆମ ପଛରେ ନ ଗୋଡ଼େଇ କଟକ ଫେରିଗଲେ ମଙ୍ଗଳ...। ଯଦି ଆମ ଅନୁରୋଧ ରକ୍ଷା ନକରି ଆମ ପଛରେ ଲାଗିବେ ତେବେ ଧନ, ଜୀବନ, ବିପଦାପର୍ଣ୍ଣ । ହଁ, ମନେ ରଖନ୍ତୁ... ଆହୁରି ବିପଦ ଘନେଇ ଆସୁଚି...ପ୍ରଳୟ ଝଡ଼ର ସୃଷ୍ଟି ହେବ...ସେଇ ଝଡ଼ ଭିତରେ ଝଡ଼ି ପଡ଼ିବେ ଗୋଟି ଗୋଟି ହୋଇ ଦେଶଦ୍ରୋହୀ, ଜାତି ଦ୍ରୋହୀ, ଶଇତାନ ଦଳ... । ଏ ସର୍ବହରା ସଇତାନ ଦଳର ଶକ୍ତି ନିକଟରେ ତାଙ୍କର ସମସ୍ତ ଶକ୍ତି ପରାଜୟ ସ୍ୱୀକାର କରିବ । ଜାଲ୍‌, ଜୁଆଚୋରୀ, ଠକାମୀ ଏ ଦେଶରୁ ଲୋପ ପାଇବ । ମନେ ରଖନ୍ତୁ, ଗୁଇନ୍ଦା ମହାଶୟ, ଏ ଦଳର ପ୍ରତିଷ୍ଠା ଏଇଥି ଲାଗି । ଆପଣଙ୍କଠାରୁ ଆହୁରି ବୁଦ୍ଧିଜୀବୀ ଲୋକ ଆମ ଦଳରେ ଅଛନ୍ତି ।–ଆମ୍ଭମାନଙ୍କର ଦୁର୍ଭେଦ୍ୟ ବ୍ୟୁହ ଭେଦ କରିବା ତୁମ ପକ୍ଷରେ ଅସମ୍ଭବ ।

 

ଏସବୁ କହିବା ସତ୍ତ୍ୱେ ଯଦି ଆମ ଚଲାବାଟରେ ବାଧାଦିଅ... ତେବେ ଆମେ ତୁମର ସର୍ବନାଶ କରିବାକୁ ଟିକିଏ ହେଲେ ପଛେଇବୁ ନି...

 

ଶେଷରେ ତମ ଗୁଇନ୍ଦାବୁଦ୍ଧିର ତୀକ୍ଷ୍‌ଣବୁଦ୍ଧି ପରୀକ୍ଷା କରିବା ପାଇଁ ନିମ୍ନଲିଖିତ ସଂକେତ ଦେଉଛୁ...ଯଦି ପାର, ପରୀକ୍ଷାକ୍ଷେତ୍ରରେ ଆମର ସମ୍ମୁଖୀନ ହେବ–ନଚେତ୍‌ ମରୀଚିକା ପଛରେ ଦଉଡ଼ି ବୃଥାରେ ଧନ୍ଦିହେବେନି ।

 

ଆପଣଙ୍କର

ଶୁଭେଚ୍ଛୁ–

ଯାଦୁଘରର ସର୍ଦ୍ଦାର

 

ନମ୍ୱ୍ର ୧-ଅଫ୍‌...ନମ୍ୱର 5 ଡାଉନୁ ରୁମ୍‌ ନମ୍ବର 10,G.P.R.

 

କି ଅଦ୍ଭୁତ...କିମ୍ଭୁତ କିମାକାର ଚିଠି...କିଏ ଏହି ଦୁର୍ଦ୍ଦାନ୍ତ ଦଳ...ଏ ସବୁ ସଂକେତର ଅର୍ଥ କଣ... ? ୟା’ର ଆଦି କେଉଁଠି, ଅନ୍ତ କେଉଁଠି ? ... ଅସହ୍ୟ ଯନ୍ତ୍ରଣାରେ ଅଥୟ ହୋଇ ପଡ଼ିଲେ ପଙ୍କଜ ବାବୁ... ।

 

ଆଉ ବିଳମ୍ବ ନ କରି ସିପାହୀମାନଙ୍କୁ ଚାରିଆଡ଼େ କଡ଼ା ପହରା ଦେବାକୁ ନିର୍ଦ୍ଦେଶ ଦେଇ ନିଜ କୋଠରୀ ଭିତରକୁ ଫେରି ଆସି ଇଲେଟ୍ରିକ୍‌ ଲାଇଟ୍‌ ସାହାଯ୍ୟରେ ବାରମ୍ବାର ଦେଖିବାକୁ ଲାଗିଲେ କାଚଖଣ୍ଡିକୁ । ଦୀର୍ଘ ତିନିଘଣ୍ଟା ବିତିଗଲା ଭାବନା ଭିତରେ...କୌଣସି କୁଳ କିନାରା ନ ପାଇ କାଚ ଖଣ୍ଡିକୁ ଆଲମିରା ଭିତରେ ଯତ୍ନରେ ରଖି-କ୍ଳାନ୍ତି ଦୂର କରିବା ପାଇଁ ବିଛଣାର ଆଶ୍ରୟ ଧରିଲେ । ସେତେବେଳକୁ ରାତି ପାହା ପାହା ହୋଇ ଆସୁଥାଏ ।

 

ତିନି

 

ତା ପରଦିନ ସକାଳ... । ଟାଉନ୍‌ ଥାନା ଇନିସ୍‌ପେକ୍ଟର...ବିନୋଦବାବୁ ଗତ ରାତିରେ ଚାଂଚଲ୍ୟକର ଘଟଣାର ସଠିକ ଖବର ବୁଝିବା ପାଇଁ ନିଜର ପୋଷାକ ପତ୍ର ପିନ୍ଧି ପଙ୍କଜବାବୁଙ୍କ ବସାକୁ ବାହାରୁଥିଲେ । ଠିକ୍‌ ଏତିକି ବେଳେ ଝଡ଼ପରି ଥାନା ଭିତରକୁ ପଶି ଆସିଲେ ବ୍ରହ୍ମପୁରର ବିଶିଷ୍ଟ ସୁନାବ୍ୟବସାୟୀ ରାଙ୍ଗାରାଓ....

 

ରାଙ୍ଗାରାଓଙ୍କୁ ଦେଖି ବିନୋଦବାବୁ ପଚାରିଲେ...ହଲୋ ମିଷ୍ଟର ରାଓ,... ଆପଣ ?

 

ମୋର ସର୍ବନାଶ ହୋଇଚି ଆଜ୍ଞା... କମ୍ପିତ କଣ୍ଠରେ କହି ଉଠିଲେ ରାଙ୍ଗାରାଓ..... ।

 

‘‘ସର୍ବନାଶ ? ବିସ୍ମିତ ହୋଇ ପଚାରିଲେ ବିନୋଦ ବାବୁ ।’’

 

ହଁ ଆଜ୍ଞା କହୁଚି ଶୁଣନ୍ତୁ... । ଗତ କାଲି ରାତି ୮ଟା ବେଳେ ଦୁଇଜଣ ଭଦ୍ରଲୋକ ଗୋଟିଏ ଧଳା ରଙ୍ଗର ଷ୍ଟୁଡ଼ିବେକର ଗାଡ଼ି ନେଇ ମୋ ଦୋକାନରେ ଆସି ପହଞ୍ଚିଲେ...ମୁଁ ସେମାନଙ୍କୁ କେହି ବିଶିଷ୍ଟ ଭଦ୍ରଲୋକ ଭାବି ସମ୍ମାନ ଦେଖେଇବାରେ ତ୍ରୁଟି କଲିନି । କିଛି ସମୟ କଥାଭାଷା କରିବା ପରେ ଜାଣିଲି ଯେ ସେମାନେ ଗଞ୍ଜାମ ପୋଲିସ ସାହେବଙ୍କର ଆତ୍ମୀୟ ଏବଂ ଆସିଛନ୍ତି କିଛି ଖାଣ୍ଟି ସୁନା ଖରଦିକରି ନେବାକୁ ।

 

ମୁଁ ସମ୍ମାନ ସହକାରେ ମୋର ସୁନାକୋଠି ଭିତରକୁ ଯେଉଁଠି କି ସମସ୍ତ ମୂଲବାନ୍‌ ଅଳଙ୍କାର ଥାଏ ସେଠାକୁ ଦେଖେଇବା ଉଦ୍ଦେଶ୍ୟରେ ନେଇଗଲି ।

 

ଭଦ୍ରଲୋକ ଦୁଇଜଣ ସମସ୍ତ ଜିନିଷ ଖିନ୍‌ ଭିନ୍‌ କରି ଦେଖି ତା ଭିତରୁ ପାଞ୍ଚହଜାର ଟଙ୍କାର ବିଭିନ୍ନ ପ୍ରକାର ଜିନିଷ କିଣିବା ପାଇଁ ପସନ୍ଦ କଲେ । ମୁଁ ସେମାନଙ୍କର ଅଭିରୁଚି ଅନୁଯାୟୀ ମନକୁ ସନ୍ତୁଷ୍ଟ କରିବା ପାଇଁ ସବୁ ଦିଗରେ ଅପ୍ରାଣ ଚେଷ୍ଟାକଲି । ପରିଶେଷରେ ସେମାନେ ସେମାନଙ୍କର ଅଭିମତ ଜଣାଇଲେ । ଯେ ଏ ସବୁ ଜିନିଷକୁ S. P. ସାହେବ ପସନ୍ଦ କଲେ ସେ କିଣିବେ; ତେଣୁ ତାଙ୍କ ସହିତ କାର୍‌ରେ ଛତ୍ରପୁର ମୋତେ ଯିବାକୁ ପଡ଼ିବ । ମୁଁ ତାଙ୍କ କଥାକୁ ଅବିଶ୍ୱାସ କରିପାରିଲିନି । କାରଣ ପୋଲିସ ସାହେବଙ୍କ ସାଙ୍ଗରେ ସେ ଡ୍ରାଇଭରକୁ କେତେ ଥର ଦେଖିଲାପରି ମନେ ହେଉଥିଲା । ମୁଁ ଆଉ ଆପତ୍ତି ନ କରି ମାଲମତା ସହ ବାହାରି ପଡ଼ିଲି, ଏବଂ ଯିବାବେଳେ ସେମାନଙ୍କୁ ଅନୁରୋଧ କରିଥିଲି ମୁଁ ଯିମିତି ବାରଟା ପୂର୍ବରୁ ଏଠିକି ଫେରିଆସି ପାରେ...ସେମାନେ ମୋ ପ୍ରତି ସହାନଭୂତି ଦେଖେଇ ତା’ପୂର୍ବରୁ ଆଣି ଏଠି ଛାଡ଼ିଦେଇ ଯିବେ ବୋଲି ପ୍ରତିଶ୍ରୁତି ଦେଲେ... ।

 

ସେତେବେଳକୁ ରାତି ୯ ଟା ବାଜି ସାରିଥିଲା...ବ୍ରହ୍ମପୁର ସହର ପାର ହୋଇ ଘଣ୍ଟାକେ ୫୦ ମାଇଲ ଗତିରେ ଷ୍ଟୁଡ଼ିବେକର ଛୁଟି ଚାଲିଲା ଛତ୍ରପୁର ଅଭିମୁଖରେ... । ବ୍ରହ୍ମପୁରଠାରୁ ଛତ୍ରପୁର ଯିବା ରାସ୍ତା... ଚାରିମାଇଲ ଦୁରରେ ଗୋପାଳପୁର ଯିବା ରାସ୍ତା । ସେଇଠି କାରର ଗତି କମିଗଲା ଏବଂ ସେମାନେ ଗୋପାଳପୁର ବାଟ ଦେଇ ଯିବେ ବୋଲି ଜଣାଇଲେ । ମୁଁ ସେମାନଙ୍କ କଥାରେ ଆପତ୍ତି କଲିନି । ଧୀର ସ୍ଥିର ଭାବରେ ବସିଥାଏ ମଟର ଭିତରେ । ମଟର ପୁଣି ଦୂରନ୍ତ ବେଗରେ ଛୁଟି ଚାଲିଲା... ।

 

ସେଠାରୁ ଗୋପାଳପୁର ଆଉ ଚାରି ମାଇଲ ବାଟ । ପାଞ୍ଚମିନିଟ୍‌ ଭିତରେ କାରଟି ସମୁଦ୍ର ଉପକୂଳସ୍ଥିତ ଗ୍ରେଟ୍‌ ଇଣ୍ଡିଆନ୍‌ ହୋଟେଲର ଫାଟକ ପାଖରେ ଯାଇ ପହଞ୍ଚିଲା... । କାରର ହର୍ଣ୍ଣ ଶୁଣିବା ମାତ୍ରେ ସାଲ୍ୟୁଟ୍‌ ବଜେଇ ଦରଓ୍ୟାନଟି ଭିତରକୁ ଯିବାକୁ ଗେଟ୍‌ ଖୋଲି ଦେଲା... । ଆମେମାନେ ସମସ୍ତେ କାରରୁ ଓହ୍ଲାଇ ହୋଟେଲ ଭିତରକୁ ପଶିଲୁ...ଡ୍ରାଇଭର ବାରକୁ ବୁଲେଇ ଆଣି ରଖିବ କହି ପଛକୁ ବ୍ୟାକ୍‌ କଲା ।

 

ଗ୍ରେଟ୍‌ ଇଣ୍ଡିଆନ୍‌ ହୋଟେଲର ସମସ୍ତ କକ୍ଷ ସବୁକ ବିଦ୍ୟୁତାଲୋକରେ ଉଦ୍‌ଭାସିତ ହୋଇ ଉଠୁଥିଲା...ଗୋଟିଏ ପରେ ଗୋଟିଏ ରୁମ୍‌ ପାରହୋଇ ଆମେ ରୁମ୍‌ ନମ୍ବର 10 ରେ ପହଞ୍ଚିଲୁ । ଆମକୁ ଦେଖିବା ମାତ୍ରେ ଜଣେ ଭଦ୍ରଲୋକ କକ୍ଷଭିତରୁ ଉଠି ଆସି ଆମମାନଙ୍କର କର ମର୍ଦ୍ଦନ କଲେ । ମୋ ସହିତ ଯାଇଥିବା ଭଦ୍ରଲୋକ ଦୁଇଜଣ ମୋର ପରିଚୟ ତାଙ୍କ ଆଗରେ ଜଣାଇ ଦେଲେ । ସମସ୍ତେ ଯାଇଁ ସେଇ କକ୍ଷ ଭିତରେ ପଡ଼ିଥିବା ଚେୟାର ଉପରେ ବସିଲୁ...ସାଙ୍ଗେ ସାଙ୍ଗେ ଚା ଓ ଆମ୍‌ଲେଟର ବ୍ୟବସ୍ଥା କରାଗଲା...ମୁଁ ଆମ୍‌ଲେଟ୍‌ ଖାଏନା ବୋଲି ଜଣାଇବାରୁ ମୋଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା ।

 

ଖିଆ ପିଆ ସରୁ ସରୁ ରାତି ୧୦ଟା... । ଶୀଘ୍ର ଛତ୍ରପୁର ଯିବାପାଇଁ ମୁଁ ଉଦ୍‌ବିଘ୍ନ ହୋଇ ଉଠିଲି । ମୋ ସହିତ ଆସିଥିବା ଭଦ୍ରଲୋକ ଦୁଇଜଣ ଆଉ ଆପତ୍ତି ନକରି ଯିବାପାଇଁ ଉଦ୍ୟତହେଲେ । ସେଠାରେ ଥିବା ଭଦ୍ରଲୋକ ଜଣକ ଆମମାନଙ୍କୁ ପାଛୋଟି ଦେବା ପାଇଁ ବାହାରକୁ ଆସି ମୋ ସହିତ ଯାଇଥିବା ଭଦ୍ରଲୋକ ଦୁହିଙ୍କ ସହିତ ନିର୍ଜନରେ କଣ ଦୁଇମିନିଟ୍‌ କଥାଭାଷା ହେଲେ । ତାପରେ ଆମେମାନେ ବିଦାୟ ନେଇ ଗେଟ୍‌ ବାହାରକୁ ଆସିଲୁ । କାରଟି ଗେଟ୍‌ ଫାଟକ ପାଖରେ ରଖା ହୋଇଥାଏ... ଆମେ ତିନିଜଣ ଯାଇଁ ବସିଲୁ... କାର ଷ୍ଟାଟ ହେଲା...ଅନ୍ୟ ଭଦ୍ରଲୋକ ଜଣକ ହୋଟେଲ ଭିତରକୁ ଫେରିଲେ ।

 

ନିର୍ଜନ ରଙ୍ଗେଇଲୁଣ୍ଡା ରାସ୍ତା ଉପରେ ଧୂଳି ଉଡ଼େଇ ପୁଣି ୫୦ ମାଇଲ ବେଗରେ ଷ୍ଟୁଡ଼ିବେକର ଛୁଟି ଚାଲିଲା...ଛତ୍ରପୁର ଆଉ ୩ ମାଇଲ ବାଟ...ଗୋଟିଏ ବଡ଼ ଢିପଯାଗା ଉଠିଗଲେ ଛତ୍ରପୁର ଯିବାକୁ ଆଉ ଦୁଇ ମିନିଟ୍‌ ଲାଗିବ । ହଠାତ୍‌ ସେଇ ଢିପ ଯାଗାରେ କାର ଅଟକି ଗଲା...ମୁଁ ବିସ୍ମିତ ହୋଇ ଉଠିଲି ।

 

ଚାରିଆଡ଼ ବିସ୍ତୀର୍ଣ୍ଣ ଝାଉଁବଣ । ଚନ୍ଦ୍ର ଦୂର ଆକାଶରେ ଛପି ଯାଉଥିବାରୁ ଚତୁର୍ଦିଗ ଗାଢ଼ ଅନ୍ଧରରେ ଛାଇ ହୋଇ ଯାଇଚି... । ରାସ୍ତା କଡ଼ରେ ଥିବା ଝାଉଁ ଗଛ ଗୁଡ଼ିକ ଅନ୍ଧକାର ଭିତରେ ଗୋଟିଏ ଗୋଟିଏ ପ୍ରେତ ପରି ଦିଶୁଚନ୍ତି ।

 

‘‘ମୁଁ ବଡ଼ ବ୍ୟାକୁଳ କଣ୍ଠରେ ପଚାରିଲି, କଣ ହେଲା ଆଜ୍ଞା, କାହିଁକି ଏଠି ଅପେକ୍ଷା କଲେ ?

 

ମୋ ପ୍ରଶ୍ନରେ ସେମାନେ ଠୋ ଠୋ ହସି ଉଠିଲେ ଏକ ସଙ୍ଗରେ...ଓଃ, କି ବିକଟ ହସ...ମୁଁ ଅନୁଭବ କଲି ଯେପରି ସେ ହସର ପ୍ରକୋପରେ ମୋର କଲିଜା ଫାଟିଯିବ । ମୁଁ ଉପାୟ ଶୂନ୍ୟ ହୋଇ ପଡ଼ିଲି... ।

 

ସେମାନଙ୍କ ପ୍ରହେଳିକା ବୁଝିବାକୁ ମାତେ ଆଉ ବେଶି ସମୟ ଲାଗିଲାନି । ସେମାନେ ମୋତେ–ଗୋଟିଏ ରସିଦ ଲେଖିବାକୁ ବାଧ୍ୟ କଲେ ।

 

ମୁଁ ମୃତ୍ୟୁମୁଖରୁ ବଞ୍ଚିବାପାଇଁ-ଲେଖିବାକୁ ବାଧ୍ୟ ହେଲି । ସେମାନେ ମୋ ଠାରୁ ରସିଦ ଖଣ୍ଡିକ ନେଇ ଧନ୍ୟବାଦ ଜଣେଇ ମୋତେ ଗାଡ଼ି ଭିତରୁ ଓହ୍ଲେଇ ଯିବାକୁ ଅନୁରୋଧ କଲେ । ମୁଁ ବାପର ସୁପୁତ୍ର ପରି ଓହ୍ଲେଇ ଶଡ଼କ ଉପରେ ଠିଆ ହେଲି ।

 

ସେମାନେ ମୋ ମୁହଁକୁ ଅନେଇଁ ଗୋଟାଏ ଉଛୁଳା ହସ ହସି କାରକୁ ଛୁଟାଇ ଦେଲେ ଦ୍ରୂତଗତିରେ । ମୁଁ ସଂଜ୍ଞାହୀନ ହୋଇ କେତେବେଳେ ରାସ୍ତାରେ ପଡ଼ି ରହିଛି ତା’ ଜାଣେନି ।

 

ହଁ, କହିବାକୁ ଭୁଲି ଯାଇଚି, ସେମାନେ ଯିବା ପୂର୍ବରୁ ମୋତେ ଗୋଟିଏ ଚିଠି ଆପଣମାନଙ୍କୁ ଦେବାପାଇଁ ଦେଇଗଲେ ସେ ଚିଠି ମୁଁ ଛତ୍ରପୁର ପୋଲିସଷ୍ଟେସନରେ ଦେଇ ଆସିଚି ଏବଂ ଖଣ୍ଡିଏ ନକଲ ମଧ୍ୟ ନେଇ ଆସିଚି ଆପଣଙ୍କୁ ଦେଖାଇବାକୁ... ।

 

ତା ପର ଆପଣ ରାତିରେ ଏକୁଟିଆ ଛତ୍ରପୁର ଗଲେ କିମିତି ? ବିସ୍ମିତ ହୋଇ ପଚାରିଲେ ବିନୋଦ ବାବୁ ।

 

ସେତେବେଳେକୁ ବ୍ରହ୍ମପୁର ଓ ଛତ୍ରପୁର ବସ୍‌ ଫେରି ନଥାଏ । ଏ ଘଟଣା ଘଟିବାର ଅଧଘଣ୍ଟାଏ ପରେ ଆସି ପହଞ୍ଚିଲା... ମୁଁ ଅସହାୟ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଦେଖି ସେମାନେ ବସ୍‌ରେ ଉଠାଇ ଛତ୍ରପୁର ହସ୍‌ପିଟାଲକୁ ନେଇଗଲେ । ଛତ୍ରପୁର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ମୁଁ ଚେତନା ଫେରି ପାଇଲି ।

 

ତା ପର ? ପଚାରିଲେ ବ୍ୟଗ୍ରତାର ସହିତ ବିନୋଦ ବାବୁ ।

 

ତା ପର ଆଉ କଣ ? ଏଇ ନିଅନ୍ତୁ ସେ ଚିଠିର ନକଲ । ବଢ଼ାଇ ଦେଲେ ବିନୋଦବାବୁଙ୍କ ହାତକୁ । ବିନୋଦ ବାବୁ ଚିଠି ଦେଖି ବିସ୍ମିତ ହୋଇ ଉଠିଲେ... ।

 

ସେଥିରେ ଲେଖାଥିଲା–

 

ପ୍ରିୟ, ମହାଶୟ ଗଣ !

 

ଏକ ସାଙ୍ଗରେ ଏକ ରାତ୍ରିର ଘଟିଥିବା ଘଟଣାରେ ଆପଣମାନେ ବୋଧେ ବିବ୍ରତ ହୋଇଉଠିଥିବେ ଏବଂ ଆମ୍ଭମାନଙ୍କର ସଂଧାନ ନେବାର ବ୍ୟସ୍ତ ଥିବେ ନିଶ୍ଚୟ ।

 

କିନ୍ତୁ ଅନୁରୋଧ, ଆମମାନଙ୍କ ସଂଧାନ ନେବା ପୂର୍ବରୁ ଆମଠାରୁ ଆହୁରି ଯେଉଁମାନେ ଦେଶର ଶତ୍ରୂ, ଜାତିର ଶତ୍ରୂ ଲୁକ୍‌କାୟିତ ଭାବରେ ଜାତିର ମେରୁଦଣ୍ଡ ଉପରେ ଆଘାତ କରୁଚନ୍ତି ସେମାନଙ୍କର ସଂଧାନ ଆଗେ ନେଇ ଗୁଇନ୍ଦା ଗିରିର ପରାକାଷ୍ଠା ଜଗତକୁ ଦେଖାନ୍ତୁ । ଅଯଥା ଆମ ପଛରେ ଘୂରି ଶକ୍ତି ନଷ୍ଟ କରିବା ଛଡ଼ା ଲାଭ କିଛିମାତ୍ର ନାହିଁ ।

 

ଆପଣମାନଙ୍କର

ଶୁଭେଚ୍ଛୁ–

ଯାଦୁଘରର ସର୍ଦ୍ଦାର

 

ଚିଠି ପଢ଼ି ବିନୋଦବାବୁ ବିବ୍ରତ ହୋଇ ଉଠିଲେ । ସେ ମୁଣ୍ଡରେ ରକ୍ତଚାପର ଆଘାତ ଅନୁଭବ କଲେ.....ପ୍ରତିଶୋଧର ବହ୍ନି ଜଳି ଉଠିଲା ହୁ ହୁ ହୋଇ ... ରାଙ୍ଗାରାଓ ବାବୁଙ୍କୁ ଆଶ୍ୱାସନା ବାଣୀ ଶୁଣେଇ ଶୀଘ୍ର ବାହାରି ପଡ଼ିଲେ ପଙ୍କଜ ବାବୁଙ୍କ ପାଖକୁ ।

 

ଚାରି

 

ଘଡ଼ିରେ ଆଠଟା ବାଜି ସାରିଲାଣି..ତଥାପି ପଙ୍କଜ ବାବୁଙ୍କ ଅଚେତନ ଶରୀରଟା ବିଛଣା ଉପରେ ପଡ଼ି ରହିଚି... । ଭଜିଆ ଭୟ ବହ୍ୱଳିତ କଣ୍ଠରେ ଡାକି ଡାକି ଥକି ହତାଶ ହୋଇ ବସି ପଡ଼ିଚି ପଙ୍କଜବାବୁଙ୍କ ଶୋଇବା ଘର ଦୁଆର ମୁହଁ ପାଖରେ । ମଟର ସାଇକେଲରୁ ଓହ୍ଲାଇ ଝଡ଼ପରି ଘର ଭିତରକୁ ପଶି ଆସିଲେ ବିନୋଦବାବୁ ।

 

ବିନୋଦବାବୁଙ୍କ ଆର୍ବିଭାବରେ ଭଜିଆ ଇତସ୍ତତଃ ହୋଇ....ଟିକିଏ ରହି ବଡ଼ କଂପତ କଣ୍ଠରେ ଏକ ନିଶ୍ୱାସରେ ପଚାରି ପକାଇଲା... ଆପଣ କିଏ... ? କାହିଁକି ଆସିଚନ୍ତି ? କ’ଣ ଦରକାର ?

 

ବିନୋଦବାବୁ ଭଜିଆର ମୁଖ ଭଂଗି ଲକ୍ଷ୍ୟ କରିପାରି ହସି ହସି କହିଲେ-

 

‘‘ଭୟ କରିବାର କୌଣସି କାରଣ ନାହିଁ । ମୁଁ ଟାଉନ୍‌ ଇନ୍‌ଚାର୍ଯ୍ୟ ଅଫିସର ବିନୋଦଚନ୍ଦ୍ର ରାଉତରାୟ...ପଙ୍କଜବାବୁଙ୍କ ପାଖରେ କାମଅଛି । ବାବୁ ଅଛନ୍ତି ?

 

ଅଛନ୍ତି ବାବୁ...କାଲି ରାତି ଅନିଦ୍ରାରେ ହାଲିଆ ହୋଇ ଶୋଇ ପଡ଼ିଚନ୍ତି । ଆସ୍ୱସ୍ତିର ନିଶ୍ୱାସ ମାରି କହିଲା ଭଜିଆ ।

 

‘‘ଟିକିଏ ଜରୁରୀ କାମ ଅଛି...ବାବୁଙ୍କୁ ଟିକେ ଉଠେଇ ଦେ... ?

 

ଡାକି ଡାକି ଥକି ଗଲିଣି ବାବୁ... । କହିଲା ଭଜିଆ ।

 

ଆଉଥରେ ଚେଷ୍ଟାକରି ଦେଖ୍‌-ମୋର ବଡ଼ ଜରୁରୀ କାମ ଅଛି ।’’ କହିଲେ ବିନୋଦ ବାବୁ ।

 

ଭଜିଆ କଥା ଭାଙ୍ଗି ପାରିଲାନି-ପୁଣି ଡାକିବାକୁ ଉଦ୍ୟତ ହେବା ସମୟେ-ପଙ୍କଜବାବୁଙ୍କର ନିଦ ଭାଙ୍ଗିଗଲା । ବାହାରେ ଅଗନ୍ତୁକଙ୍କ ସ୍ୱର ଶୁଣି ପାରି ପଚାରିଲେ ‘କିଏ’ ?

 

‘‘ମୁଁ ବିନୋଦ ଆସିଚି ଆଜ୍ଞା ।’’ ଉତ୍ତର ଦେଲେ ବିନୋଦ ବାବୁ ।

 

‘‘ଓଃ, ବିନୋଦବାବୁ ! ଆସନ୍ତୁ–ଆସନ୍ତୁ–ଘର ମଣିଷ ଘରକୁ ନଆସି ବାହାରେ ଯେ ? ନିଦବୋଳା ଆଖିରେ କହିଉଠିଲେ ପଙ୍କଜବାବୁ ।

 

କ୍ଷମା କରିବେ, ମୁଁ ଆପଣଙ୍କ ନିଦ୍ରାରେ ବ୍ୟଘାତ ଦେଇଚି କହି ଭିତରକୁ ପ୍ରବେଶ କଲେ ବିନୋଦବାବୁ ।

 

No, No, କଦାପି ନୁହେଁ, କଦାପି ନୁହେଁ ବରଂ ମୋତେ ଉପକୃତ କରିଚନ୍ତି ମୋର ଅଳସୁଆମିଟାକୁ ଭାଙ୍ଗିଦେଇ। ମୁଁ ଆଜି ଅନେକ ବେଳଯାଏ ଶୋଇ ପଡ଼ିଚି । ବସନ୍ତୁ-ଅଯଥା ଛିଡ଼ାହୋଇ ରହି ଏ ଚଉକିଟାକୁ କଷ୍ଟ ଦେଉଚନ୍ତି କାହିଁକି ? ଏଠି ମୋ ଛଡ଼ା ଆପଣଙ୍କୁ ସମ୍ମାନ ଜଣାଇବାକୁ ଅନ୍ୟ କେହି ନାଇଁ ଯେ ।

 

ବିନୋଦବାବୁ ପଙ୍କଜବାବୁଙ୍କ ମୃଦୁ ବ୍ୟବହାରରେ ଅପ୍ୟାୟିତ ହୋଇ ଚଉକି ଟାଣି ବସିଲେ । ସାଙ୍ଗେ ସାଙ୍ଗେ ଦୁଇକପ୍‌ ଚା ଆଣି ଭଜିଆ ଟେବୁଲ ଉପରେ ରଖିଦେଇ ଗଲା । ପଙ୍କଜବାବୁ ମୁହଁଟିକୁ ଧୋଇ ନେଇ ଚା ଖାଇବାକୁ ଟେବୁଲ ପାଖରେ ପଡ଼ିଥିବା ଚଉକି ଉପରେ ଆସି ବସି ପଡ଼ିଲେ ।

 

‘‘ଆପଣ କଣ ବେଡ଼୍‌ଟି ଖାନ୍ତି ?’’ ପଚାରିଲେ ବିନୋଦବାବୁ–

 

ହଁ ଆଜ୍ଞା, ଏଟା ମୋର ଗୋଟେ ଜନ୍ମଗତ ଅଭ୍ୟାସ କହିଲେ ଚଳେ । ବାପା ମୋର ଜଣେ ପୂରା ଚା’ ଖୋର ଲୋକଥିଲେ । ସେଥିପାଇଁ ମୁଁ ଏକା ନୁହେଁ, ଆମେ ପାଞ୍ଚ ଭାଇଯାକ କପ୍‌ ପ୍ଲେଟ୍‌ ନ ମିଳିଲେ ମଧ୍ୟ ତାଟିଆ ଗିନା ଧରି ବାପା ଚା ଖାଇଲାବେଳେ ତାଙ୍କ ଚାରିପଟେ ଘେରି ଯାଉଥିଲୁ । ସେଥିପାଇଁ ଏ ଦୁରାଭ୍ୟାସଟାର ମାତ୍ରା ଏତେ ବଢ଼ି ଯାଇଚି ଯେ ଦୁଇଦିନ ଉପବାସ ରହିଲେ ଯେତିକି ବାଧୁନି ତା’ଠୁ ବାଧୁଚି ଚା ପାଣି ଟୋପାଏ ପେଟରେ ନ ପଡ଼ିଲେ । ଗୁଇନ୍ଦା ଚାକିରୀ ଭିତରେ ଏଯେ କେତେଗୋଟାଏ ଉତ୍କଟ ବ୍ୟାଧି ତା ବୁଝି ପାରୁଥିବେ । ଖାସ୍‌ ୟା’ରି ପରିବେଷଣ ଲାଗି ଏ ଜନ୍ତୁଟିକୁ ମୋତେ ସାଙ୍ଗରେ ବାଂଧିବାକୁ ପଡ଼ୁଚି ।

 

ଆପଣ ମଣିଷକୁ ଜନ୍ତୁ ଆଖ୍ୟା ଦେଇ ସାରିଲେଣି ? ହସି ହସି କହିଲେ ବିନୋଦ ବାବୁ....‘‘ଜନ୍ତୁ ଛଡ଼ା ଆଉ ୟାକୁ କି ରୂପ ଦିଆଯାଇ ପାରେ ? ଦେଖିଲେ ତ ଦିନ ଦି ପହରେ ଯିଏ ମଣିଷକୁ ଦେଖିଲେ ଛାନିଆଁ ହଉଚି, ତାକୁ ଆଉ କଣ କୁହାଯାଇ ପାରିବ ? ମୁଁ ଶେଷକୁ ଭାଷା କୋଷ ଖୋଜି ଖୋଜି ଅନ୍ୟ କୌଣସି ପ୍ରତିଶବ୍ଦ ନ ପାଇ ବାଧ୍ୟହୋଇ ଏ ଶବ୍ଦଟାକୁ ପ୍ରୟୋଗ କରିଚି-

 

‘‘ହସି ଉଠିଲେ ପଙ୍କଜ ବାବୁ ଜୋରରେ ।’’

 

‘‘ଚା ଥଣ୍ଡା ହୋଇଗଲା ପିଇ ନିଅନ୍ତୁ ।’’ କହିଲେ ପଙ୍କଜବାବୁ ।’’

 

‘‘ଚିନ୍ତା ନାହିଁ । ଗରମ ଦିନରେ ଥଣ୍ଡା ଚା ପିଇବାକୁ ମୁଁ ଭଲପାଏ ଆଜ୍ଞା । ଲୋକେ ତ ଆଜିକାଲି ଚା ସାଙ୍ଗରେ ବରଫ ମିଶେଇ ପିଇଲେଣି, ତାଠୁ ତ ବେଶି ଥଣ୍ଡା ହେବ ନି ?’’

 

ବେଶ୍‌, ତାହେଲେ ମୋର ଆଉ କହିବାର କିଛି ନାହିଁ । ଆପଣଙ୍କ ଇଚ୍ଛା କେତେବେଳେ ପିଉଚନ୍ତି ପିଅନ୍ତୁ । ହସି ହସି କହିଲେ ପଙ୍କଜବାବୁ ।

 

ନାଇଁ, ଆଉ ବେଶି ଡେରି କରୁନି । ବିଶେଷତଃ, ସମୟର ମୂଲ୍ୟ ଆମମାନଙ୍କ ପକ୍ଷରେ ଯଥେଷ୍ଟ ବେଶି, କହି ଏକ ନିଶ୍ୱାସରେ ଥଣ୍ଡା ଚା ତକ ସରବତପରି ପିଇ ଦେଲେ ।

 

ପଙ୍କଜବାବୁ ସିଗାରେଟ୍‌ ଖଣ୍ଡେ ମୁହଁରେ ଧରେଇ ଦେଉ ଦେଉ ପଚାରିଲେ, କ’ଣ କିଛି ଶିକାରର ସଂଧାନ ମିଳିଛି ?

 

ଏତେ ସହଜରେ ? ବିଶେଷତଃ, ଆପଣଙ୍କପରି ଗୁଇନ୍ଦାଙ୍କର ବୁଦ୍ଧିବୃର୍ତ୍ତି ଯେତେବେଳେ ହାର ମାନୁଚି ସେତେବେଳେ ଆମ ପ୍ରଶ୍ନ ଉଠୁଚି କେଉଁଠି ? ଗତ ରାତ୍ରିର ଘଟଣା ଶୁଣିବା ପରଠାରୁ ସେସବୁ ମୋତେ ଗୋଟାଏ ସ୍ୱପ୍ନ ପରି ମନେ ହେଉଚି ।

 

‘‘ସ୍ୱପ୍ନନୁହେଁ ବିନୋଦବାବୁ, ନିରାଟ ସତ୍ୟ । ନିଜ ଆଖିକି କେବେ ଅବିଶ୍ୱାସ କରି ପାରିବିନି’’ କହିଲେ ପଙ୍କଜବାବୁ ।

 

ବିନୋଦବାବୁ ଟିକିଏ ହସି ନିଜ ପକେଟ ଭିତରୁ କାଢ଼ି ଚିଠିଟି ପଙ୍କଜବାବୁଙ୍କ ହାତକୁ ବଢ଼ାଇ ଦେଲେ ।

 

ପଙ୍କଜବାବୁ ଚିଠିଦେଖି ଚମକି ଉଠିଲେ ଭୟ ଓ ଆଶଙ୍କାରେ ତାଙ୍କର ସମସ୍ତ ଶରୀରରେ ଝାଳ ଫୁଟି ଉଠିଲା । ସେ ଆବେଗ ପୂର୍ଣ୍ଣ କଣ୍ଠରେ ଏ ଚିଠି କେଉଁଠୁ ପାଇଲେ ବିନୋଦବାବୁଙ୍କୁ ପଚାରିଲେ ।

 

‘‘ବିନୋଦବାବୁ ରାଙ୍ଗାରାଓଙ୍କର ଘଟିଥିବା ସମସ୍ତ ଘଟଣା ଶୁଣାଇବାକୁ ଲାଗିଲେ । ପଙ୍କଜବାବୁ ସମସ୍ତ ଘଟଣା ଶୁଣିସାରିବା ପର କଣ କରିବେ କିଛିମାତ୍ର ଚିନ୍ତା କରି ପାରିଲେ ନି । ମୂକ ହୋଇ ପନ୍ଦର ମିନିଟ୍‌ କାଳ ନିଜ ଚଉକି ଉପରେ ବସି ରହିଲେ । ନିରବତା ଭିତରେ ପନ୍ଦର ମିନିଟ୍‌ କଟିଗଲା । ବିନୋଦବାବୁ ପଙ୍କଜବାବୁଙ୍କର ମନ ପରୀକ୍ଷା କରିବାରେ ଲାଗିଥାନ୍ତି ।

 

ହଠାତ୍‌ ନିରବତା ଭଂଗକରି ପଙ୍କଜବାବୁ ପଚାରିବାକୁ ଆରମ୍ଭ କଲେ ‘‘ଆଚ୍ଛା ବିନୋଦବାବୁ ଆପଣ ଏ ସମ୍ପର୍କରେ ଗୋପାଳପୁର ଆଡ଼କୁ ଯାଇଥିଲେ, କଣ କିଛି ଖବର ସଂଗ୍ରହ କରିଚନ୍ତି ?’’

 

କରିନି ଆଜ୍ଞା, ତେବେ ମୋର ଅନୁମାନ କେତେଦୂର ଠିକ୍‌ ତା’ ମୁଁ କହି ପାରିବିନି । ମୋ’ଠୁ ସବୁ କଥା ଶୁଣିବା ପରେ ଆପଣ ଟିକିଏ ଗଭୀର ଚିନ୍ତାକରି ଦେଖନ୍ତୁ ଯଦି ମୋର ଅନୁସଂଧାନ ଠିକ୍‌ ବୋଲି ମନେ କରନ୍ତି, ତେବେ ସେ ଦିଗରେ ଆଗେଇଲେ କିଛି ନା କିଛି ଉଦ୍ଦେଶ୍ୟ ପୂରଣ ହୋଇ ପାରନ୍ତା ।

 

ଆଚ୍ଛା, ଦେଖାଯାଉ, ଆପଣଙ୍କର ସଂଗୃହୀତ ଖବର ଆଗେ କୁହନ୍ତୁ....ସେ ବିଷୟରେ ଚିନ୍ତା କରି ଦେଖିବା ।

 

ବିନୋଦବାବୁ କହିବାକୁ ଆରମ୍ଭ କଲେ । ‘‘ଗତ ଦୁଇ ତିନିମାସ ଧରି ଗୋଦାବରୀ ଅଞ୍ଚଳରୁ କେତେ ଜଣ ସୁନାରୀ ଆସି ସୁନାରୂପାର ଅଳଙ୍କାର ସେ ଅଞ୍ଚଳରେ ପ୍ରସ୍ତୁତ କରୁଛନ୍ତି । ମୁଁ ଯାହା ଦେଖି ଆସିଲି ଏ ଅଞ୍ଚଳରେ ଲୋକଙ୍କର ସେମାନଙ୍କ ଉପରେ ଏତେ ବିଶ୍ୱାସ ଆସିଛି ଯାହାଫଳରେ କି ସେମାନେ ସେମାନଙ୍କର ଦ୍ୱାର ଉନ୍‌ମୁକ୍ତ କରି ଦେଇଛନ୍ତି । ସେମାନଙ୍କପାଇଁ ସବୁ ଛାଡ଼ । ଇମିତି କି ଗାଁ ଗହଳରେ ଥିବା କୁଳ ବୋହୂମାନେ ମଧ୍ୟ ସେମାନଙ୍କୁ ଲୁଚନ୍ତିନି । ସେମାନେ ସମସ୍ତେ ତେଲୁଗୁ ଭାଷୀ । ଓଡ଼ିଆ ସାମାନ୍ୟ ବୁଝି ପାରୁଛନ୍ତି, କିନ୍ତୁ କହିପାରୁ ନାହାନ୍ତି । ଗୋପାଳପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ସେମାନେ ବୁଲି କାମ କରୁଛନ୍ତି । ମୁଁ ଗୋଟାଏ ବିଶ୍ୱସ୍ତ ସୂତ୍ରରୁ ବୁଝିଲି ଯେ ପ୍ରତି ରବିବାର ଦିନ ସେମାନେ ବ୍ରହ୍ମପୁରକୁ ସିନେମା ଦେଖିବାକୁ ଆସନ୍ତି ଏବଂ ସିନେମା ଦେଖିବା ପର ବଡ଼ବଜାର ଆପର୍ଣ୍ଣାସ୍ୱାମୀ ହୋଟେଲରେ ରହନ୍ତି । ସେହି ଦିନ ସେମାନଙ୍କ ଲାଗି ଗୋଟିଏ ନିଭୃତ ଘର ଆଗରୁ ବନ୍ଦୋବସ୍ତ କରାଯାଇ ଥାଏ । ସେ ହୋଟେଲର ଗୋଟିଏ ଚାକର ଠାରୁ ମୁଁ ଯାହା ଖବର ପାଇଛି ସେଠାରେ ସେମାନଙ୍କର ଖୁବ୍‌ ଆଡ଼୍‌ଡ଼ା ଜମେ । ତାଙ୍କ ସହିତ ଆଉ କେତେ ଜଣ ବିଭିନ୍ନ ଅଞ୍ଚଳର ଲୋକମଧ୍ୟ ଯୋଗ ଦିଅନ୍ତି । ବାହାରେ ସେମାନେ ମଦ ମାଂସର ଧାର ଧାରନ୍ତିନି କହି ସେଦିନ ଲୁକ୍‌କାୟୀତ ଭାବରେ ଖାଆନ୍ତି । ୟା’ର ମଧ୍ୟ ସଠିକ୍‌ ପ୍ରମାଣ ମୁଁ ପାଇଚି । ହୋଟେଲ ମାଲିକ ଆପର୍ଣ୍ଣାସ୍ୱାମୀ ମଧ୍ୟ ସେମାନଙ୍କ ସହିତ ଭାଗନିଏ । ସେ ମଧ୍ୟ ଗୋଦାବରୀ ଜିଲ୍ଲାର ଲୋକ.... । ମୋର ଅନୁମାନ ସେମାନେ ଏ ସବୁ ଭିତରେ ଲୁକାୟିତ ଭାବରେ ସଂପୃକ୍ତ ଅଛନ୍ତି ।’’

 

ଆପଣଙ୍କର ଅନୁମାନ ଅନେକାଂଶରେ ସତ ହେବ ବୋଲି ମୁଁ ମଧ୍ୟ ଭାବିପାରୁଚି । ତେବେ, କହିପାରିବେ କି, ସେମାନେ ଯେଉଁଦିନ ଏଠାରେ ଏକତ୍ରିତ ହୁଅନ୍ତି ସେଦିନ କୌଣସି-ଚୋରି ବା ଡକାୟତୀ ହୋଇଛି କି ? ପଚାରିଲେ ପଙ୍କଜବାବୁ ।

 

ନାଁ-ସେ ଦିନ କୌଣସି, ପ୍ରକାର କିଛି ହେବାର ମୋ କାନକୁ ଆସିନି ।

 

ତାପର ଦିନ ? ପଚାରିଲେ ପଙ୍କଜବାବୁ...ତା ପର ଦିନ ବି ନୁହେଁ...ଚାରି ପାଞ୍ଚଦିନ ପରେ କହିଲେ, ବିନୋଦବାବୁ ।

 

‘‘ଆଚ୍ଛା, ଯେଉଁଦିନ ଡକାୟତୀ ହୋଇଚି ସେ ଦିନ ସେ ଦଳର ଲୋକଙ୍କୁ ବ୍ରହ୍ମପୁର କିମ୍ୱା ଚୋରି ହୋଇଥିବା ସ୍ଥାନରେ କେହି ଦେଖିଚି କି ?

 

‘‘ନାଁ, ସେମାନେ ଶନିବାର ଛଡ଼ା ଅନ୍ୟ କୌଣସି ଦିନ ନିଜ ନିଜ କାମ ଛାଡ଼ି କୁଆଡ଼େ ଯାଆନ୍ତିନି, ଏକଥା ମୁଁ ଭଲ ଭାବରେ ଖବର ରଖିଚି ।’’ କହିଲେ ବିନୋଦ ବାବୁ ।

 

‘‘ଟିକିଏ ଚିନ୍ତା କରି ପୁଣି ପଙ୍କଜ ବାବୁ ପଚାରିଲେ ଆଉ ଗୋଟିଏ କଥା ମୋର ବୁଝିବାର ଅଛି ।’’

 

‘‘ପଚାରନ୍ତୁ ! ଆପଣଙ୍କ ମନକୁ ଯାହାକିଛି ଆସୁଛି ।’’

 

କାଲି ପରି ସବୁଦିନ ଏପ୍ରକାର ଅନ୍ଧାର ରାତିରେ ଚୋରି ହେଉଚି ନାଁ ଆଲୁଅ ରାତିରେ-?

 

‘‘ଚନ୍ଦ୍ରରାତି ହୋଇଥିଲେ ମଧ୍ୟ ଚନ୍ଦ୍ର ଡୁବିଯିବା ପର ଏସବୁ କାଣ୍ଡ ଘଟୁଚି କହିଲେ ବିନୋଦ ବାବୁ ।’’

 

ବିନୋଦ ବାବୁଙ୍କ କଥାରେ, ପଙ୍କଜ ବାବୁଙ୍କ ମୁହଁରେ କ୍ଷୀଣ ହସର ରେଖାଟିଏ ଆଙ୍କି ହୋଇଗଲା । ସେ ଆବେଗଭରା କଣ୍ଠରେ କହି ଉଠିଲେ ଆପଣଙ୍କ ସନ୍ଧାନ ଅବ୍ୟର୍ଥ ବିନୋଦ ବାବୁ-। ଆମେ ଏଇ ବାଟରେ ଆଗେଇ ପ୍ରକୃତ ତଥ୍ୟ ଆବିଷ୍କାର କରି ପାରିଲେ କୃତକାର୍ଯ୍ୟ ନିଶ୍ଚୟ ହୋଇ ପାରିବା ବୋଲି ମୋର ପୂର୍ଣ୍ଣବିଶ୍ୱାସ । ଆସ....ବର୍ତ୍ତମାନ ୯ଟା ବାଜିବା ଉପରେ । ଆମକୁ ଏ ସକ୍ରାନ୍ତରେ କେତେକ ବିଷୟରେ ଆଲୋଚନା କରିବାକୁ ପଡ଼ିବ । ଦରକାର ପଡ଼ିଲେ ଆଜି ସନ୍ଧ୍ୟା ପୂର୍ବରୁ S.P. ସାହେବଙ୍କ ସାଙ୍ଗରେ କଥାଭାଷା କରି ଆସିବାକୁ ହେବ ।

 

ମୁଁ ବର୍ତ୍ତମାନ ଯାଉଚି । କଟକ ପ୍ରଫୁଲ୍ଲପାଖକୁ ଫୋନ୍‌ କରିବି । ସେ କଟକରୁ ନ ଆସିଲା ପର୍ଯ୍ୟନ୍ତ ମୁଁ କୌଣସି ବିଷୟରେ ଆଗେଇ ପାରୁନି । ସେ ଆଜି ମେଲରେ ଆସି ପହଞ୍ଚିଗଲେ କାଲି ଆପଣଙ୍କୁ ସାଙ୍ଗରେ ନେଇ ମୁଁ ଯାତ୍ରା କରିବି । ଆପଣଙ୍କୁ ଅନ୍ତତଃ କିଛିଦିନ ପାଇଁ ମୋ ସହିତ ଛାଡ଼ିବାକୁ S.P. ସାହେବଙ୍କୁ ମୁଁ ଅନୁରୋଧ କରିବି ।

 

ଅଭିବାଦନ ଜଣେଇ ବିନୋଦ ବାବୁ କକ୍ଷ ତ୍ୟାଗକରି ଥାନା ଅଭିମୁଖେ ଯାତ୍ରା କଲେ....ପଙ୍କଜ ବାବୁ ନିତ୍ୟକର୍ମ ଶେଷ କରିବା ପାଇଁ ବାହାରିଲେ ।

 

ପାଞ୍ଚ

 

ରାତି ବାରଟା ବାଜିବା ଉପରେ...ହାଓଡ଼ା ମାଡ୍ରାସ ମେଲ ଅପେକ୍ଷାରେ ଥିବା ଯାତ୍ରୀ କେହି କେହି ନିଦ୍ରିତ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଓୟେଟିଙ୍ଗ୍‌ ରୁମ୍‌ ଭିତରେ ବସି ଢୁଳଉଚନ୍ତି....ଷ୍ଟେସନ୍‌ ପ୍ଳାଟଫର୍ମରେଥିବା କଳାପଟା ଉପରେ ଲେଖାଯାଇଛି ହାଓଡ଼ା ମାଡ୍ରାସ ପ୍ୟାସେଞ୍ଜର ଦୁଇ ଘଣ୍ଟା ଲେଟ୍‌ । ସେଥିପାଇଁ-ଜରୁରୀ କାମରେ ଯିବା ଯାତ୍ରୀମାନେ ମଝିରେ ମଝିରେ ବ୍ୟସ୍ତ ହୋଇପଡ଼ୁଛନ୍ତି-। ଆହୁରି ବେଶୀ ବିବ୍ରତ ହୋଇପଡ଼ୁଛନ୍ତି, ମୂଷା ଆଉ ଓଡ଼ଶଙ୍କର ମଧୁର ଆଳାପରେ ।

 

ପ୍ଳାଟଫର୍ମ ମଝିରେ ପଡ଼ିଥିବା ଖଣ୍ଡିଏ ସିମେଟ-ବେଞ୍ଚ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ରହି ପ୍ରଫୁଲ୍ଲ ସେଇ ଦୁର୍ଦ୍ଧର୍ଷ ଡକାୟତମାନଙ୍କ ଭାବନାରେ ବ୍ୟସ୍ତ...ଦିନ ସାରା ଅକ୍ଳାନ୍ତ ପରିଶ୍ରମରେ ମଧ୍ୟ ନିଦ ଆସୁନି...ଦୀର୍ଘ ଦେଢ଼ ଘଣ୍ଟା ହେଲା ସେ ଆସି ଅପେକ୍ଷା କରିଛନ୍ତି । ହାତ ଘଡ଼ିକୁ ଦେଖିଲେ ଆହୁରି ଦେଢ଼ ଘଣ୍ଟା ସମୟ ଡେରି... । ଦୀର୍ଘନିଶ୍ୱାସ ତ୍ୟାଗ କରି ପୁଣି ନୀରବରେ ସେଇପରି ଅର୍ଦ୍ଧଶାୟିତ ଅବସ୍ଥାରେ ଭାବନା ରାଜ୍ୟରେ ବ୍ୟସ୍ତ ରହିଲେ.... । ଦୀର୍ଘ ଏକ ଘଣ୍ଟା କାଳ ଏହିପରି ନୀରବ ଭାବରେ କଟିଗଲା... ।

 

ଗାଡ଼ି ଆସିବାକୁ ପ୍ରଥମ ଘଣ୍ଟା ସଂକେତ ଦେଲା....ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଥିବା ଜନତାଙ୍କ ମନରେ ଚାଞ୍ଚଲ୍ୟ ଖେଳିଗଲା...ସମସ୍ତେ ଯେ ଯାହାର ଜିନିଷପତ୍ର ସଜିଲ କରି ପ୍ରସ୍ତୁତ ହୋଇ ରହିଲେ...କେହି କେହି ଟିକଟ କରିବା ପାଇଁ ଟିକଟଘର ପାଖକୁ ଦଉଡ଼ିଲେ ଏକ ନିଶ୍ୱାସରେ-

 

ଆଗରୁ ପ୍ରଫୁଲ୍ଲବାବୁଙ୍କର ଟିକଟ କିଣା ସରିଥିଲା, ତେଣୁ ବିବ୍ରତ ହେବାର କୌଣସି କାରଣ ନ ଥିଲା...ସେ ସ୍ଥିର ହୋଇ ବସି ରହିଲେ ସିମେଟ ବେଞ୍ଚ ଉପରେ । ଗାଡ଼ି ଆସିବାକୁ ଆଉ ପାଞ୍ଚ ମିନିଟ ବାକି । ଦ୍ୱିତୀୟ ଘଣ୍ଟା ସଂକେତ ଜଣେଇ ସାରିଲାଣି; ହଠାତ୍‌ ଝଡ଼ପରି ପ୍ଳାଟଫର୍ମ ବାହାରୁ ଜଣେ ବଳିଷ୍ଠକାୟ କଳା ପୋଷାକଧାରୀ ଯୁବକ ପ୍ରବେଶ କଲା ପ୍ଳାଟଫର୍ମ ଭିତରକୁ...ଦୂରରୁ ଦେଖିଲେ-ମନେ ହେଉଥିଲା ସେ ଯେପରି କାହାରି ସଂଧାନ ନେବାରେ ବ୍ୟସ୍ତ ଅଛି ।

 

ପ୍ରଫୁଲ୍ଲବାବୁଙ୍କ ତୀକ୍ଷ୍ଣ ଆଖି ଦୁଇଟି-ସେଇ ଯୁବକ ପ୍ରତି ଆକର୍ଷଣ କଲା । ଯୁବକଟି ପୁଣି ଓୟେଟିଙ୍ଗରୁମ୍‌ ଭିତରକୁ ଫେରିଯାଇ ଖଣ୍ଡିଏ ସେକେଣ୍ଡକ୍ଲାସ୍ ଟିକଟ କିଣି ପୁଣି ଫେରି ଆସିଲା । ଟ୍ରେନ୍‌ ସେତେବେଳକୁ କଟକ ପ୍ଳାଟଫର୍ମରେ ଲାଗି ସାରିଥିଲା । ଲୋକାରଣ୍ୟ ହୋଇ ଉଠିଲା ପ୍ଳାଟଫର୍ମଟି । ଯେ ଯାହାର ଜିନିଷପତ୍ର ଧରି ଗାଡ଼ି ଭିତରେ ଚଢ଼ିବାରେ ବ୍ୟସ୍ତ...କାହାରି ପ୍ରତି କାହାର ଦୃଷ୍ଟି ନାହିଁ, ଦୃଷ୍ଟି ରହିଛି, କେବଳ ପ୍ରଫୁଲ୍ଲବାବୁଙ୍କର ସେଇ ଯୁବକଟି ଉପରେ । ଯୁବକଟି ଗୋଟିଏ ସେକେଣ୍ଡକ୍ଳାସ ଡବା ଭିତରେ ଉଠିବାର ଦେଖି ପ୍ରପୁଲ୍ଲବାବୁ ନିଜର ବ୍ୟାଗ୍‌ ଖଣ୍ଡି ଧରି ସେଇ ଡବାରେ ଚଢ଼ିଲେ...ସେଇ ଡବାରେ ବି ଆଗରୁ ଆଉ ଦୁଇଜଣ ମାରଓ୍ୟାଡ଼ି ଭଦ୍ରଲୋକ ବସିଥାନ୍ତି । କଲିକତାର ଯାତ୍ରୀ ସେମାନେ । ପୁରୀ ଅଭିମୁଖରେ ଯାତ୍ରା କରୁଛନ୍ତି । ଟ୍ରେନ ଭିତରେ ଚଢ଼ିବାର ଦୁଇ ତିନି ମିନିଟ ଭିତରେ ସେମାନଙ୍କ ସହିତ ପ୍ରଫୁଲ୍ଲବାବୁଙ୍କର ପରିଚୟ ହୋଇଗଲା । ଯୁବକଟି ଚୁପ୍‌ ହୋଇ ଗୋଟିଏ କଣରେ ବସିଥାଏ ।

 

କଟକ ଷ୍ଟେସନରେ ମାଡ୍ରାସ ମେଲର ଷ୍ଟପେଜ ପନ୍ଦର ମିନିଟ । ପନ୍ଦର ମିନିଟ ପରେ ଟ୍ରେନ ଦୂରନ୍ତ ବେଗରେ ଛୁଟି ଚାଲିଲା । ଆଗରେ ଖୋରଧାରୋଡ଼ ଜଙ୍କସନ୍‌ । ତା ପୂର୍ବରୁ ଭୁବନେଶ୍ୱର ଷ୍ଟେସନରେ ପାଞ୍ଚ ମିନିଟ ପାଇଁ ଟ୍ରେନ ରହିବ... । ଭୁବନେଶ୍ୱରରେ ସେ କମ୍ପାଟମେଣ୍ଟରୁ ଓହ୍ଲାଇବାର ଯାତ୍ରୀ କେହି ନଥିଲେ; ତେଣୁ ସମସ୍ତେ ନିଜ ନିଜର ଆସନ ଜମେଇ ବସି ରହିଲେ ।

 

ଯୁବକଟି ନୀରବ ରହିବା ଦେଖି ପ୍ରଫୁଲ୍ଲବାବୁଙ୍କର ସନ୍ଦେହର ମାତ୍ରା ଆହୁରି ବଢ଼ିଗଲା...ସେ ନିଦ ଆସିବା ଛଳନା କରି ଢୁଳେଇବାକୁ ଆରମ୍ଭ କଲେ । ସେ ଦରଖୋଲା ଆଖିରେ ମଝିରେ ମଝିରେ ଦେଖୁଥାନ୍ତି-ତାଙ୍କୁ ଯିମିତି ସେ ଯୁବକଟି ଲକ୍ଷ୍ୟ କରୁଛି ।

 

ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରେ ପାଞ୍ଚ ମିନିଟ ହଲ୍‌ଟ କରି ଖୋରଧାରୋଡ଼ ଜଙ୍କସନ ଅଭିମୁଖରେ ଯାତ୍ରା କଲା । ୟାଭିତରେ ମାରୁଓ୍ୟାଡ଼ି ଭଦ୍ରଲୋକ ଦୁଇଜଣ ଘୁମେଇ ପଡ଼ିଥାନ୍ତି । ଯୁବକଟି କିନ୍ତୁ, ସେହିପରି ସତେଜ ଅବସ୍ଥାରେ ରହି ପ୍ରଫୁଲ୍ଲବାବୁଙ୍କୁ ଲକ୍ଷ୍ୟ କରିବାରେ ଲାଗିଥାଏ । ଏହିପରି ଅବସ୍ଥାରେ ଅଧଘଣ୍ଟେ ସମୟ କଟିଗଲା । ଟ୍ରେନ୍‌ ଖୋରଧାରୋଡ଼ ଜଙ୍କସନ୍‌ ନିକଟବର୍ତ୍ତୀ ହୋଇ ଆସିବାରୁ ମାରୁଓ୍ୟାଡ଼ି ଭଦ୍ରଲୋକ ଦୁଇଜଣଙ୍କୁ ପ୍ରଫୁଲ୍ଲବାବୁ ଉଠାଇ ଦେଲେ । ମାରୁଓ୍ୟାଡ଼ି ଭଦ୍ରଲୋକ ଦ୍ୱୟ ଉଠି ବସି ନିଜର ଜିନିଷପତ୍ର ସଜାଡ଼ିବାରେ ଲାଗିଲେ । ଟ୍ରେନ ଆସି ଖୋରଧାରୋଡ଼ ଷ୍ଟେସନରେ ଲାଗିଲା । ମାରୁଓ୍ୟାଡ଼ି ଭଦ୍ରଲୋକ ଦୁଇଜଣ ପ୍ରଫୁଲ୍ଲବାବୁଙ୍କୁ ନମସ୍କାର ଜଣେଇଁ ନିଜର ଜିନିଷପତ୍ର ଧରି ସେକେଣ୍ଡକ୍ଳାସ ବିଶ୍ରାମାଗାର ଅଭିମୁଖରେ ଚାଲିଲେ । ସେମାନଙ୍କ ପଛେ ପଛେ ଯୁବକଟି ମଧ୍ୟ ନିଜର ବ୍ୟାଗ୍‌ଟି ଧରି ପଶ୍ଚାତ୍‌ଧାବନ କଲା.... । ପ୍ରଫୁଲ୍ଲବାବୁ ଯୁବକର ଉଦ୍ଦେଶ୍ୟ କିଛି ମାତ୍ର ବୁଝି ପାରିଲେନି....

 

ଖୋରଧାରୋଡ଼ ଜଙ୍କସନରୁ ଗାଡ଼ି ଅଧଘଣ୍ଟାଏ ପରେ ଛାଡ଼ିବ...ପ୍ରଫୁଲ୍ଲବାବୁଙ୍କ ଆଖିକି ନିଦ ଜୋରରେ ଧରି ଆସୁଥାଏ...ଚା’ ବାଲାକୁ ଡାକି ଦୁଇଅଣେ ପଇସା ଦେଇ କପେ ଚା ପିଇଲେ ନିଦର ଝୁଙ୍କକୁ କମେଇବାକୁ....ଚା’ ର ପ୍ରଭାବରେ ନିଦର ପ୍ରକୋପ ସତକୁ ସତ କମିଗଲା । ପ୍ରଫୁଲ୍ଲବାବୁ ଏକାକୀ ସେଇ କମ୍ପାଟମେଣ୍ଟ ଭିତରେ ବସି ରହି ଯୁବକର କଥା ଭାବିବାକୁ ଲାଗିଲେ । ନୀରବତା ଭିତରେ ଅଧଘଣ୍ଟାଏ ବିତିଯାଇଚି । ଗାଡ଼ି ଛାଡ଼ିବାର ଘଣ୍ଟା ବାଜି ସାରିଲାଣି । ପ୍ଳାଟଫର୍ମରୁ କୋଳାହଳ କମିଗଲାଣି । ମିନିଟ୍‌କ ପରେ ଗାଡ଼ି ଚାଲିବାକୁ ଆରମ୍ଭ କଲା ମାଡ୍ରାସ ଲାଇନରେ । ପ୍ରଫୁଲ୍ଲବାବୁ ନିର୍ଜନ କମ୍ପାଟମେଣ୍ଟ ଭିତରେ ବସି ରହି ଦେଖିବାକୁ ଲାଗିଲେ ସେହି ଯୁବକଟି ପୁଣି ପଛ କମ୍ପାଟମେଣ୍ଟରେ ଉଠୁଚି । ନିକଟରେ ଆଉ ମାଡ୍ରାସ୍‌ମେଲ୍‌ର ଷ୍ଟପେଜ କୋଉଠି ନାହିଁ...ବାରଟା ଷ୍ଟେସନ ପାର ହେଲେ ଦୁଇମିନିଟ ପାଇଁ ରମ୍ଭା ଷ୍ଟେସନରେ ରହିବ...ସେଥିପାଇଁ ଡ୍ରାଇଭର ଗାଡ଼ିର ସ୍ପିଡ଼୍‌ ବଢ଼ାଇ ଦେଇଚି । ଗୋଟିକ ପରେ ଗୋଟିଏ ଷ୍ଟେସନ ପାର ହୋଇ ଟ୍ରେନ୍‌ ଯେତେବେଳେ ଗଞ୍ଜାମ ସରହଦ ନିକଟରେ ହୁଏ ସେତେବେଳେ ଗାଡ଼ିର ଗତି କ୍ରମଶଃ କମିବାକୁ ଆରମ୍ଭ କଲା...ପ୍ରଫୁଲ୍ଲବାବୁ ବିସ୍ମିତ ହୋଇ ଉଠିଲେ ।

 

ସାଙ୍ଗେ ସାଙ୍ଗେ କାଚ ଝରକା ଖୋଲି ଦେଖିଲେ, ଭାଲେରୀ ପାହାଡ଼ ନିକଟରେ ଗାଡ଼ି ଅଟକି ଯାଇଚି । କାରଣ କଣ କିଛି ବୁଝି ନପାରି ସାହସର ସହିତ ନିଜର ରିଭଲରଭଟିକୁ ଭଲକରି ପରୀକ୍ଷା କରିନେଇ ତଳକୁ ଡେଇଁ ପଡ଼ିଲେ...ସେତେବେଳକୁ ଗାଡ଼ିର ଚାଳକ ଗାର୍ଡ଼ ପ୍ରଭୃତି ଆଲୁଅ ଜଳେଇ ଦଉଡ଼ି ଆସୁଛନ୍ତି । ସେମାନଙ୍କ ସହିତ ଆହୁରି କେତେଜଣ ସାହସୀ ଯାତ୍ରୀ ମଧ୍ୟ ଯୋଗ ଦେଇଚନ୍ତି । ପ୍ରଫୁଲ୍ଲବାବୁ ସେମାନଙ୍କ ନିକଟକୁ ଯାଇ କାରଣ ପଚାରିଲେ ବ୍ୟଗ୍ରହୋଇ । ଗାର୍ଡ଼, କେହି ଚେନ୍‌ ଟାଣି ଗାଡ଼ି ଅଟେକେଇଚି ବୋଲି ଜଣାଇଲେ । ଗାର୍ଡଙ୍କ ସହିତ ଗୋଟିଏ ପରେ ଗୋଟିଏ କମ୍ପାଟ୍‌ମେଣ୍ଟ ତନଖ କରି ଶେଷରେ ଗୋଟିଏ ଫାଷ୍ଟକ୍ଲାସ କମ୍ପାଟ୍‌ମେଣ୍ଟରେ ଦେଖିଲେ ଚେନ୍‌ ଟଣା ହୋଇଚି, ଏବଂ ଜଣେ ଯୁବକ ମୃତ ଅବସ୍ଥାରେ ଏବଂ ଗୋଟିଏ ଯୁବତୀ ଅଚେତ ଅବସ୍ଥାରେ ପଡ଼ିଚନ୍ତି...। ପ୍ରଫୁଲ୍ଲବାବୁଙ୍କର ସନ୍ଦେହର ମାତ୍ରା ଆଉ ରହିଲାନି । ସେ ପ୍ରକୃତ ହତ୍ୟାକାରୀ କିଏ ଜାଣିପାରିଥିଲେ । ସେ ଗାର୍ଡ଼କୁ ନିଜର ପରିଚୟ ଦେଇ ଏ ବିପଦସଙ୍କୁଳ ନିର୍ଜନ ଜଙ୍ଗଲ ଜାଗାରୁ ଗାଡ଼ିକୁ ଶୀଘ୍ର ଚଳେଇ ନେବାକୁ ଉପଦେଶ ଦେଇଥିଲେ ।

 

ଗାର୍ଡ଼ ଆଉ ସମୟ ଡେରି ନ କରି ଯୁବକ ଯୁବତୀ ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ତାଙ୍କ କମ୍ପାଟ୍‌ମେଣ୍ଟକୁ ନେଇ ଆସିଲେ...ଟ୍ରେନ୍‌ ପୁଣି ଚାଲିଲା ଦୂରନ୍ତ ଗତିରେ ।

 

 

ବ୍ରହ୍ମପୁର ଜେନେରଲ ହସ୍‌ପିଟାଲର ସ୍ପେସାଲ୍‌ ଓ୍ୟାର୍ଡ଼ର ଏଗାର ନମ୍ୱର ରୁମ୍‌ରେ ଆହତ ଯୁବତୀଟି ଅଚେତନ ଅବସ୍ଥାରେ ପଡ଼ି ରହିଥିଲା । ସିଭଲ୍‌ସର୍ଜନ ମିଶ୍ରବାବୁ ଚିକିତ୍ସାର ସୁବ୍ୟବସ୍ଥା କରିଦେଇ ଆଉଟ୍‌ ଡୋରକୁ ଜରୁରୀ କାମରେ ଯାଇଚନ୍ତି । ଏଇ ଅବସରରେ ପଙ୍କଜବାବୁ ପ୍ରଫୁଲ୍ଲବାବୁଙ୍କ ସହିତ ସିଭିଲ୍‌ସର୍ଜନ ମିଶ୍ର ବାବୁଙ୍କୁ ସାକ୍ଷାତ କରିବା ପାଇଁ ହସ୍‌ପିଟଲ୍‌ ଭିତରକୁ ପଶିଆସିଲେ । ମିଶ୍ରବାବୁ ପଙ୍କଜବାବୁଙ୍କୁ ଦେଖି ସାରି କାର୍ଯ୍ୟବ୍ୟସ୍ତତା ଭିତରେ ମଧ୍ୟ ସେମାନଙ୍କ ସହିତ ପ୍ରଥମେ ବୈଠକ ରୁମ୍‌ ଭିତରକୁ ଚାଲିଗଲେ ।

 

ସିଭିଲ୍‌ ସର୍ଜନଙ୍କ ବୈଠକ ରୁମ୍‌ ଭିତରକୁ ସାଧାରଣ ଲୋକ କେହି ଅନୁମତି ନ ନେଇ ପ୍ରବେଶ କରନ୍ତି ନି । ସେଥିଲାଗି ଆଲୋଚନା କରିବାକୁ ଉପଯୁକ୍ତ ସ୍ଥାନ ମନେକରି ତିନୋଟି ଚଉକି ଟାଣି ଆଣି ତିନିଜଣଯାକ ବସି ପଡ଼ିଲେ ।

 

...ଗଭୀର ଆଲୋଚନା ଚାଲିଲା । ପଙ୍କଜବାବୁ ଖୁବ୍‌ ଉଦ୍‌ବିଘ୍ନ ହୋଇ ପଚାରିଲେ-‘‘ଆପଣଙ୍କର ସେ ଯୁବତୀ ସମ୍ୱନ୍ଧରେ କଣ ଧାରଣା ଡାକ୍ତର ବାବୁ ?

 

ରୋଗ ଠଉରେଇବା ଛଡ଼ା ମଣିଷ ଚିହ୍ନିବାରେ ମୋର ଅଭିଜ୍ଞତା ନିହାତି କମ୍‌ ମି:ଦାସ କହିଲେ । ‘ସିଭଲ୍‌ ସର୍ଜନ ମିଶ୍ରବାବୁ’

 

ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ପାରିବେ ?

 

‘‘ପଚାରନ୍ତୁ, ପାରିବି ଯଦି ଉତ୍ତର ଦେବି ।’’

 

ଯୁବତୀଠାରୁ ବହୁମୂଲ୍ୟ ଅଳଙ୍କାର ଦସ୍ୟୁ ନ ନେଇ ଏପରି ସଂଜ୍ଞାହୀନ ଅବସ୍ଥାରେ ଛାଡ଼ିଦେଇ ଚାଲିଯିବାର କାରଣ ଏବଂ ଯୁବକଟିକୁ ଏପରି ନୃସଂଶଭାବରେ ହତ୍ୟାକରିବାର କାରଣ କଣ ?

 

ମୋର ଯାହା ଅନୁମାନ କୌଣସି ଗୋଟିଏ ଗୁପ୍ତରହସ୍ୟ ଧରା ପକାଇବା ଉଦ୍ଦେଶ୍ୟରେ ଏହା କରାଯାଇଚି କହିଲେ ଡାକ୍ତର ।

 

ଆପଣଙ୍କ ଉତ୍ତରରେ ଅନେକଟା ବାସ୍ତବତା ଅଛିବୋଲି ମୋର ମଧ୍ୟ ଧାରଣା ହେଉଚି । ତେବେ ସ୍ପଷ୍ଟ ସବୁକଥା ବୁଝିହେବ ଯୁବତୀଟିର ସଂଜ୍ଞା ଆସିବା ପରେ ।

 

ନିଶ୍ଚୟ ତାଙ୍କଠାରୁ ସମସ୍ତ ଘଟଣା ଶୁଣିବାପର ଆପଣ ସବୁକଥା ବୁଝି ପାରିବେ, ଏ ବିଶ୍ୱାସ ମୋର ରହିଚି ।

 

ତେବେ ଚାଲନ୍ତୁ ଟିକିଏ ସେଠିକି ଯିବା । ଅବସ୍ଥାଟା କେଉଁ ଆଡ଼କୁ ଗତି କରିଛି ଦେଖି ସାରିଲା ପର ଯାହା କିଛି ବ୍ୟବସ୍ଥା କରିବାକୁ ହେବ ।

 

ସିଭିଲିସର୍ଜନ ହାତବନ୍ଧା ଘଡ଼ିକି ଦେଖି କହିଲେ, ‘‘ଆପଣ ଆଗରେ ସେଠିକି ଚାଲନ୍ତୁ’’ ମୁଁ ବର୍ତ୍ତମାନ ଗୋଟିଏ ଜଟିଳ ରୋଗୀର ବ୍ୟବସ୍ଥା ବୁଝିନେଇ ଦଶମିନିଟ ଭିତରେ ଯାଉଛି ।

 

ପଙ୍କଜବାବୁ ଆଉ ଆପତ୍ତି ନକରି ପ୍ରଫୁଲ୍ଲବାବୁଙ୍କ ସହିତ ସ୍ପେଶାଲ ଓ୍ୟାର୍ଡ଼କୁ ଚାଲିଲେ ।

 

ସିଭିଲସର୍ଜନ ମିଶ୍ରବାବୁ ମଧ୍ୟ ଦ୍ରୂତଗତିରେ କକ୍ଷ ତ୍ୟାଗକରି ନିଜ କାମରେ ଚାଲିଗଲେ ।

 

ହସପିଟାଲର ଚତୁର୍ଦ୍ଦିଗ ଲୋକାରଣ୍ୟ । ଯେ ଯାହାର କର୍ମ ଜଞ୍ଜାଳ ଭିତରେ ବ୍ୟସ୍ତ । କାହାରି ପ୍ରତି କାହାରି ଲକ୍ଷ୍ୟ ନାହିଁ । ହତା ଭିତରେ ଗୋଟିଏ ଝଂକା ଆମ୍ୱ ଗଛମୂଳେ ଛିଡ଼ା ହେଇଚି ଗୋଟିଏ ଭିକାରୀ । ମଳିନ ବେଶ-ମୁଣ୍ଡରେ କୋଉ ଯୁଗରୁ ତେଲ ଲାଗିଚିକି ନାଁ ସନ୍ଦେହ । ଅତି ରୁଗ୍‌ଣ । ଦେଖିଲେ ମନେହେଉଚି ଏଇ ଚାରି ପାଞ୍ଚଦିନ ଭିତରେ ତାର ପ୍ରାଣବାୟୁ ଉଡ଼ି ଶୂନ୍ୟରେ ମିଶିଯିବ । କାହାରି ପ୍ରତି ତାର ଲକ୍ଷ୍ୟ ନାହିଁ, କେବଳ ଲକ୍ଷ୍ୟ ରହିଚି ପଙ୍କଜବାବୁଙ୍କ ଉପରେ ।

 

ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁ ଦୁହେଁ ସେଇ ବାଟ ଦେଇ ଚାଲିଯିବା ସମୟେ ଭିକାରୀଟି ବଡ଼ କରୁଣ କଣ୍ଠରେ ଡାକିଲା ବାବୁ !

 

ପଙ୍କଜବାବୁ ଫେରି ଚାହିଁଲେ ତାରିଆଡ଼କୁ । ପୁଣି ଭିକାରୀଟି ଡାକିଲା ସେଇ କଣ୍ଠରେ ।

 

ପଙ୍କଜବାବୁ ପ୍ରଫୁଲ୍ଲବାବୁଙ୍କ ସହିତ ଆଗେଇଲେ ତାରି ନିକଟକୁ ।

 

ଭିକାରୀଟି ଗୋଟିଏ ଭକ୍ତିପୂର୍ଣ୍ଣ ନମସ୍କାର ପକେଇ ଖଣ୍ଡିଏ ଲଫାପା ବଢ଼ାଇଦେଲା ।

 

ପଙ୍କଜବାବୁ ବିସ୍ମିତ ହୋଇ ଉଠିଲେ ଭିକାରୀର ଏତାଦୃଶ ଅଭିନୟରେ । ସେ ଆଉ ମୁହୂର୍ତ୍ତେ ଡେରି ନକରି ଲଫାପାଟି ଚିରି ପଢ଼ିବାକୁ ଆରମ୍ଭ କଲେ । ସେ ଦୁଇ ମିନିଟ ଭିତରେ ଚିଠିଟିକୁ ପଢ଼ିସାରି ପ୍ରଫୁଲ୍ଲଙ୍କ ହାତକୁ ବଢ଼ାଇ ଦେଇ କହିଲେ–ପଢ଼ ପ୍ରଫୁଲ୍ଲ, ଜୀବନର ପ୍ରଥମ ଅନୁଭୂତି ଏ ।

 

ପ୍ରଫୁଲ୍ଲ ଆଶ୍ଚର୍ଯ୍ୟ ହୋଇ ଚିଠିଟିକୁ ମନୋଯୋଗ ସହକାରେ ପଢ଼ିବାରେ ଲାଗିଲେ । ପଙ୍କଜବାବୁ ଚଳଚିତ୍ର ଦେଖିଲାପରି ସେଇ ବୃଦ୍ଧ ଭିକାରୀଟିକୁ ଅନାଇ ରହିଥାନ୍ତି । ଭିକାରୀଟି ମଧ୍ୟ ସେଇପରି ନିର୍ବିକାର ଭାବରେ ଠିଆହୋଇ ରହିଥାଏ । କାହାରି ମୁହଁରେ ଭାଷା ନାହିଁ ।

 

ଦୀର୍ଘ ଦଶମିନିଟ କାଳ ଏହିପରି ନୀରବରେ ତିନିଜଣଯାକଙ୍କର କଟିଗଲା ।

 

ପଙ୍କଜବାବୁ ଭିକାରୀ ନିକଟକୁ ଯାଇ ସ୍ନେହବୋଳା କଣ୍ଠରେ ପଚାରିଲେ, ‘‘ହଇରେ ବୁଢ଼ା, ତୁ ଏ ଚିଠିଟି କେଉଁଠୁ ପାଇଲୁ ?’’

 

ଆପଣ ଆସିବା ପୂର୍ବରୁ ଜଣେ ବାବୁ ମୋତେ ଏଇଟାକୁ ଦେଇଗଲେ ।

 

-ତୁ ଏଟାକୁ ଅନ୍ୟ କାହାକୁ ନଦେଇ ଆମକୁ କାହିଁକି ଦେଲୁ ?

 

‘ସେ ବାବୁ ପରା ଆପଣଙ୍କୁ ଦେବାକୁ ମୋତେ ଦେଇଗଲେ ଆଉ କାହାକୁ ଦିଅନ୍ତି କେମିତି ?’’

 

ତୁ କଣ ଆମକୁ ଚିହ୍ନିଥିଲୁ ?

 

ବାବୁ ! ଆପଣଙ୍କୁ ଯିଏ ନ ଚିହ୍ନେ ସେ କଣ ମଣିଷ ? ଆପଣ କଣ ମୋତେ ଚିହ୍ନି ପାରୁ ନାହାନ୍ତି ବାବୁ ?

 

‘‘ନାଁ ତ, ବଡ଼ ବିସ୍ମିତ ହୋଇ କହିଲେ ପଙ୍କଜବାବୁ ।

 

ବଡ଼ଲୋକ ଆପଣ, ଅନେକଦିନର କଥା କାହିଁକି ଆପଣଙ୍କର ମନେ ଥିବ । ତେବେ ମୋ ନାଁଟା ବୋଧେ ଆପଣଙ୍କ ଡାଇରି ଖାତାରେ ଥିବ । ମୋ ନାଁ, ପାଣୁଆ ।

 

‘‘ଏଁ, ପାଣୁ ନାହାକ ତୁ ?

 

-ହଁ ଆଜ୍ଞା, ମୁଁ ପାଣୁ ନାହାକ । ଆପଣଙ୍କ ଆଖିରେ ଚୋର, ଡକାୟତ, ପାଜି, ସଇତାନ, କହିଲା ବଡ଼ ବ୍ୟଥିତ କଣ୍ଠରେ ।

 

‘‘ତୁ ଏଠି, ଇମିତି ଅବସ୍ଥାରେ ? ପଚାରିଲେ ପଙ୍କଜବାବୁ ।

 

ଆଉତ ସେ ବଳ ବୟସ ନାହିଁ । ଦୀର୍ଘ ବାରବର୍ଷ ଜେଲର ହାଡ଼ଭଙ୍ଗା ଖାଟିଣି ଭିତରେ ମୋର ସବୁ ବଳ ଚୁନା ହୋଇ ଯାଇଚି । ଯାହା ବି ଥିଲା ସେତକ ଜନ୍ମମାଟିକି ଫେରିଲା ପରେ ଯାଇଚି । ବର୍ତ୍ତମାନ ବାରବୁଲା ଫକିର ମୁଁ । ଗଛମୂଳେ ଦରିଆ କିନାରା ମୋର ବସା ।

 

ଶୁଣୁଚ ପ୍ରଫୁଲ୍ଲ ! ପାଣୁଆର କଥା ? ୟେ ପାଣୁଆଁ ନାଁ ପଡ଼ିଲେ ଗାଁ ଗହଳର ଲୋକଙ୍କର ଛାତି ଥରିଉଠେ ଆଜି ତାର ଏ ଦୂରବସ୍ଥା ।

 

ମଣିଷର ସବୁଦିନ ସମାନ ଯାଏନା ସାର୍‌ । ଦିନ ପରେ ରାତି–ରାତିପରେ ଦିନ ଏ ସୃଷ୍ଟିର ଧରାବନ୍ଧା ନିୟମ ।

 

ତୁ କଣ ଖାଇଚୁ ପାଣୁଆ ? ପଚାରିଲେ ପଙ୍କଜବାବୁ ।

 

ଖାଇଚି ବାବୁ, ଆଉ ରାତିକ ପାଇଁ ସେ ବାବୁଙ୍କଠୁଁ ଟଙ୍କାଟିଏ ରୋଜଗାର କରି ନେଇଚି-

 

ସେ ବାବୁଙ୍କୁ ତା ହେଲେ ନିଶ୍ଚୟ ଚିହ୍ନିଛୁ ?

 

ହଁ, ‘ବଣିଆ’ ମୁଁ ସୁନା ନ ଚିହ୍ନି କାରବାର କରୁଥିଲି ?

 

‘‘ତୋତେ ମଧ୍ୟ ସେ ଚିହ୍ନିଥିବେ ?’’

 

‘‘ନିଶ୍ଚୟ ଚିହ୍ନିଥିବେ, ନଇଲେ ରାସ୍ତାରେ ତାଙ୍କୁ ଆଉ କେହି ଲୋକ କଣ ମିଳି ନଥାନ୍ତେ ଏ ଚିଠି ଆପଣଙ୍କ ପାଖକୁ ପଠାଇ ଦେବାକୁ ? ମୁହଁରେ ହସ ଖେଳେଇ କହିଲା ପାଣୁଆ ।’’

 

ତୁ ତେବେ ତାଙ୍କର ସନ୍ଧାନ ଦେଇ ପାରିବୁ ?

 

‘‘ତା ମୁଁ ପାରିବିନି ବାବୁ ! କହିଲା ପାଣୁଆ ।’’

 

‘‘କାହିଁକି ?’’

 

‘‘ମୁଁ ପରା ସିନ୍ଦିକାଠି ଚୋର, ସେମାନେ ପରା ଡାକୁ ସରଦାର ଡାକି ହାକି ଚୋରି କରିବେ ।’’

 

ଆମେ ନିରିବୁଧିଆ ବୋଲି ଆପଣମାନଙ୍କ କବଳରେ ପଡ଼ିଥିଲୁ । ସେମାନେ କାହିଁକି ପଡ଼ିବେ । ଯାଆନ୍ତୁ ବାବୁ ଶୀକାର ହାତରୁ ଖସିଯିବ । ଅଯଥା ମୋ ସହିତ ଜମାନବନ୍ଦୀରେ ଆପଣଙ୍କର କିଛିମାତ୍ର ଲାଭ ହେବ ନି ।

 

ପାଣୁଆର କଥାକୁ ପଙ୍କଜବାବୁ ଅବିଶ୍ୱାସ ମଣିଲେନି । କାରଣ ପାଣୁଆର ରୂପଭେକ ଦେଖି ତାଙ୍କର ସଂନ୍ଦେହୀ ଆଖି ଦୂରରୁ ଦୂରରେ ରହିଥିଲା । ସେ ସେଠାରେ ଆଉ ବିଳମ୍ୱ ନକରି ପାଣୁଆକୁ ଟଙ୍କାଟିଏ ବକ୍‌ସିସ୍‌ ବଢ଼ାଇଦେଇ ଆଗେଇ ଚାଲିଲେ ସ୍ପେଶାଲ ଓ୍ୟାର୍ଡ଼ର ଏଗାର ନମ୍ୱର ରୁମ୍‌ ଆଡ଼କୁ ।

 

ପାଣୁଆ ମନେମନେ ହସି ତା ଚଲା ବାଟରେ ଆଗେଇ ଚାଲିଲା ।

 

ସାତ

 

ଡାକ୍ତରଖାନାର ସ୍ପେଶାଲ ଓ୍ୟାର୍ଡ଼ ଏଗାର ନମ୍ୱର ରୁମ୍‌ରେ ପଙ୍କଜବାବୁଙ୍କୁ ସର୍ଜନ ମିଶ୍ର ଅପେକ୍ଷା କରି ଦଶମିନିଟ ହେଲା ଆସି ବସିଲେଣି । ଯୁବତୀର ପୂର୍ଣ୍ଣମାତ୍ରାରେ ସଂଜ୍ଞା ଫେରିଆସିଚି-। ଠିକ୍‌ ଏତିକିବେଳେ, ରୁମ୍‌ ଭିତରକୁ ପଶିଆସିଲେ ପଙ୍କଜବାବୁଙ୍କ ସାଙ୍ଗରେ ପ୍ରଫୁଲ୍ଲବାବୁ ।

 

ସର୍ଜନ ମିଶ୍ର, ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁଙ୍କୁ ସମ୍ମାନ ଜଣେଇ ପାଖରେ ପଡ଼ିଥିବା ଚଉକି ଦୁଇଟିରେ ବସିବାକୁ ଅନୁରୋଧ କଲେ । ପଙ୍କଜବାବୁ ଆସନ ଗ୍ରହଣ କରି ପଚାରିଲେ, ‘‘ରୋଗୀର ଅବସ୍ଥା କିମିତି ଅଛି ?’’

 

ସମ୍ପୂର୍ଣ୍ଣ ସୁସ୍ଥ । ଉତ୍କଟ ମାରାତ୍ମକ ବିଷର ପ୍ରଭାବ ପୂରାମାତ୍ରାରେ କମିଯାଇଛି । ବର୍ତ୍ତମାନ ଆପଣ ଯାହାକିଛି କଥାଭାଷା କରିବାକୁ ଚାହାଁନ୍ତି କରିପାରନ୍ତି, କହିଲେ ସର୍ଜନ ମିଶ୍ର ।

 

ଧନ୍ୟବାଦ ଜଣେଇ, ପଙ୍କଜବାବୁ ଶଯ୍ୟାଶାୟୀ ଯୁବତୀଟିର ଆପାଦମସ୍ତକ ନିରୀକ୍ଷଣ କରି ପଚାରିଲେ, ‘‘କିମିତି ଅଛନ୍ତି ?’’

 

-ଭଲ ଅଛି ଆଜ୍ଞା, ଯୁବତୀଟି କ୍ଷୀଣକଣ୍ଠରେ ଉତ୍ତର ଦେଲା ହିନ୍ଦୀଭାଷାରେ ।

 

ବର୍ତ୍ତମାନ ଆପଣ ମୋ ସହିତ କଥାଭାଷା କରିବାକୁ ସକ୍ଷମ ତ ?

 

ଆପଣଙ୍କର ପରିଚୟ ?

 

ମୁଁ ଜଣେ ପୋଲିସ ବିଭାଗର କର୍ମଚାରୀ....ଆପଣଙ୍କର ଏ କେସ୍‌ର ତଦନ୍ତର ଭାର ମୋ ଭାଗରେ ପଡ଼ିଚି । ସେଥିପାଇଁ ଆସିଚି, ଆପଣଙ୍କ ନିକଟରୁ କେତୋଟି ପ୍ରଶ୍ନର ସମାଧିତ ଉତ୍ତର ପାଇବା ଆଶାରେ ।

 

ଯୁବତୀ ଅଭିବାଦନ ଜଣେଇ ନରମ କଣ୍ଠରେ କହିଲା, ପଚାରନ୍ତୁ ଆଜ୍ଞା, ଘଟିଥିବା ସମସ୍ତ ଘଟଣା ଟିକିନିଖି କରି କହିବି ।’

 

ପଙ୍କଜବାବୁ ଚେୟାରଟିକୁ ଯୁବତୀର ଶଯ୍ୟା ନିକଟକୁ ଟାଣିଆଣି ବସି ପଚାରିଲେ....‘‘ଆପଣଙ୍କର ପରିଚୟ ?’’

 

ମୋର ପରିଚୟ, ମୁଁ ଜଣେ କଲିକତାର ବିଶିଷ୍ଟ ବ୍ୟବସାୟୀଙ୍କର ସ୍ତ୍ରୀ; ଯାହାଙ୍କୁ କି ଗତ ରାତିରେ ଚଳନ୍ତା ଟ୍ରେନ୍‌ ଭିତରେ ହତ୍ୟା କରାଯାଇଚି ବଡ଼ ବ୍ୟଥିତ କଣ୍ଠରେ ଉତ୍ତର ଦେଲା ଯୁବତୀ-

 

ଆପଣଙ୍କ ସ୍ୱାମୀଙ୍କର ନାମ ଓ ପୂରା ଠିକଣା, ପଚାରିଲେ ପଙ୍କଜବାବୁ ।

 

ମୋ ସ୍ୱାମୀଙ୍କର ନାଁ ରାମନାଥ ଅଗରଓ୍ୟାଲା । ଘର ଶାମବଜାର ନିକଟସ୍ଥ ଚିତ୍ରା ବାଇସ୍କୋପ ନିକଟରେ ।

 

ଟିକିଏ ଚିନ୍ତାକରି ପୁଣି ପଙ୍କଜବାବୁ ପଚାରିଲେ-‘‘ଆପଣମାନେ କଲିକତା ଛାଡ଼ି କୁଆଡ଼ିକି ଯାଉଥିଲେ ଏବଂ କାହିଁକି ?’’

 

ମୋ ସ୍ୱାମୀଙ୍କର ଭାରତର ପ୍ରତ୍ୟେକ ସହର ସହିତ ବ୍ୟବସାୟ ସଂପର୍କ ଥିଲା । ମୋର ଅନେକ ଦିନରୁ ମାନ୍ଦ୍ରାଜ ସହର ଦେଖିବାର ଅଭିଳାଷ ଥିଲା । ତେଣୁ, ସେ ଆସିବା ସମୟରେ ମୁଁ ତାଙ୍କ ସହିତ ସହଯାତ୍ରୀ ହୋଇଥିଲି କହିଲା ଯୁବତୀ ।

 

ଆପଣଙ୍କ ସହିତ ଅନ୍ୟ କେହି ସେଇ କମ୍ପାଟମେଣ୍ଟରେ ହାଓଡ଼ାଠାରୁ ଉଠିଥିଲେ କି ?

 

ହଁ, ଦୁଇଜଣ ଭଦ୍ରଲୋକ ଆମ ସହିତ କଟକ ପର୍ଯ୍ୟନ୍ତ ସେଇ କମ୍ପାଟମେଣ୍ଟରେ ବସି ଆସିଥିଲେ ।

 

ତା ପର ?

 

ସେମାନେ କଟକ ଷ୍ଟେସନରେ ଓହ୍ଲାଇ ଚାଲିଗଲେ । କଟକଠାରୁ ଆମେ ଦୁହେଁ ସେଇ କମ୍ପାଟମେଣ୍ଟରେ ଆସୁଛୁ ।

 

‘‘ସେମାନଙ୍କ ଭିତରୁ ଆପଣଙ୍କର ବା ଆପଣଙ୍କ ସ୍ୱାମୀଙ୍କର କେହି ଜଣାଶୁଣା ଥିଲେ ?’’ ପଚାରିଲେ ପଙ୍କଜବାବୁ...

 

ବୋଧେ ନୁହେଁ....କାରଣ, ଯଦି ମୋ ସ୍ୱାମୀଙ୍କ ସହିତ ତାଙ୍କର ଜଣାଶୁଣା ଥାନ୍ତା ତେବେ ଟ୍ରେନ ପାଖରେ ଦେଖିଲାବେଳୁ ସେମାନଙ୍କ ସହିତ କଥାଭାଷା ଆରମ୍ଭ କରିଥାନ୍ତେ ନିଶ୍ଚୟ ।

 

ତା’ ତ ନିଶ୍ଚୟ । ତେବେ, ବ୍ୟବସାୟୀ ଲୋକ ବ୍ୟବସାୟ ସଂକ୍ରାନ୍ତରେ ଯିବାବେଳେ ଅନ୍ୟ ସହିତ ଜାଣିଶୁଣି କମ୍‌ କଥାଭାଷା କରନ୍ତି-ଆଉ ଯାହା ବି କରନ୍ତି ଖୁବ୍‌ କମ୍‌ । କାରଣ ନିଜର କ୍ଳୁ କାଳେ କିଏ ଜାଣି ଫାଇଦା ଉଠେଇ ନେବ ଏଇ ଭୟରେ । ସେଥିପାଇଁ ଆପଣଙ୍କ ସ୍ୱାମୀ ବୋଧେ ନୀରବ ଥିବେ । ଆଉ ତା ଛଡ଼ା, ଆପଣ ଯେ ସାଙ୍ଗରେ ଥିଲେ.....ପରିଚିତ ବ୍ୟକ୍ତି ମଧ୍ୟ କଥାଭାଷା କରିବାକୁ ସୁବିଧା ପାଇ ନଥିବେ ।

 

ଏପ୍ରକାର ଯୁକ୍ତିରେ ଯୁବତୀ ଅସ୍ଥିରତା ଅନୁଭବ କଲାଭଳି ପଙ୍କଜବାବୁ ଲକ୍ଷ୍ୟ କରିପାରି ପଚାରିଲେ, ଆଚ୍ଛା କହନ୍ତୁ–

 

ଆପଣଙ୍କର ବା ଆପଣଙ୍କ ସ୍ୱାମୀଙ୍କର ଶତ୍ରୁ କଲିକତାରେ କେହି ଥିଲେ କି ?

 

ଥାଇ ପାରନ୍ତି, ଅସମ୍ଭବ କଣ ? ବ୍ୟବସାୟୀଙ୍କ ଭିତରେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ରହିଚି । ସେଇ କାରଣରୁ କୌଣସି ଲୋକ ମୋ ସ୍ୱାମୀଙ୍କର ଶତ୍ରୁ ହୋଇ ପାରିଥାନ୍ତି । ଆଉ, ମୋ ବିଷୟରେ ଆପଣ ନିଃସନ୍ଦେହ ରହିବା ଉଚିତ । କାରଣ ମୋତେ ଘର ଛାଡ଼ି ଏକା ବାହାରକୁ ଯିବାକୁ ମୋ ସ୍ୱାମୀ ସୁଯୋଗ ଦିଅନ୍ତିନି । ତେଣୁ, ବାହାରର ଅନ୍ୟ ଲୋକ ସହିତ ମୋର କୌଣସି ସଂପର୍କ ନଥାଏ ।

 

ବିବାହ ପୂର୍ବରୁ କାହା ସହିତ ଆପଣଙ୍କର ସଂପର୍କ ଥିଲା କି ?

 

ଯାହା ବା ଥିଲା ସେ ସବୁ କିଛି ନୁହେଁ, ଆଉ ସେ ସବୁ ଆପଣଙ୍କର ଜାଣିବା କିଛି ଲାଭ ନାହିଁ ।

 

ପଙ୍କଜବାବୁ ଯୁବତୀର କଥା ଶୁଣି ମନେ ମନେ ହସିଉଠି କହିଲେ, ‘‘ଆଚ୍ଛା, ଏଥର କହନ୍ତୁ, ଆପଣଙ୍କ ସ୍ୱାମୀଙ୍କୁ କିପରି ହତ୍ୟା କରାଗଲା ?

 

ଯୁବତୀ ବଡ଼ କରୁଣସ୍ୱରରେ କହିବାକୁ ଆରମ୍ଭକଲା...ଖୋରଧାରୋଡ଼ ଜଙ୍କସନ ପାରହୋଇ ଯେତେବେଳେ ମାଡ଼୍ରାସମେଲ ଦୂରନ୍ତ ବେଗରେ ଛୁଟି ଚାଲିଚି ସେତେବେଳେ ଆମେ ଗୋଟାଏ ଉତ୍କଟ ଗନ୍ଧ ଅନୁଭବ କଲୁ । ଆମର ଧାରଣା ହେଲା ଏହା ଗାଡ଼ି ପାଇଖାନାର ଗଂଧ । କ୍ରମେ ଗଂଧ ଉତ୍କଟତ୍ତର ହେଲା । ଆମେ ସେଇ ଉତ୍କଟ ଗଂଧର ଆଘ୍ରାଣରେ ଅଥୟ ହୋଇପଡ଼ିଲୁ-। ବିଶ୍ରାମ ନେବାପାଇଁ ଆମେ ଦୁହେଁ ଆଗରୁ କମ୍ପାଟମେଣ୍ଟର ଲାଇଟ୍‌ ଲିଭାଇ ଦେଇଥିଲୁ । ମୋର ଅସ୍ଥିରତା ଦେଖି ସେ ନିଜ ସିଟ୍‌ରୁ ଉଠି ସୁଇଚ୍‌ ଟିପି ଆଲୋକ ଜଳାଇବାକୁ ସୁଇଚ୍ ନିକଟକୁ ଗଲେ-। କିନ୍ତୁ, ଆଶ୍ଚର୍ଯ୍ୟର କଥା, ଆଗରୁ ଇଲେକ୍‌ଟ୍ରିକ୍ ତାର କେହି କାଟି ଦେଇଥିଲା । ସ୍ୱାମୀ ମୋର ଉପାୟହୀନ ହୋଇ ଟ୍ରଙ୍କ ଖୋଲି ନିଜର ଟର୍ଚ୍ଚ ବାହାର କରିବାକୁ ଯାଉଛନ୍ତି ହଠାତ୍‌ ଦେଖିବାକୁ ପାଇଲେ ଆମ ଦୁଇଜଣଙ୍କୁ ଲକ୍ଷ୍ୟକରି ମୁଖାପିନ୍ଧା ଦୁଇଜଣ ବଳିଷ୍ଠକାୟ ଯୁବକ ପିସ୍ତଲ ହାତରେ ଦୃଢ଼କଣ୍ଠରେ କହୁଚନ୍ତି, ‘‘ହ୍ୟାଣ୍ଡସଅପ୍‌’’, ବୃଥା ଚେଷ୍ଟା କରନା । ସ୍ୱାମୀ ମୋର ସାହସୀ ଲୋକ । ସେ ସେମାନଙ୍କ କଥା ପ୍ରତି ଭ୍ରୂକ୍ଷେପ ନକରି ଟ୍ରେନରେ ଥିବା ବିପଦ ଚେନ୍‌ ଟାଣିଦେବା ସମୟେ ଦସ୍ୟୁ ପିସ୍ତଲର ଗୁଳି ତାଙ୍କର ବକ୍ଷ ଭେଦକଲା । ସେ ଚିତ୍କାର କରି ଢଳିପଡ଼ିଲେ । ତାଙ୍କର ଅବସ୍ଥା ଦେଖି ମୁଁ ଚିତ୍କାର କରି ପ୍ରାଣ ଭୟରେ ମୂର୍ଚ୍ଛିତ ହୋଇ ପଡ଼ିଲି । ତା’ପର କଣ ଘଟିଛି ମୁଁ ଜାଣେନା । ସଂଜ୍ଞା ଫେରିପାଇବା ପର ଦେଖୁଛି, ମୁଁ ଆସି ବ୍ରହ୍ମପୁର ହାସ୍‌ପିଟାଲରେ ଚିକିତ୍ସିତ ହେଉଛି ।

 

ପଙ୍କଜବାବୁ ସମସ୍ତ ଘଟଣା ଶୁଣିବାପର ସହାନୁଭୂତି ଦେଖାଇ କହିଲେ, ‘ଆପଣଙ୍କ ପ୍ରତି ଅଦୃଷ୍ଟର ଅଭିଶାପ ।’ ବର୍ତ୍ତମାନ ଆଉ ସେ ସବୁ ଭାବି କିଛି ଲାଭ ନାହିଁ । ଏ ଜନ୍ମରେ ଆଉ ଆପଣଙ୍କର ସ୍ୱାମୀଙ୍କି ଫେରି ପାଇବେ ନି । ବର୍ତ୍ତମାନ କଣ କଲେ ସୁଖରେ ଅବଶିଷ୍ଟ ଜୀବନ କଟେଇ ପାରିବେ ଚିନ୍ତା କରନ୍ତୁ ।

 

ମଥାର ସିନ୍ଦୁର ଯେତେବେଳେ ଲିଭିଛି ଆଉ ଏ ଜୀବନରେ ସୁଖ କେଉଁଠୁ ଆସିବ ? ଖାଲି ଜଳିପୋଡ଼ି ମରିବା ସାର ହେବ ।

 

ବର୍ତ୍ତମାନ ଆପଣ କଣ କରିବାକୁ ଚାହାନ୍ତି କହନ୍ତୁ, ମୁଁ ଆପଣଙ୍କୁ ସାହାଯ୍ୟ କରିବି, କହିଲେ ପଙ୍କଜବାବୁ ।

 

ମୋତେ କଲିକତାକୁ ନିରାପଦରେ ପଠେଇଦେଇ ପାରିଲେ ସୁଖୀ ହେବି ସାର୍‌ । ଦୟାକରି ମୋତେ ଏତିକି ସାହାଯ୍ୟ କରନ୍ତୁ ।

 

ନିଶ୍ଚୟ କରିବି । ଆପଣ ସେଥିଲାଗି ଚିନ୍ତା କରନ୍ତୁ ନାହିଁ । କିନ୍ତୁ ଏ ସବୁ ଅନ୍ତତଃ ଚାରି ଛଅଦିନ ପରେ । ମୁଁ ବର୍ତ୍ତମାନ ପୋଲିସ୍‌ଭ୍ୟାନ୍‌ ପଠେଇ ଥାନାକୁ ନେଇ ଯାଉଛି । ସେଠି ଆପଣ ନିରାପଦରେ ରହି ବିଶ୍ରାମ ନିଅନ୍ତୁ । ମୁଁ ଆଉ କିଛି ଆପଣଙ୍କ ସ୍ୱାମୀଙ୍କ ବିଷୟରେ ତଦନ୍ତ ଶେଷ କରି ଆପଣଙ୍କୁ ନିଜେ ନେଇ କଲିକତାରେ ଛାଡ଼ିଦେଇ ଆସିବି । ଆସୁଚି ମୁଁ-ପୋଲିସ ଲରି ଆସିଲେ ଆପଣଙ୍କୁ ଡାକ୍ତରବାବୁ ସମସ୍ତ ବନ୍ଦୋବସ୍ତ କରି ପଠାଇ ଦେବେ । ଭୟରେ ନିଜକୁ ଲୁଚେଇ ରଖିବା ଲାଗି କୃତଜ୍ଞତା ଜଣାଇଲା ଯୁବତୀ ।

 

-ଡାକ୍ତରବାବୁ, ପ୍ରଫୁଲ୍ଲବାବୁ ଓ ପଙ୍କଜବାବୁଙ୍କ ସହିତ ବାହାରକୁ ଆସି ପଚାରିଲେ ‘କଣ ଲକ୍ଷସ୍ଥଳରେ ପହୁଞ୍ଚିଛନ୍ତି ?’’

 

ଲକ୍ଷ୍ୟ ଯେ ମୋର ଅବ୍ୟର୍ଥ ଡାକ୍ତରବାବୁ । ଦେଖନ୍ତୁ, ସାବଧାନସହକାରେ ଯୁବତୀ ପ୍ରତି କଡ଼ା ଜଗୁଆ ରଖନ୍ତୁ । ଅନ୍ତତଃ ଏଠୁ ଆମପାଖକୁ ପଠେଇଲା ପର୍ଯ୍ୟନ୍ତ; ନହେଲେ ନିଜ ମୁଣ୍ଡ ଉପରେ ପଡ଼ିବ ।

 

ଶୀଘ୍ର ଆପଣ ନେଇଯିବାର ବନ୍ଦୋବସ୍ତ କରନ୍ତୁ । ମୁଁ ଏ ରୋଗୀଝମେଲା ଭିତରେ ପଡ଼ି କେତେ ବା ତା ପ୍ରତି ନଜର ଦେବି, କହିଲେ ସର୍ଜନ ମିଶ୍ର ।

 

ଚିନ୍ତା କରନ୍ତୁନି । ମୁଁ ଶୀଘ୍ର ବ୍ୟବସ୍ଥା କରୁଚି । ପୋଲିସ୍‌ସାହେବ ଆସିଗଲେ ଲାସ୍‌ଟାକୁ ଜଳାଇ ଦେବେ, ନମସ୍କାର ଜଣାଇ ବିଦାୟ ନେଲେ ।

 

ଆଠ

 

ଗତ ରାତିର ଘଟଣା ସହରର ଚାରିଆଡ଼େ ବିଦ୍ୟୁତ୍‌ପରି ଖେଳି ଯାଇଛି । ଯା ମୁହଁରେ ଶୁଣିବ ସେଇ କଥା । ପୋଲିସବାଲାଙ୍କ ଅପାରଗତା ଫଳରେ ଲୋକଙ୍କ ଆଖିରେ ସମସ୍ତ ପୋଲିସ ହୋଇ ଉଠିଛନ୍ତି ଚକ୍ଷୁଶୂଳ । ୟ’ଠି କୌଣସି ପାଲିସ୍‌ବାଲା ଆସି ପହଞ୍ଚି ଯାଉଛନ୍ତି ସେ’ଠି ଶୁଣିବାକୁ ପାଉଛନ୍ତି ବିଦ୍ରୂପର ଅସହ୍ୟ ଲାଞ୍ଛନା ତିରସ୍କାର ।

 

ଆଗରୁ ଗୋଟାକ ପରେ ଗୋଟାଏ ଡକାୟତି ହେବା ଫଳରେ ସର୍ବସାଧାରଣ ଧନ ଜୀବନ ଉପରେ ବିପଦ ମଣୁଚନ୍ତି । ବିଭିନ୍ନପ୍ରକାର ପତ୍ରପତ୍ରିକାରେ ନାନାଭାବରେ ସଂବାଦ ପ୍ରକାଶ ପାଇବା ସତ୍ତ୍ୱେ ସରକାର ତା ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରୁ ନଥିଲା ପରି ଜନସାଧାରଣ ମନେ କରୁଚନ୍ତି । କିନ୍ତୁ, ପ୍ରକୃତରେ ତା’ନୁହେଁ । ସରକାରଙ୍କ ପକ୍ଷରୁ ଦସ୍ୟୁଦଳକୁ ଧରିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ କୌଣସିଟା କାର୍ଯ୍ୟକାରୀ ହୋଇ ପାରୁ ନଥିବାରୁ ପୋଲିସ୍‌ ଡିପାର୍ଟମେଣ୍ଟ ଓ ସରକାରଙ୍କ ପ୍ରତି ଲୋକଙ୍କର ବିତୃଷ୍ଣା ଜନ୍ମିଛି ।

 

ବ୍ରହ୍ମପୁର ଟାଉନ୍‌ ଥାନାରେ ପୋଲିସ୍‌ ସୁପରିଟେଣ୍ଡଣ୍ଟଙ୍କ ସହିତ ଓଡ଼ିଶାର ବିଖ୍ୟାତ ଗୁଇନ୍ଦା ଇନ୍‌ସପେକ୍‌ଟର ପଙ୍କଜବାବୁଙ୍କର ଗଭୀର ଆଲୋଚନା ଚାଲିଚି । ଓଡ଼ିଶାର ବିଭିନ୍ନ ଯାଗାରେ ଏଇପରି ନୋଟିସ୍‌ ଦିଆ ଚୋରି, ବିଶେଷତଃ ବ୍ରହ୍ମପୁର ପରି ସହରରେ ଏକାଦିକ୍ରମେ ଦୁଇ ତିନୋଟି ଏକପ୍ରକାର ଚୋରି ହୋଇ ଜନସାଧାରଣଙ୍କୁ ଆତଙ୍କିତ କରି ସାରିଲାଣି । ପଙ୍କଜବାବୁଙ୍କ ଆଖିରେ ଧୂଳିଦେଇ, ଦସ୍ୟୁ ଅତି ସାହସର ସହିତ ଚାଲିଯାଇ ପାରିଥିବାରୁ ପୋଲିସ୍‌ ଅଫିସରମାନେ ଦସ୍ୟୁଦଳଙ୍କ ପଛରେ ଲାଗିବାକୁ ସାହସ କରିପାରୁ ନାହାନ୍ତି । ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଏ ସଂପର୍କରେ ନାନା କଥା ପଚାରି ପଙ୍କଜବାବୁଙ୍କୁ ମଝିରେ ମଝିରେ ବିବ୍ରତ କରି ପକାଉଚନ୍ତି । ଠିକ୍ ଏତିକିବେଳେ ଜଣେ ସଙ୍ଗୀନଧାରୀ ସିପାହି ପ୍ରବେଶ କରି ସାମରିକ କାଇଦାରେ ସଲାମ କରି ଦଣ୍ଡାୟମାନ ହେଲା ।

 

ପୋଲିସ ସୁପରିଟେଣ୍ଡେଣ୍ଟ ପଚାରିଲେ-‘‘କଣ ଖବର ?’’

 

‘‘ବଡ଼ ଡାକ୍ତରଖାନାରୁ ଆସାମୀକୁ ଆଣି ଥାନାହାଜତରେ ରଖିଚୁ ।’’

 

‘‘ଆସାମୀ ? ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ମୁହଁରେ ପ୍ରଶ୍ନବାଚକ ।

 

‘‘ହଁ, ସାର, ସେଇ ଯୁବତୀଟି । ଯା’ କଥା ବର୍ତ୍ତମାନ ଆପଣଙ୍କୁ କହୁଥିଲି, କହିଲେ ପଙ୍କଜବାବୁ ।’’

 

ଓ, ହଁ, ମୁଁ ଅନ୍ୟ ଆଲୋଚନା ଭିତରେ ବ୍ୟସ୍ତରହି ସେ କଥା ଭୁଲି ଯାଇଥିଲି । ଆଚ୍ଛା ବେଶ୍‌ କରିଚ । ତାକୁ ଖୁବ୍‌ କଡ଼ା ନଜରରେ ରଖ ! ଟିକିଏ ପରେ ମୁଁ ପଙ୍କଜବାବୁଙ୍କ ସହିତ ଯାଉଚି-

 

ସାମରିକ କାଇଦାରେ ସଲାମ ଠୁଂକି ସିପାହିଟି ଚାଲିଗଲା । ପୁଣି ଆଲୋଚନାରେ ଉଭୟେ ଭାଗ ନେଲେ ।

 

ପୋଲିସ ସୁପରିଟେଣ୍ଡେଣ୍ଟ ପଚାରିଲେ, ‘‘ଆଚ୍ଛା, ମିଷ୍ଟର ଦାସ ! ମୋର କାହିଁକି ଯେପରି ମନେହେଉଚି ଏ ସବୁ ରହସ୍ୟ ଭିତରେ ଆମ ଏଠିକାର ଲୋକ ସଂପୃକ୍ତ ଅଛନ୍ତି ବୋଲି ?’’

 

ତା’ତ ନିଶ୍ଚୟ କଥା । କାରଣ-ମୃତବ୍ୟକ୍ତି ମାରଓ୍ୟାଡ଼ି ପରି ମାଲୁମ ହେଉଥିଲେ ମଧ୍ୟ ଏ ସ୍ତ୍ରୀଲୋକଟି ଯେ ଓଡ଼ିଆ ଘରର ଝିଅ ଏକଥା ସ୍ପଷ୍ଟ ।

 

କିମିତି ଆପଣ ଏତେ ଶୀଘ୍ର ଏଇ ସିଦ୍ଧାନ୍ତରେ ପହୁଞ୍ଚି ପାରିଲେ ? ବଡ଼ ବିସ୍ମୟକର ଭଂଗିରେ ପଚାରିଲେ ସୁପରିଟେଣ୍ଡେଣ୍ଟ ସାହେବ ।

 

ସେ ଯଦି ଓଡ଼ିଆ ନହୋଇ ମାରଓ୍ୟାଡ଼ି ହୋଇଥାନ୍ତା ତେବେ ଏତେ ସୁନ୍ଦର ଓଡ଼ିଆ କହି ପାରନ୍ତାନି; ନିଶ୍ଚୟ ନା ନିଶ୍ଚୟ ହିନ୍ଦୀ କିମ୍ବା ବଙ୍ଗଳା ମିଶ୍ରିତ ଓଡ଼ିଆଭାଷା ତା ତୁଣ୍ଡରୁ ବାହାରି ପଡ଼ନ୍ତା-। ମୁଁ ଦୀର୍ଘ ସମୟ ତା ସହିତ କଥାଭାଷା କରିସାରିବା ପର ମୋର ଧାରଣା ବଦ୍ଧମୂଳ ହୋଇଯାଇଛି-। ଆଉ, ୟାଛଡ଼ା ଅନ୍ୟ କଥା ମଧ୍ୟ ରହିଛି ।

 

କଣ ? ବଡ଼ ଆଗ୍ରହଭରା କଣ୍ଠରେ ପଚାରିଲେ, ପୋଲିସସାହେବ ।

 

ଶୁଣନ୍ତୁ, ଏ ସ୍ତ୍ରୀଲୋକଟି ମୋ ଆଗରେ କହିଚି, ସେମାନେ ମାଡ଼୍ରାସ ଅଭିମୁଖରେ ଯାତ୍ରା କରୁଥିଲେ ବୋଲି । କିନ୍ତୁ, ପ୍ରକୃତରେ ତା’ନୁହେଁ–ତା ଅଜ୍ଞାତରେ ମୁଁ ତାଙ୍କ ବେଡ଼ିଂ ଭିତରୁ ସର୍ଚ୍ଚ କରି ଦେଖିଚି ଦୁଇଟି ଫାଷ୍ଟକ୍ଲାସ୍‌ ଟିକେଟ ହାଓଡ଼ାରୁ ବ୍ରହ୍ମପୁରକୁ କଟାଯାଇଥିଲା ଏବଂ ସେମାନେ ପ୍ରକୃତରେ ମାଡ଼୍ରାସ ନଯାଇ ବ୍ରହ୍ମପୁର ଆସୁଥିଲେ । ବାଟରେ ତାଙ୍କରି ଦଳର କେହି ଲୋକ କୌଣସି ନାଁ କୌଣସି କାରଣରୁ ନିଜର ସ୍ୱାର୍ଥ ସିଦ୍ଧି ଆଶାରେ ପୁରୁଷଟିକୁ ହତ୍ୟା କରି ସ୍ତ୍ରୀଲୋକଟିକୁ ବିଷଦ୍ୱାରା ଅଚେତନ କରିଦେଇ ପଳାଇଚି ।

 

ହତ୍ୟାକାରୀ ଏପରିଭାବରେ କିଛି ଜିନିଷପତ୍ର ନନେଇ ଶୂନ୍ୟ ହସ୍ତରେ ପଳାଇବାର ଉଦ୍ଦେଶ୍ୟ ? ପଚାରିଲେ ସୁପରିଟେଣ୍ଡେଣ୍ଟ ସାହେବ ।

 

ହତ୍ୟାକାରୀର ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ଧରାପକେଇବା, କହିଲେ ପଙ୍କଜବାବୁ ।

 

ଠିକ୍ ଠଉରେଛନ୍ତି ଆପଣ । ଆଉ ୟାଛଡ଼ା, ହତ୍ୟାକାରୀର ଚିଠି ମଧ୍ୟ ୟା’ର ଜ୍ୱଳନ୍ତ ପ୍ରମାଣ ଦଉଚି ।

 

ତାହେଲେ ପ୍ରଥମେ ଆପନ୍ନା ସ୍ୱାମୀର ହୋଟେଲ ଉପରେ ତୀବ୍ର ଦୃଷ୍ଟି ଦିଅନ୍ତୁ, କହିଲେ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ।

 

ହଁ ସାର ! ମୁଁ ମଧ୍ୟ ସେଇଆ ଆଗରୁ ଠିକ୍‌ କରିଚି । ଆଜି ରାତି ସିନେମା ଭାଙ୍ଗିବା ପରେ ସଦଳବଳେ ଯାଇ ତାର ହୋଟେଲ ଖାନ୍‌ତଲାସ କରିବୁ ।

 

ହଁ, ଠିକ୍‌ ତାହାହିଁ କରନ୍ତୁ । ଆଉ ତା’ ଛଡ଼ା ନିକଟରେ ଥିବା ବେଶ୍ୟାପଡ଼ା ଉପରେ ମଧ୍ୟ ପୂରା ନଜର ଦିଅନ୍ତୁ । ସେଠି ମଧ୍ୟ ଦସ୍ୟୁଦଳ ଛଦ୍ମବେଶରେ ଆତ୍ମଗୋପନ କରିପାରନ୍ତି । ୟାପରେ ମୁଁ ମଧ୍ୟ ନୀରବ ହୋଇ ବସୁନି । ଆଜି ମୁଁ ମଧ୍ୟ କଲିକତା ସି.ଆଇ.ଡ଼ି. ବିଭାଗରେ ଉଚ୍ଚ ଅଫିସରଙ୍କ ନିକଟକୁ ଗୋରାବଜାରରେ ଥିବା ଏହି ମହିଳାର ସ୍ୱାମୀ ସଂପର୍କରେ ସଠିକ ଖବର ବୁଝିବାକୁ ଚେଷ୍ଟା କରୁଚି । ତେଣୁ ଯାହା ଉତ୍ତର ଆସିବ ମୁଁ ଶୀଘ୍ର ଆପଣଙ୍କୁ ଜଣାଇବି ।

 

ପଙ୍କଜବାବୁ ସୁପରିଟେଣ୍ଡେଣ୍ଟ ସାହେବଙ୍କ ଆଦେଶ ପୂରାମାତ୍ରାରେ କାର୍ଯ୍ୟକାରୀ କରିୟାର ବିଶଦ୍‌ବିବରଣୀ ଶୀଘ୍ର ଜଣାଇବେ ବୋଲି କହିଲେ ।

 

ପୋଲିସ୍‌ସାହେବ ପରିଶେଷରେ ସେ ସ୍ତ୍ରୀଲୋକକୁ କଡ଼ା ନଜର ଉପରେ ରଖିବାକୁ ଆଦେଶ ଦେଇ ଯିବାକୁ ବାହାରିଲେ ।

 

-ନଅ-

 

ସେଦିନ ରାତି ଦଶଟା ବାଜି ସାରିଥାଏ । ବସାରେ ରାତି ଖିଆ ପିଆ ସାରି ପ୍ରଫୁଲ୍ଲ ବାବୁଙ୍କ ସହିତ ପଙ୍କଜବାବୁ ନିଜର କୃତ୍ରିମବେଶ ପରିଧାନକରି ପ୍ରସ୍ତୁତ ହୋଇ ପଡ଼ିଲେ । ଆଗରୁ ପୋଲିସ ସାହେବଙ୍କ କଡ଼ା ଆଦେଶରେ ପୋଲିସ ବାହିନୀ ଖୁବ୍‌ ତତ୍‌ପର ହୋଇ ଗଳିକନ୍ଦି ଭିତରେ ପଇଁତରା ମାରୁଥାନ୍ତି । ପଙ୍କଜବାବୁ ଫୋନ୍‌ ଯୋଗେ ଟାଉନ୍‌ଥାନା ଅଫିସରଙ୍କୁ ତାଙ୍କର ଶୁଭଯାତ୍ରା ଜଣେଇ ଦେଇ ପ୍ରଫୁଲ୍ଲବାବୁଙ୍କ ସହିତ ବାହାରି ପଡ଼ିଲେ ।

 

ଅମାବାସ୍ୟା ପରି ଗାଢ଼ ଅନ୍ଧାକାର ରାତ୍ରି, ମୁହଁକୁ ମୁହଁ ଦିଶୁନି । ସେଇ ଅନ୍ଧକାର ରାତ୍ରିରେ ନିଶାଚର ବେଶରେ ଦୁଇଜଣ ଗୁଇନ୍ଦା ଆଗେଇ ଚାଲିଲେ ମେନ୍‌ ରୋଡ଼ ଉପରକୁ । ଉଭୟଙ୍କର ବେଶ ଏପରି ଅଦ୍‌ଭୁତ ଧରଣର ହୋଇଥିଲା ଯେ ବାହାରର ଯେ କୌଣସି ଲୋକ ଦେଖିଲେ ମନେକରିବ–ଏମାନଙ୍କୁ ପଂଜାବୀ ଲୋକ ବୋଲି ।

 

ଦୁହେଁ ପଂଜାବୀ ଭାଷାରେ କଥାଭାଷା ହୋଇ ଆଗେଇ ଚାଲିଲେ ବାରାକ୍‌ସ ଆଡ଼ିକି । ବାରାକ୍‌ସ ଆଉ ଅଳ୍ପ ବାଟ । ରାସ୍ତା କଡ଼ରେ ଥିବା ଗୋଟିଏ ଝଙ୍କାଗଛ ମୂଳେ ଠିଆ ହେଇଚି ପାଣୁଆ । ଦିହିଙ୍କର ନଜର ପଡ଼ିଲା ପାଣୁଆ ଉପରେ । ଏମାନେ ଭାବିଲେ ପାଣୁଆ ୟାଙ୍କୁ ଦେଖିନାହିଁ । କିନ୍ତୁ, ପାଣୁଆର ତୀକ୍ଷଣ ଦୃଷ୍ଟିରୁ ଯେ ଏମାନେ ଅବ୍ୟାହତି ପାଇ ନାହାନ୍ତି ଏକଥା ଭାବି ପାରି ନଥିଲେ । ପାଣୁଆ ଆଗପରି ବଡ଼ କରୁଣ କଣ୍ଠରେ ଡାକିଲା, ବାବୁ !

 

ଦୁହେଁ ଚମକି ପଡ଼ି ଫେରି ଚାହିଁଲେ ପଛକୁ–ଦେଖିଲେ ପାଣୁଆ ଡାକୁଚି । ଆଉ ଏମାନଙ୍କର ନ ଫେରିବାର ସାଧ୍ୟ ନାହିଁ । ସେ ଦୁହେଁ ପାଣୁଆ ପାଖକୁ ଆଗେଇଲେ । ପାଣୁଆ ଭକ୍ତିପୂର୍ଣ୍ଣ ନମସ୍କାରଟିଏ ପକେଇ ପଚାରିଲା–କୁଆଡ଼ିକି ବିରାଜମାନ କରୁଛନ୍ତି ବାବୁ ?

 

କିରେ ତୁ ପାଣୁଆ କିରେ ? ହଁ, ବାବୁ, ମୁଁ ପାଣୁଆ–ପାଜି, ବଦମାସ, ଚୋର ଆପଣଙ୍କ ସାଥିରେ ।

 

ଆମକୁ ଚିହ୍ନି ପାରିଲୁ ? ହସିହସି ପଚାରିଲେ ପଙ୍କଜବାବୁ ।

 

ବୟସ ବଳସିନା କମିଯାଉଚି–ଆଖି ଶକ୍ତିତ କମିଯାଇନି ବାବୁ । ଆପଣମାନଙ୍କ ପିଛା ଧରି ଧରି ପରା ଦୀର୍ଘ ଚାଳିଶ ବର୍ଷ କଟେଇ ଦେଇଚି ? ଚିହ୍ନି ନ ପାରିବି କିମିତି ? ହସି ଉଠିଲେ ପଙ୍କଜବାବୁ ।

 

କଥାଟା କଣ ମନକୁ ପାଇଲାନି-ବାବୁ ? ପଚାରିଲା ପାଣୁଆ ।

 

-ବେଶ୍‌ ପାଇଚି । କଣ ଖବର କହ ? କାଇଁକି ଆମ ଅନୁକୂଳ ଭାଙ୍ଗିଲୁ ?

 

ଅନୁକୂଳତ ଆଗରୁ ଭାଙ୍ଗି ଯାଇଚି ବାବୁ... । ମିଛରେ ରାତିସାରା ମଶା ଦାଉରେ ଛଟପଟ ହେବେ କାଇଁକି ? ଶୀକାରତ ଆଗରୁ ଖସିଗଲାଣି, ବସାକୁ ଫେରନ୍ତୁ ।

 

କଣ କହୁଚୁ ତୁ ?

 

ସତ କହୁଚି ବାବୁ ! ଆପଣ ଆପନ୍ନାସ୍ୱାମୀ ହୋଟେଲକୁ ଯାଉଛନ୍ତି ପରା ? ଯାଆନ୍ତୁ-ମୋ କଥା ସତକି ମିଛ ପରଖି ବୁଝିବେ, କହିଲା ପାଣୁଆଁ ।

 

ପାଣୁଆର କଥାରେ ପଙ୍କଜ ବାବୁ ବିସ୍ମିତ ହୋଇ ପ୍ରଫୁଲ୍ଲବାବୁଙ୍କ ଆଡ଼କୁ ଅନାଇଁ ରହିଲେ ।

 

ପ୍ରଫୁଲ୍ଲବାବୁ ପଙ୍କଜବାବୁଙ୍କର ଭାବାନ୍ତର ଉପସ୍ଥିତ ହେବା ଦେଖି କହିଲେ, ଆଉ ଭାବୁଛନ୍ତି କଣ ସାର୍‌-ବର୍ତ୍ତମାନ ଶୀକାର କେଉଁ ଦିଗକୁ ଯାଇଚି ପାଣୁଆକୁ ପଚାରି ବୁଝନ୍ତୁ । ପାଣୁଆକୁ ଆମର ଗୁରୁ ନକଲେ କାର୍ଯ୍ୟୋଦ୍ଧାର ଅସମ୍ଭବ । ପାଣୁଆ ହସି ଉଠିଲା ।

 

ପଙ୍କଜବାବୁ ପାଣୁଆକୁ ପଚାରିଲେ, ‘‘ଆଚ୍ଛା ପାଣୁଆ, ଶୀକାର କେଉଁ ଦିଗକୁ ଏବଂ କେଉଁଠିକି ଯାଇଚି କହିପାରିବୁ ?

 

କହିପାରିବି ଯେ ବାବୁ–ହେଲେ ଆପଣଙ୍କୁ ମୋତେ ଆଗ ପରୀକ୍ଷା କରିବାକୁ ପଡ଼ିବ ।

 

ହଉ କର, କହିଲେ ପଙ୍କଜବାବୁ ।

 

ପେଟତ ଜଳୁଚି ପଥର ଘର ଛାଡ଼ିବା ଦିନୁ ? ଗଲା କାଲି ଟଙ୍କାଟିଏ ରୋଜଗାର କରିଥିଲି । ଆଜି ଆଉ କିଛି ମିଳିନି । ମାଗିବାକୁ ଯାଇଥିଲି ସେଇ ମାନଙ୍କ ପାଖକୁ; ହେଲେ, କେଜାଣି କାଇଁକି ସେମାନେ ସନ୍ଦେହ କରି ମାଡ଼ ଦେଇ ତଡ଼ିଦେଲେ । ଦେଖୁନାହାନ୍ତି ମୋ ପିଠି କିମିତି ଫାଟି ଯାଇଛି । କହୁ କହୁ କାନ୍ଦି ପକେଇଲା ପାଣୁଆ ।

 

ପଙ୍କଜବାବୁଙ୍କ କଠିନ ମନ ଦୟାରେ ତରଳି ଗଲା । ସେ ସାଙ୍ଗେ ସାଙ୍ଗେ ପାଣୁଆର ହାତଧରି ଟାଣି ନେଇ ଚାଲିଲେ ହୋଟେଲ ଆଡ଼କୁ ।

 

-ଦଶ-

 

ରାତି ଏଗାରଟା ସେପାର । ବ୍ରହ୍ମପୁର ସହରର ପ୍ରଧାନ ରାସ୍ତା ଛଡ଼ା ଅନ୍ୟ ରାସ୍ତାଗୁଡ଼ିକ ସୁନ୍‌ ସାନ୍‌ ହୋଇଗଲାଣି । ଆକଣ୍ଠଭୋଜନପର, ପ୍ରଧାନ ରାସ୍ତା ଛାଡ଼ି ଅଂଧାରୁଆ ଗଳି ରାସ୍ତା ଦେଇ ଆଗରେ ବାଟ କଢ଼େଇ ଚାଲିଲା ପାଣୁଆ । ବଡ଼ ବଜାର ପାର ହେଲେ ମଙ୍ଗଳବାର ପେଟା, ବେଶ୍ୟାପଡ଼ା, ଗଳି କନ୍ଦି ଭିତରେ ବୁଲେଇ ବଙ୍କେଇ ପାଣୁଆ ନିର୍ଦ୍ଧିଷ୍ଟ ଜାଗାରେ ନେଇ ପଙ୍କଜବାବୁ ଓ ତାଙ୍କ ସହକର୍ମୀ ପ୍ରଫୁଲ୍ଲବାବୁଙ୍କୁ–ପହୁଞ୍ଚାଇ ଦେଇ ପଚାରିଲା, ‘‘ଏ ଯାଗା ବୋଧେ ଆପଣଙ୍କର ଅଚିହ୍ନା ନଥିବ ବାବୁ ?

 

‘‘କାହିଁକି, କଣ ହେଲାକି ?’’ ପଚାରିଲେ ପଙ୍କଜବାବୁ । ପାଣୁଆ ମୁରୁକି ହସା ଦେଇ କହିଲା, ‘‘ଏତେ ବଡ଼ ଜାଣିବାର ଲୋକଙ୍କୁ ମୋତେ ପୁଣି ବୁଝାଇବାକୁ ପଡ଼ିବ ? ହଉ, ବୁଝିଲେ ବାବୁ, ଏଇ ଯୋଉ ବଡ଼ ଦୋମହଲା କୋଠାଘରଟା ଦିଶୁନି, ସେଇଟା ହଉଚି-ସହରର ନାମକରା ବେଶ୍ୟା ମେନକାର ଘର । ଆପନ୍ନା ସ୍ୱାମୀର ଗୁପ୍ତନିବାସ ଏଠି । ରାତି ବାରଟା ପର ଆପନ୍ନାସ୍ୱାମୀର ଆସ୍ଥାନ ଏଇଠି ପଡ଼େ । ଆଜି ଆପନ୍ନାସ୍ୱାମୀ ଏଠାରେ ନାହିଁ ଜାଣି, ଆପଣମାନଙ୍କୁ ଡାକି ଆଣିଚି । ମୁଁ ବର୍ତ୍ତମାନ ଏଇଠୁ ବିଦାୟ ନେଇ ମୋଡ଼ ଛକ ଉପରେ ୟ’ ବରଗଛ ମୂଳେ ଚଉତରା ଅଛି ସେଇଠି ଚେଇଁ ଶୋଇ ପହରା ଦେଉଥିବି । ଆପଣ ଯାଆନ୍ତୁ ଆଜ୍ଞା, ଏଇ ମାତ୍ର ଠିକ୍‌ ସମୟ...ତା’ ଦୁଆର ମୁହଁରେ ଏପଟ ସେପଟ କିଛି ସମୟ ହେବାପର ଦେଖିବେ ଆପଣଙ୍କୁ ନେବାକୁ କେହି ଜଣେ ଆସି ଯୁଟିଯିବ । କିଛି ନଭାବି ତା ଆଗରେ ରସିକତା ଦେଖେଇ ମନକଥା ଖୋଲି କହିବେ । ସେ ଆପଣଙ୍କର ସବୁ ବନ୍ଦୋବସ୍ତ କରିଦେବ । ହଁ, କହିବାକୁ ଭୁଲି ଯାଉଚି, ମେନକା ଆଗରେ ଲକ୍ଷପତି ବୋଲି ନିଜକୁ ପରିଚୟ ଦେବେ । ସେ ଭାରି ଟଙ୍କାର ପିଆରା । ଟଙ୍କା ପାଇଲେ ମଣିଷକୁ ମାରିବାକୁ ମଧ୍ୟ ସେ ପ୍ରସ୍ତୁତ ହୋଇଯିବ । ଟଙ୍କା ପଇସା, ବେଶିକରି ଆଣିଛନ୍ତି ନା ପୁଣି ଯାଇ ଯୋଗାଡ଼ କରି ଆଣିବାକୁ ପଡ଼ିବ ?

 

ପଙ୍କଜବାବୁ ପ୍ରଫୁଲ୍ଲବାବୁଙ୍କ ଆଡ଼କୁ ଅନାଇଲେ ଉତ୍ତର ପାଇବା ଆଶାରେ....

 

ପ୍ରଫୁଲ୍ଲବାବୁ ପଙ୍କଜବାବୁଙ୍କ ମନର ଭାବ ବୁଝିପାରି କହିଲେ, ଚିନ୍ତା କରନ୍ତୁନି ସାର୍‌ । କାଳେ ଏଠିକି ଆସିବାକୁ ପଡ଼ିବ ଏଇ ଆଶାରେ ମୁଁ ଦୁଇଖଣ୍ଡ ଶହେଟଙ୍କିଆ ନୋଟ ଓ ମୋର ବ୍ୟାଙ୍କ ଚେକ୍‌ ଖାତାଟା ନେଇ ଆସିଛି । ପଙ୍କଜବାବୁ ଆନନ୍ଦରେ ବିହ୍ୱଳ ହୋଇ ପଡ଼ିଲେ ।

 

ଏତିକିବେଳେ ଜଣେ ଯୁବକ ସେଇ ଘର ଭିତରୁ କବାଟ ଖୋଲି ବାହାରକୁ ଆସିବାର ଦେଖାଗଲା.....ପାଣୁଆ ବ୍ୟଗ୍ରକଣ୍ଠରେ, କହି ଉଠିଲା, ‘‘ଶୀଘ୍ର ଏଠୁ ଯାଆନ୍ତୁ ଆଜ୍ଞା, ଶୁଭବେଳା ଗଡ଼ିଯାଉଚି ।

 

-ପ୍ରଫୁଲ୍ଲବାବୁଙ୍କ ସହିତ ପଙ୍କଜବାବୁ ଆଉ ଡେରି ନକରି ଆଗେଇଲେ । ପାଣୁଆ ଫେରିଲା ତା’ ଜାଗାକୁ । ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁଙ୍କୁ ଆଗନ୍ତୁକଟି ଦେଖିପାରି ପାଖକୁ ଆସି ପଚାରିଲେ, ‘‘କାହାକୁ ଖୋଜୁଚନ୍ତି’’ ?

 

-ପ୍ରଫୁଲ୍ଲବାବୁ ହିନ୍ଦୀଭାଷାରେ ଉତ୍ତର ଦେଲେ ରାତିଟା କେଉଁଠି ବିଶ୍ରାମ ନେବାକୁ ଚାହୁଛୁ ଯଦି କୌଣସି ସୁବିଧା ମିଳେ–

 

ଆଗନ୍ତୁକ ଯୁବକଟି ଏମାନଙ୍କର ମନର ଭାବ ବୁଝିପାରି ହିନ୍ଦୀ ଭାଷାରେ ଉତ୍ତର ଦେଲା, ଆସନ୍ତୁ ସେଠଜୀ, ଆପଣଙ୍କ ଲାଗି ସୁନ୍ଦର ଜାଗା ବନ୍ଦୋବସ୍ତ କରିଦେବି ।

 

‘‘ପ୍ରଫୁଲ୍ଲବାବୁ ଆଗନ୍ତୁକ ଯୁବକକୁ ଖୁସିକରିବା ଲାଗି ସଙ୍ଗେ ସଙ୍ଗେ ପକେଟରୁ ଦଶଟଙ୍କିଆ ନୋଟଟିଏ ବାହାର କରି ତା ହାତରେ ଗୁଞ୍ଜି ଦେଇ କହିଲେ, ‘‘ଦେଖ, ଆମେମାନେ ପଂଜାବର ବାସିନ୍ଦା ଏଠିକାର ହାଲଚାଲ କିଛି ଜାଣୁନି । ଆସିଥିଲୁ ଏ ଅଂଚଳରୁ କୁଲି ଯୋଗାଡ଼ କରି ଆମ ଅଂଚଳକୁ ନେବାପାଇଁ । ମନ ଖୁସି କରିବା ପାଇଁ ଏ ଆଡ଼ିକି ଚାଲି ଆସିଲୁ । ମନ ମୁତାବକ ଜିନିଷ ଯିମିତି ଆଣି ହାଜର କରିବ । ଟଙ୍କାପାଇଁ ଭାବନା କରିବନି ।

 

ପ୍ରଫୁଲ୍ଲବାବୁଙ୍କ କଥାରେ ଯୁବକର ମନ ଆନନ୍ଦରେ ନାଚି ଉଠିଲା । ସେ ହସି ହସି କହିଲା, ‘‘କିଛି ଚିନ୍ତା କରନ୍ତୁନି ସେଠଜୀ । ଆପଣଙ୍କର ମନ ଖୁସିକଲା ଭଳିଆ ପକ୍‌କା ଜିନିଷ ଆଣି ଚଖାଇବି । ଗୋଟାଏ ମିନିଟ୍‌ ଏଠି ଅପେକ୍ଷା କରନ୍ତୁ–ମୁଁ ଆସୁଚି କହି, ପୁଣି ଘର ଭିତରକୁ ପଶିଗଲା । ପ୍ରଫୁଲ୍ଲବାବୁ ଓ ପଙ୍କଜବାବୁ ମନେ ମନେ ହସି ଉଠିଲେ ।

 

ଗୋଟାଏ ମିନିଟ୍‌ର ବ୍ୟବଧାନ ଭିତରେ ପୁଣି ଯୁବକଟି ଫେରି ଆସି ସମାଦର ଦେଖାଇ ଦୁହିଁଙ୍କୁ ପାଛୋଟି ନେଇଗଲା । ପ୍ରଫୁଲ୍ଲବାବୁ ଓ ପଙ୍କଜବାବୁ ନିଜର ପ୍ରକୃତ ରୂପକୁ ଲୁଚାଇ ଦେଇ ତ ସହିତ ପାଦ ମିଳେଇ ଆଗେଇ ଚାଲିଲେ ଘର ଭିତରକୁ । ଘରେ ପ୍ରବେଶ କରିବା ମାତ୍ରେ ଦୁହିଙ୍କର ଆଖି ଝଲସି ଗଲା । ଗୋଟିକ ପରେ ଗୋଟିଏ ରୁମ୍‌ ପାର ହୋଇ ମେନକା ବେଶ୍ୟାର ବିଳାସଭବନ ଭିତରେ ପ୍ରବେଶ କଲେ ।

 

କକ୍ଷଟି ଆଧୁନିକ ଧରଣରେ ସୁସଜ୍ଜିତ । ସବୁବେଳେ ନୂତନତ୍ୱର ପରିଚୟ ଦେଉଚି । ଘରର ଚତୁର୍ଦ୍ଦିଗରେ ଗାନ୍ଧୀ ଜବହାରଲାଲଙ୍କ ଠାରୁ ଆରମ୍ଭ କରି ନଗ୍ନ ଚିତ୍ରତାରକା ମାନଙ୍କର ଛବି ମଧ୍ୟ ରଖା ଯାଇଛି । ଆଗନ୍ତୁକ ମାନଙ୍କ ମନୋରଞ୍ଜନ ଲାଗି ଏକମାତ୍ର ଲୀଳାକ୍ଷେତ୍ର ସେ । କକ୍ଷ ମଧ୍ୟରେ ପଡ଼ିଥିବା କୁସନ ଦିଆ ଚେୟାରରେ ବସି ଘରର ଚତୁର୍ଦ୍ଦିଗର ଶୋଭାକୁ ନିରୀକ୍ଷଣ କରିବାକୁ ଲାଗିଲେ । ମଦବୋତଲ ଠାରୁ ଚା’ ପିଆଲା ପର୍ଯ୍ୟନ୍ତ ସବୁଥିରେ ଭରି ରହିଚି ଅସୀମ ସୌନ୍ଦର୍ଯ୍ୟ । ମନେ ମନେ ମେନକାର ବୁଦ୍ଧିକୁ ପ୍ରଶଂସା କରିବାକୁ ଲାଗିଲେ ।

 

ଅଭ୍ୟର୍ଥନା ଜଣାଇଁ ଯୁବକଟି ଆଗନ୍ତୁକ ମାନଙ୍କୁ ବସାଇ ପ୍ରାଥମିକ କକ୍ଷ ଭିତରୁ ଚାଲିଗଲା । ପ୍ରଫୁଲ୍ଲବାବୁ ପଙ୍କଜବାବୁ ଦୁହେଁଯାକ ବସିରହିଲେ ନିର୍ଜନ କୋଠରୀ ଭିତରେ । ଅନ୍ତରାଳରୁ ଶୁଣିବାକୁ ପାଇଲେ ନାରୀ କଣ୍ଠର ସୁଲଳିତ ସଂଗୀତ, ବୀଣାଯନ୍ତ୍ରର ମଧୁର ଆଳାପ । ନାରୀ କଣ୍ଠର ମଧୁର ସଂଗୀତ ତାଙ୍କର କଠିକ ମନକୁ ଚହଲାଇ ପାରିଲାନି । ସେ ତାଙ୍କର ଉଦ୍ଦେଶ୍ୟ ସାଧନ ପଥରେ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାରେ ଲାଗିଲେ ।

 

ସୌଭାଗ୍ୟ, ଦୂରରୁ ଦେଖି ପାରିଲେ-ବିଭିନ୍ନ ଚିତ୍ରତାରକାଙ୍କ ଭିତରେ ଆହତ ଯୁବତୀର ଚିତ୍ର । ବିସ୍ମିତ ହୋଇ ଉଠିଲେ, କଳ୍ପନାରେ ବି ଆଣିପାରିଲେନି ସେ ଛବିଟି ତାର ବୋଲି । ପଙ୍କଜବାବୁ ଫୁସ୍‌ ଫୁସ୍‌ କରି ପ୍ରଫୁଲ୍ଲବାବୁଙ୍କ କାନରେ କହିଲେ, ‘‘ଥରେ ପାଖକୁ ଯାଇ ଭଲକରି ଦେଖତ-ଆମର ଧାରଣା ଭ୍ରମ ନା ସ୍ପଷ୍ଟ ।

 

ପ୍ରଫୁଲ୍ଲ ଚିହ୍ନା ନପଡ଼ିଲାପରି ଯାଇ ଭଲଭାବରେ ଫଟୋଟିକୁ ନିରୀକ୍ଷଣ କରି ଫେରି ଆସି କହିଲେ, ‘‘ଆମର ଧାରଣା ଭ୍ରମ ନୁହେଁ ସାର୍‌ । ଆମେ ଠିକ୍‌ ଲକ୍ଷ୍ୟସ୍ଥଳରେ ଆସି ପହୁଞ୍ଚିଛେ’ । ମନେ ମନେ ପାଣୁଆଁର ବୁଦ୍ଧିକୁ ପ୍ରଶଂସା କଲେ ଦୁହେଁ । ଦୀର୍ଘ ପନ୍ଦରମିନିଟ କଟିଗଲା ପର ଲୀଳାୟିତ ଭଂଗିରେ, ଅତି ଆଧୁନିକ ବେଶ ପରିପାଟୀରେ ସୁସଜ୍ଜିତ ହୋଇ ରୂପସୀ ମେନକା କକ୍ଷଭିତରକୁ ଧୀର ପଦକ୍ଷେପରେ ପଶିଆସି ଦୁହିଙ୍କୁ ଅଭିବାଦନ ଜଣେଇ, ବିଳମ୍ବଜନିତ ତ୍ରୁଟିଲାଗି କ୍ଷମାଭିକ୍ଷା କଲା ।

 

ଦୁହେଁ ତାର ମଧୁର ସମ୍ଭାଷଣରେ ଅପ୍ୟାୟିତ ହେଲାପରି ଅଭିନୟ କରି ତାର ଚିତ୍ତ ଜୟକରିବାକୁ ଚେଷ୍ଟାକଲେ । ମେନକା, ସେମାନଙ୍କ ନିକଟରେ ପଡ଼ିଥିବା ଗୋଟିଏ ସୁନ୍ଦର ଚେୟାର ଉପରେ ବସି ପରିଚୟ ଲାଗି ଅନୁରୋଧ କଲା । ପଙ୍କଜବାବୁ ଅତି ସତର୍କତା ସହିତ ସମସ୍ତ ପରିଚୟ ଦେଲେ । ମେନକା ପରିଚୟ ପାଇବା ପର ଟେବୁଲ ଉପରେ ରଖାଯାଇଥିବା କଲିଙ୍ଗ୍‌ ବେଲ୍‌ଟିକୁ ଟିପିଦେଲା । କଲିଙ୍ଗବେଲଟି ବାଜିଉଠିବା ମାତ୍ରେ ଅନ୍ତରାଳରୁ ଭାସିଆସିଲା ନାରୀକଣ୍ଠ ଧ୍ୱନିତ ଅତିଥିଙ୍କର ସ୍ୱାଗତ ସଂଗୀତ । କକ୍ଷଟି ପ୍ରତିଧ୍ୱନିତ ହୋଇ ଉଠିଲା । କିଛି ସମୟ ପରେ ଧୀରେ ଧୀରେ ସଂଗୀତର ସ୍ରୋତ ମିଳେଇଗଲା....ପଶିଆସିଲା ଅତିଥିସତ୍‌କାରିତ ଖାଦ୍ୟସାମଗ୍ରୀ ହସ୍ତରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ତରୁଣୀ । ବୟସ ଷୋଳରୁ ଟପିନି । ଯୌବନର ପ୍ରଥମ ସୋପାନରେ ପାଦ ଦେଇଛି ସେ । ଖାଦ୍ୟସାମଗ୍ରୀ ସମ୍ମୁଖସ୍ଥ ଟେବୁଲ ଉପରେ ରଖିଦେଇ ଅଭିବାଦନ ଜଣେଇ ପୁଣି ଫେରିଗଲା କକ୍ଷଭିତରକୁ ।

 

ପଙ୍କଜବାବୁ ଆଗନ୍ତୁକାଙ୍କର ରୂପରେ ମୁଗ୍‌ଧହୋଇ ତାଙ୍କ ପରିଚୟ ମେନକାଙ୍କୁ ପଚାରିଲେ । ଆଗନ୍ତୁକା ତାର ପରିଚାରିକା ବୋଲି ମେନକା ହସି ହସି କହିଲା । ପଙ୍କଜବାବୁ ମେନକାର କଥାରେ ମୁଗ୍‌ଧ ହେଲାପରି ଛଳନାକରି ତାର ଖ୍ୟାତି, ଗୁଣକୁ ପ୍ରଶଂସା କରିବାରେ ଲାଗିଲେ ।

 

ମେନକା ବିଭିନ୍ନପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସି ହିନ୍ଦୀଭାଷାକୁ ଆୟତ କରିପାରି ଥିଲା, ତେଣୁ ଏମାନଙ୍କର ପ୍ରଶ୍ନର ଉତ୍ତର ଦେଇ ସନ୍ତୁଷ୍ଟ କରିବାରେ ଲାଗିଲା ।

 

Unknown

ଆଳାପ ପରିଚୟ ଭିତରେ ରାତି ଗୋଟାଏ ବାଜିବାର କାନ୍ଥଘଡ଼ି ସଂକେତ ଦେଲା । ମେନକା, ଖାଇବାଜିନିଷ ଥଣ୍ଡା ହୋଇ ଯାଉଛି କହି ଦୁହିଁଙ୍କୁ ଖାଇବା ସକାଶେ ଅନୁରୋଧ କଲା ।

 

ଦୁହେଁ ଅନିଚ୍ଛାସତ୍ତ୍ୱେ ବାଧ୍ୟହୋଇ ଅନୁରୋଧ ରକ୍ଷାକରିବାକୁ ଗଲେ । ମେନକା ନିକଟରେ ବସି ନିଜର ବଡ଼ିମା ଶୁଣାଉ ଥାଏ । ଦୁହେଁ ମନଯୋଗସହକାରେ ସବୁ କଥା ଶୁଣି ନାନାପ୍ରକାର ପ୍ରଶ୍ନ ପଚାରୁଥାନ୍ତି । ମେନକା ଉପଯୁକ୍ତ ଉତ୍ତର ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା କରୁଥାଏ । କହିବା ଭିତରେ ସେ ଭାବପ୍ରବଣ ହୋଇ ଅନେକ କଥା କହି ଦେଇଚି ଯାହାକି ତା’ର କହିବାର କଥା ନୁହେ । ଖିଆପିଆ ଶେଷ ହେଲା । ଦୁହେଁ ଯାଇ ନିଜ ନିଜ ଆସନ ମାଡ଼ି ବସିଲେ । ମେନକା ନିଜ ହାତରେ ପାନ ସିଗାରେଟ ପରିବେଷଣ କଲା । ପଙ୍କଜବାବୁ ତା’ ବ୍ୟବହାରରେ ସନ୍ତୁଷ୍ଟ ହୋଇ ଆଜିଠାରୁ ଚିରଦିନପାଇଁ ବନ୍ଧାହୋଇ ରହିବାକୁ ଜଣାଇଲେ । ଆଗନ୍ତୁକମାନଙ୍କର କଥା ଶୁଣି ମେନକାର ପେଟ ଆନନ୍ଦରେ ପୂରି ଉଠୁଥାଏ । ସେ ଆହୁରି ସେମାନଙ୍କୁ ନିକଟକୁ ଟାଣି ଆଣିବାକୁ ନିଜକୁ ସେମାନଙ୍କ ତୁଳନାରେ ନଗଣ୍ୟ ବୋଲି ଛଳନା କରି କୃତଜ୍ଞତା ଜଣାଇଲା ।

 

ପଙ୍କଜବାବୁ ମେନକା କଥାର ଭାବ ବେଶ୍‌ଭାବରେ ବୁଝି ପାରିଥିଲେ । ସେ ମେନକା ସହିତ ଏକୁଟିଆ କିଛି ସମୟ କଥାଭାଷା କରିବାକୁ ଇଚ୍ଛା ପ୍ରକାଶକଲେ । ମେନକା ଆଗ୍ରହସହକାରେ, ତାଙ୍କୁ ନେଇ ଅନ୍ୟ ଏକ କକ୍ଷକୁ ଚାଲିଗଲା । ପ୍ରଫୁଲ୍ଲ ଅତି ସତର୍କତା ସହିତ ଅପେକ୍ଷା କରି ବସିରହିଲେ ନିର୍ଜନ କକ୍ଷ ମଧ୍ୟରେ ।

 

ଘରର ଅତି ନିକଟରେ ଆର କକ୍ଷଟି, ଦୁହେଁ ଯାଇଁ ସେ ଘର ଭିତରେ ବସି ଖୁସି ଗପ ଆରମ୍ଭ କଲେ । କହିବାଭିତରେ ରହସ୍ୟ ସୃଷ୍ଟିକରି ପଙ୍କଜବାବୁ ପଚାରିଲେ, ‘‘ଆଉ ଏଠାରେ କେହି ସୁନ୍ଦରୀ ତରୁଣୀ ଅଛନ୍ତି ନା ?’’

 

ମେନକା ଅପାଙ୍ଗ ଢାଳି ହସି ହସି କହିଲା, କେଉଁ ପ୍ରକାରର ଚାହାନ୍ତି ଆପଣ ? ଆପଣ ଯାହାକୁ ଦେଖିଲେ ସେ ହେଉଛି ତୃତୀୟ ଶ୍ରେଣୀର । ସବୁ ପ୍ରକାର ଗରାଖଙ୍କୁ ସନ୍ତୁଷ୍ଟ କରିବାପାଇଁ ଏଠାରେ ସମସ୍ତ ଉପାଦାନ ଭରା ରହିଚି ।’

 

Is it ? ରସିକତା ସୃଷ୍ଟିକରି ଦରଦଭରା କଣ୍ଠରେ କହିଲେ ପଙ୍କଜବାବୁ ।

 

ହଁ ସେଠଜୀ, ଆଜିକା ବଜାରରେ ବିଶେଷ ଓଡ଼ିଶା ପରି ଦେଶର ଏଇ ବ୍ରହ୍ମପୁରପରି ଛୋଟିଆ ସହରରେ ଆମମାନଙ୍କୁ ଚଳିବାକୁ ହେଲେ ବିଭିନ୍ନ ପ୍ରକାର ବେଉସା ଧରିବାକୁ ହୁଏ । ମୋର ଏଠିକାର ଲୋକଙ୍କ ସହିତ ସଂପର୍କ କମ୍‌ । କେବଳ ପ୍ରତିଦିନର ଗୁଜରାଣ ମେଣ୍ଟାଇବା ଲାଗି ଅନ୍ୟ କେତେଜଣ ଧରାବନ୍ଧା ଗ୍ରାହକଙ୍କୁ ହାତମୁଠାରେ ରଖିବାକୁ ହୁଏ ।

 

ଆପଣଙ୍କର ଏଠିକା ବାସିନ୍ଦାଙ୍କ ଭିତରେ ବେଶି ନିକଟ ସଂପର୍କୀୟ କିଏ ? କାହାକୁ ଆପଣ ହୃଦୟ ଦେଇ ଭଲ ପାଆନ୍ତି ?

 

ଆପଣ ତାଙ୍କୁ ଚିହ୍ନି ପାରିବେନି....ବର୍ତ୍ତମାନ ମଧ୍ୟ ସେ ଏଠାରେ ନାହାନ୍ତି । ବାହାରକୁ ଯାଇଚନ୍ତି ।

 

କାହିଁକି ? ପଚାରିଲେ ପଙ୍କଜବାବୁ......

 

ବ୍ୟବସାୟ ସଂକ୍ରାନ୍ତରେ କଣ ଜରୁରୀ ଦରକାର ଅଛି, କହିଲା ମେନକା ।

 

ସେ ଏଠାରେ କି ବ୍ୟବସାୟ କରନ୍ତି ?

 

ତାଙ୍କର ଏଠାରେ ଗୋଟିଏ ବଡ଼ ହୋଟେଲ ଅଛି ଆଉ ତା’ଛଡ଼ା ଅନ୍ୟାନ୍ୟ ବାହାର ବ୍ୟବସାୟ ଅଛି, ବଡ଼ ସରଳଭାବରେ କହିଲା ମେନକା ।

 

ହୋଟେଲ ? ସେ ହୋଟେଲ ନାଁ କଣ ? ଏଠିତ ଏକମାତ୍ର ବଡ଼ ହୋଟେଲ ଭାରତ ହୋଟେଲ ?

 

ହଁ ସେଇ ଭାରତ ହୋଟେଲର ମାଲିକ୍‌ ସେ...ଆଉ ତା ଛଡ଼ା, ଗୋପାଳପୁର ସହରରେ ଥିବା ଗ୍ରେଟ୍‌ ଇଣ୍ଡିଆନ୍‌ ହୋଟେଲରେ ମଧ୍ୟ ତାଙ୍କର ସେୟାର ଅଛି ।

 

ଓ, ତାହେଲେ ମିଷ୍ଟର ଆପନ୍ନାସ୍ୱାମୀ ? କହିଲେ ପଙ୍କଜବାବୁ । ଚମକି ପଡ଼ିଲା ମେନକା ଆଗନ୍ତୁକଙ୍କର କଥାରେ ।

 

ପଙ୍କଜବାବୁ ମେନକାର ମନର ଭାବ ଲକ୍ଷ୍ୟ କରି ପଚାରିଲେ ସେଇ ଭଦ୍ରଲୋକ ତ ?

 

ହଁ ଆପଣ ତା’ଙ୍କୁ ଚିହ୍ନନ୍ତି ? କହିଲା ଉପାୟହୀନ ହୋଇ ମେନକା । ଖାଲି ଜାଣେନାଇଁ ଡାଲିଂ ସେ ଯେ ମୋର ପରମ ବନ୍ଧୁ । ମୁଁ ଯେତେଥର ବ୍ରହ୍ମପୁର କୁଲି ନେବାକୁ ଆସିଚି, ତାଙ୍କରି ହୋଟେଲରେ ଆଶ୍ରୟ ନେଇଚି । ଆଜି ତାଙ୍କୁ ହୋଟେଲରେ ନଦେଖି ଇଆଡ଼ିକି ଚାଲି ଆସିଲି ।

 

ମେନକା ଆଉ ସେ ସବୁ କଥା ନ ପକେଇବାକୁ ଛଳନାକରି କହିଲା-ଆଜି ମୋର ଗୋଟାଏ ଦୁର୍ଦ୍ଦିନ ଆଜ୍ଞା, ମନଟା ଆଦୌ ଭଲ ଲାଗୁନି । ଚାଲନ୍ତୁ ବିଶ୍ରାମ କରିବେ । ଅନେକ ଡେରି ହୋଇ ଗଲାଣି ।

 

ପଙ୍କଜବାବୁ ମେନକାର ଭାବ ଭଙ୍ଗି ଲକ୍ଷ୍ୟ କରିପାରି ବିସ୍ମିତ ହେଲାପରି ପଚାରିଲେ, ଦୁର୍ଦ୍ଦିନ ? କଣ ଘଟିଛି ଆପଣଙ୍କର ?

 

‘ସେସବୁ କାଲି କହିବି ଆଜି ଆଉ ମୋତେ ବ୍ୟସ୍ତ କରନ୍ତୁନି,’-କହିଲା ବ୍ୟସ୍ତ କଣ୍ଠରେ ମେନକା ।

 

ପଙ୍କଜବାବୁ ଏତିକିରେ ଛାଡ଼ିବାର ଲୋକ ନୁହନ୍ତି । ସେ ଉଦ୍‌ବିଘ୍ନତା ପ୍ରକାଶ କରି ପୁଣି କହିଲେ, ଆପଣଙ୍କର ଦୁର୍ଦ୍ଦିନ କଥା ଶୁଣି ମୁଁ ଯାହା ଅନୁଭବ କରୁଚି ତା’ ଆପଣ ବୁଝି ପାରିବେନି । ମୁଁ ଯିମିତି ଅନୁଭବ କରୁଚି ଆପଣଙ୍କ ଠାରୁ ସଠିକ୍ ଘଟଣା ନଶୁଣିବା ପର୍ଯ୍ୟନ୍ତ ଆଖିକି ମୋର ନିଦ ଆସିବନି ।

 

ବଡ଼ ଅକଡ଼ିଆରେ ପଡ଼ିଲା ମେନକା । ନକହିବାକୁ ଆଉ ଚାରାନାହିଁ । କଥା ଭୁଲାଇ କହିବାକୁ ଆରମ୍ଭ କଲା, ସେ ସବୁ ମୋର ଘରୋଇ କଥା । ଶୁଣିବା ଦ୍ୱାରା ଆପଣଙ୍କର କିଛି ମାତ୍ର ଲାଭ ହେବନି । ଆଉ ଯଦିବା କହେ, ପଦେ ପଦେ ବିପଦ ବି ରହିଛି ।

 

ବିପଦ ? ବିପଦ ଗୋଟାଏ କଣ ମେନକା ଦେବି ? ମୁଁ ଯାହା ଦେଖୁଛି ଆପଣ ମୋତେ ବିଶ୍ୱାସ କରୁନାହାନ୍ତି, ପରଲୋକ ବୋଲି ଜ୍ଞାନ କରୁଛନ୍ତି ।

 

ନାଁ, ନାଁ, ତା’ ନୁହେଁ ସେଠ୍‌ଜୀ । ମୁଁ ଆପଣଙ୍କୁ ଆଦୌ ସିମିତି ଭାବିନି । ମୋର ଆଜି ମନ ଭଲ ନାହିଁ । କାଲି ନିଶ୍ଚୟ କହିବି । ଆପଣ ମୋତେ ଭୁଲ ବୁଝନ୍ତୁନି ।

 

ପଙ୍କଜବାବୁ ଏତିକି କଥାରେ ଛାଡ଼ିବାର ପାତ୍ର ନୁହନ୍ତି । ସେ ପୁଣି କହି ଉଠିଲେ, ନାଁ, ନାଁ, ମେନକା ! ମୁଁ ତମର ଏ ମନଭୁଲାଣିଆ କଥାରେ ଭୁଲିଯିବା ଲୋକ ନୁହେଁ । ମୋତେ ଯଦି ଆଜି ତମର ଦୁର୍ଦ୍ଦିନର କଥା ନ କହିବ ତେବେ ବିଦାୟ ଦିଅ । ମୁଁ ଯାଏଁ–ଉଠିବାକୁ ଉଦ୍ୟତ ହେଲେ-

 

ଶୁଣି ଆହୁରି ଅକଡ଼ିଆରେ ପଡ଼ିଲା ମେନକା । ଭବିଷ୍ୟତ ଆଶାରେ ଛଳନା କରି କହିବାକୁ ଆରମ୍ଭ କଲା-ତାହେଲେ ଶୁଣନ୍ତୁ କାହିଁକି ଆପଣଙ୍କ ମନରେ ଅଯଥା କଷ୍ଟ ଦେବି । ଶୁଣିସାରିବା ପର ଆପଣ ଯାହା କରିବେ କରନ୍ତୁ ।

 

ଚିନ୍ତା କରନ୍ତୁନି ମେନକା ଦେବି ! ଟଙ୍କାରେ ଯଦି ପକେଟ ଭର୍ତ୍ତି ଅଛି ତେବେ କୌଣସି କଥାକୁ ପରବାଓ ନାଇଁ । ମୋର ଟଙ୍କାର ଅଭାବ ନାହିଁ । ଦରକାର ପଡ଼ିଲେ ଫାସି କାଠିରୁ ଆପଣଙ୍କୁ ଖସାଇ ଆଣିବି । ମୁଁ ଆପଣଙ୍କ ପାଇଁ ସବୁକିଛି କରିପାରେ । ଆନନ୍ଦରେ ମେନକାର ପେଟ ପୂରିଗଲା । ସେ ଆଗପଛ ଭାବି ନପାରି କହିବାକୁ ଆରମ୍ଭ କଲା ।

 

ଆଜି ମୋର ଜନ୍ମଦିନ ଉତ୍ସବ ପାଳିତ ହୋଇଥିଲା । ତା’ରି ଉପଲକ୍ଷେ ବିଭିନ୍ନ ଯାଗାର ମୋର ଆତ୍ମୀୟ ଲୋକଙ୍କୁ ନିମନ୍ତ୍ରଣ କରିଥିଲି । ହଠାତ୍‌ ଖବର ପାଇଲି ଗତକାଲି ରାତିରେ ଚଳନ୍ତା ଟ୍ରେନରେ ମୋର ଅତି ଆତ୍ମୀୟଙ୍କୁ କେହି ହତ୍ୟା କରିଚି । ସେଥିଲାଗି, ମୋର ସମସ୍ତ ବ୍ୟବସ୍ଥା ବନ୍ଦ ରହିଲା । ଆଗନ୍ତୁକ ଅତିଥିମାନଙ୍କୁ ବିଦାୟ ଦେଇ ମୁଁ ଦୁଃଖରେ ବିଛଣା ଧରିବାକୁ ଯାଉଥିଲି । ହଠାତ୍‌ ଆପଣଙ୍କ ପଦାର୍ପଣରେ ମୁଁ ଉଠିବାକୁ ବାଧ୍ୟ ହେଲି ।

 

-ବଡ଼ ଦୁଃଖର କଥା, ହଠାତ୍‌ ଯେ କାହିଁକି ଭଗବାନ ଆପଣଙ୍କୁ ଏ ପ୍ରକାର ବିପଦ ଦେଲେ କିଛିମାତ୍ର ବୁଝି ପାରୁନି ।

 

-ବିଧାତା ଉପରେ କାହାର ହାତ ଅଛି ସେଠ୍‌ଜି ? ମୋ ଲାଗି ଆଜି କେତେ ଯେ ଭଦ୍ର ଲୋକ ଦୁଃଖ ମନରେ ଫେରିଗଲେ ସେଥିଲାଗି ବେଶି କଷ୍ଟ ଅନୁଭବ କରିବାକୁ ପଡ଼ୁଚି ।

 

ଅନେକ ଦୂରରୁ ବୋଧେ ନିମନ୍ତ୍ରିତ ବ୍ୟକ୍ତିମାନେ ଆସିଥିଲେ ?

 

‘‘ହଁ, କେତେକ ଦୂରରୁ ଆସିଥିଲେ ।’’

 

ସେମାନଙ୍କ ମଧ୍ୟରେ ବିଶିଷ୍ଟ ବ୍ୟକ୍ତି କେଉଁମାନେ ଥିଲେ ?

 

କ୍ଷମା କରିବେ–ସେ ସବୁ କଥା କହିବାକୁ ମୁଁ ବର୍ତ୍ତମାନ ଅକ୍ଷମ । ଆପଣ ଦିନକର ଅତିଥି । ଆପଣ ଯେତେବେଳେ, ସବୁ ଦିନର ହୋଇ ଏଠିକା ସହିତ ସଂପର୍କ ସ୍ଥାପନ କରିବେ ସେତେବେଳେ, ସବୁ କଥା ଧୀରେ ଧୀରେ ବୁଝିପାରିବେ ବର୍ତ୍ତମାନ କିନ୍ତୁ ନୁହେଁ ।

ମେନକାର ଏ ପ୍ରକାର କଥାରେ ପଙ୍କଜବାବୁ ଜୋରରେ ହସି ଉଠିଲେ । ପ୍ରକୋଷ୍ଠଟି ପ୍ରତିଧ୍ୱନିତ ହୋଇ ଉଠିଲା ।

ମେନକା ଏ ପ୍ରହସନ କିଛିମାତ୍ର ବୁଝି ପାରିଲାନି । ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ପଙ୍କଜବାବୁଙ୍କୁ ।

ପଙ୍କଜବାବୁ ନିଜ ପକେଟ ଭିତରୁ ଲୋଡେଡ଼୍‌ ରିଭଲ୍‌ଭରଟାକୁ ବାହାର କରି ମେନକାର ମୁଣ୍ଡ ଉପରକୁ ଲକ୍ଷ୍ୟକରି ଗର୍ଜିଉଠି କହିଲେ, ‘‘ମେନକା ଦେଖିପାରୁଚୁ ଏଟା କଣ ? ଆଉ, ମୁଁ କିଏ-? କହି ନିଜର ଛଦ୍ମବେଶଟାକୁ ମୁହଁରୁ ଖୋଲିଦେଲେ ।

ମେନକା ଏ ସବୁରୁ ମୁକ୍ତି ପାଇବାପାଇଁ ଆଗରୁ ଆଦୌ ପ୍ରସ୍ତୁତ ନଥିଲା । ତେଣୁ ସେ ଉପାୟ ଶୂନ୍ୟହୋଇ ଚିତ୍କାର କରିବାକୁ ଉଦ୍ୟତ ହେଲା ।

ତାର ମନର ଭାବ ପଙ୍କଜବାବୁ ଲକ୍ଷ୍ୟ କରିସାରି ରାଗରେ କହି ଉଠିଲେ, ‘‘ସାବଧାନ । ଚିତ୍କାରକରି କିଛିମାତ୍ର ଲାଭ ନାହିଁ ।’’ ଅବିଚଳିତ ଚିତ୍ତରେ ମୋତେ କେତୋଟି ପ୍ରଶ୍ନର ଉତ୍ତର ଦିଏ ନଇଲେ ଦେଖୁଚୁ ଏଇ ପ୍ରାଣନାଶୀ ଅସ୍ତ୍ର । ଗୋଟାଏ ସେକେଣ୍ଡ୍‌ ଭିତରେ ତୋର ଜୀବନଦୀପ ଲିଭିଯିବ ।

ନିରୂପାୟ ହୋଇ ମେନକା କମ୍ପିତ କଣ୍ଠରେ କହିଲା, ‘ପଚାରନ୍ତୁ ଆଜ୍ଞା ଯାହା ଜାଣିଥିବି କହିବି ?’’

ପ୍ରଫୁଲ୍ଲବାବୁ, ପଙ୍କଜବାବୁ ଆସିବାପର ବାହାର ଦରଜା ପାଖରେ ଆସି ଗୁଳିଭରା ପିସ୍ତଲ ହସ୍ତରେ ଜଗି ରହିଥିଲେ ।

ପଙ୍କଜବାବୁ ଦୃଢ଼କଣ୍ଠରେ ପଚାରିଲେ, ଏଇ ଯୁ’ କାନ୍ଥରେ ଫଟୋଟି ଟଙ୍ଗାହୋଇଚି ସେ ଫଟୋଟି କା ର ?

ସେ ଗୋଟିଏ ଚଳଚ୍ଚିତ୍ର ଅଭିନେତ୍ରୀର ।

-ତାର ନାଁ ?

‘‘ଜାଣେ ନାହିଁ ଆଜ୍ଞା ।’’

ଜାଣିନୁ ? ତେବେ ଏଠି ଟାଙ୍ଗିଚୁ କାହିଁକି ?

ଘରର ସୌନ୍ଦର୍ଯ୍ୟ ବଢ଼େଇବା ପାଇଁ ।

ତଥାପି ମିଛ କହିବାକୁ ସାହସ କରୁଚୁ ?

କଦାପି ମିଛ କହୁନି ଆଜ୍ଞା ! ବଡ଼ କରୁଣ କଣ୍ଠରେ କହିଲା ମେନକା ।

ସେ କାକୁତି ମିନତିରେ ମୁଁ ତରଳିବା ଲୋକ ନୁହେ ମେନକା । ମୁଁ ଆସିଚି ମୋର କର୍ତ୍ତବ୍ୟ ସାଧନ ଉଦ୍ଦେଶ୍ୟରେ । ତା ପୂରଣ ନହେଲା ପର୍ଯ୍ୟନ୍ତ ମୁଁ ତୋତେ ଛାଡ଼ୁନି । ଗୋଟାଏ ଦିଗରେ ମୁକ୍ତି ? ଅନ୍ୟ ଦିଗରେ ମୃତ୍ୟୁ ? କେଉଁଟାକୁ ତୁ ପସନ୍ଦ କରୁ । କହ, ଶୀଘ୍ର କହ ? ମୁଁ ମୋର କର୍ତ୍ତବ୍ୟ ଶେଷକରି ଫେରିବି । ବଡ଼ ଉତ୍ୟକ୍ତ ହୋଇ କହିଲେ ପଙ୍କଜବାବୁ ।

କହୁଚି ଆଜ୍ଞା । ମୋର ପ୍ରାଣ ବଂଚାନ୍ତୁ । ସେ ମୋର ଦୂର ସଂପର୍କୀୟ ଭଉଣୀ ହେବ ।

 

ସେ ଆଜି ଆମ ପାଖରେ ପହୁଞ୍ଚିବାର ଖବର ବୋଧେ ତୋ କାନରେ ବାଜିଥିବ ?

 

-ପାଇଚି ଆଜ୍ଞା !

 

ସେ କାହିଁକି ଆଜି ଏଠିକି ଆସୁଥିଲା ?

 

ମୋତେ ଦେଖା କରିବା ଉଦ୍ଦେଶ୍ୟରେ ।

 

ତା ସାଙ୍ଗରେ ଯୋଉ ଲୋକ ଆସିଥିଲା ଏବଂ–ମଲା ?

 

ସେ କିଏ ତା’ ମୁଁ ଜାଣେନି ଆଜ୍ଞା ।

 

କାଇଁକି ଜାଣିବୁ ? ନେଉଳପରି ସାପର ମଝିଟାଖାଇ ଲାଞ୍ଜ ମୁଣ୍ଡ ଯୋଡ଼ିବାରେ ତୁ ସିଦ୍ଧହସ୍ତ । କହ, ସନ୍ଦେହ–ସେ କିଏ ? ଜୀବନକୁ ଯଦି ପ୍ରକୃତରେ ଲୋଭ ଅଛି ?

 

ପ୍ରାଣଭୟରେ କମ୍ପିତ କଣ୍ଠରେ କହିଲା ମେନକା, ‘‘ସେ ହେଉଚି ମୋ ଭଉଣୀର ପ୍ରେମିକ ।’’

 

-ଆଚ୍ଛା, ତୋ ଭଉଣୀର ପ୍ରକୃତ ନାଁ କଣ ?

 

ତାର ଡାକ ନାଁ ଚାରୁ-ପ୍ରକୃତ ନାଁ କମଳା–।

 

ବେଶ୍‌ ଏଥର ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେଲେ ତୋତେ ମୁକ୍ତି ଦିଆଯିବ ।

 

-ତୋ ଭଉଣୀର ପ୍ରେମିକ ଆସିଲେ ରହନ୍ତି କେଉଁଠି ?

 

ତା ମୁଁ ଜାଣେନି ଆଜ୍ଞା ! ତେବେ ଯାହା ଶୁଣିଚି ତାଙ୍କର କେହିଜଣେ ବନ୍ଧୁ ଏଠାରେ ଅଛନ୍ତି ତାଙ୍କରି ବସାରେ ସେ ରହନ୍ତି ।

 

ଏତେ ଆତ୍ମୀୟତା ତୋର ଯେତେବେଳେ ତାଙ୍କ ସହିତ ଅଛି ତୁ ତାଙ୍କୁ ଚିହ୍ନିଥିବୁ ।

 

ଚିହ୍ନିଥିଲି ଯଦିଓ କହିପାରିବିନି ! ବର୍ତ୍ତମାନ ଆପଣ ଯୁ’ ଗୁଳିଭରା ବନ୍ଧୁକ ଧରିଛନ୍ତି ତାଠାରୁ ସେ ଆହୁରି ଭୟଙ୍କର । ସେ ଯଦି ଜାଣନ୍ତି ଆପଣଙ୍କ ଆଗରେ ସମସ୍ତ କଥା ପ୍ରକାଶ କରିଚି ତେବେ ସେ ମୋର ଆଉ ଜୀବନ ରଖିବେନି ।

 

ଚିନ୍ତା କରନା ମେନକା । ତୋ ଜୀବନର ଦାୟିତ୍ୱ ମୁଁ ନେଲି । ମୋତେ ବିଶ୍ୱାସ କର । ତୋର ସେ କିଛିମାତ୍ର କରି ପାରିବେନି । ମୋତେ ସ୍ପଷ୍ଟ କହ । ୟା ଦ୍ୱାରା ତୋର ମଙ୍ଗଳ ହେବ ।

 

ଗୋଡ଼ ଧରି ମୁଣ୍ଡିଆ ମାରି କହୁଚି ଆଜ୍ଞା, ସେ କଥା ଛାଡ଼ି ଅନ୍ୟ କଥା ମୋତେ ପଚାରନ୍ତୁ, ମୁଁ ସବୁ କହିବି । କିନ୍ତୁ ସେ କଥା କହି ପାରିବିନି ।

 

ଅଲ୍‌ବତ୍ କହିବାକୁ ହେବ । ମୋ କଥାରେ ବିଶ୍ୱାସ କରି ପାରିବୁନି ?

 

ବିଶ୍ୱାସ କଲେବି ମଧ୍ୟ ମୋର ମୁକ୍ତି ନାହିଁ ଆଜ୍ଞା । ଆପଣ ତାଙ୍କୁ ଚିହ୍ନି ନାହାନ୍ତି । ଏ ପାଣି ପବନରେ ମଧ୍ୟ ତାଙ୍କର ଅନୁଚର ମାନେ ଖୋଜି ବୁଲୁଚନ୍ତି । ବର୍ତ୍ତମାନ ଯେ ଆପଣ ଏଠିକି ଆସିଛନ୍ତି ସେ ଏକଥା ନଜାଣି ଥିବେ ଏ କଳ୍ପନା ବି କରନ୍ତି ନି ।

 

ତୁଣ୍ଡରୁ କଥା ସରିନି ଘରର ଆଲୁଅ ଲିଭିଗଲା । ପ୍ରଫୁଲ୍ଲବାବୁଙ୍କ ହାତର ଗୁଳିଭରା ପିସ୍ତଲ ଫୁଟି ଉଠିଲା ଗୁଡ଼ୁମ୍‌ କରି । ଅନ୍ତରାଳରୁ କାହାର ହୁଇସିଲ ବାଜି ଉଠିଲା ଜୋରରେ ।

 

ପଙ୍କଜବାବୁ ଆଉ ଅଂଧକାର ଭିତରେ କାହାରିକି ଦେଖିବାକୁ ପାଇଲେନି । ଗୁଳି ଶବ୍ଦରେ ବାହାରେ ପହରା ଦେଉଥିବା ପୋଲିସ ଆସି ପହଞ୍ଚିଗଲେ । ପୁଣି ଆଲୋକ ଜଳି ଉଠିଲା-। ପଙ୍କଜବାବୁ ଦେଖିଲେ ମେନକା-ଅଦୃଶ୍ୟ ହୋଇଚି । ଘର ଭିତର ଚାରିଆଡ଼ୁ ସୁନ୍‌ସାନ । ଏତେ ଲୋକବାକ ଥିବାସତ୍ତ୍ୱେ କାହାରି ଜଣକର ପତ୍ତାବି ମିଳୁନି ।

 

ପଙ୍କଜବାବୁ ବାହାରକୁ କବାଟ ଖୋଲି ଆସି କେତେଜଣ ପୋଲିସ୍‌ଙ୍କୁ ସେଠାରେ ଜଗାଇ ଥାନା ଅଭିମୁଖେ ପ୍ରଫୁଲ୍ଲବାବୁଙ୍କ ସହିତ ଆସିଲେ ।

 

ବାଟର; ଦେଖିଲେ, ‘ପାଣୁଆ’ ଠିକ୍‌ ପୂର୍ବପରି ନିର୍ଦ୍ଦିଷ୍ଟ ଯାଗାରେ ତାଙ୍କୁ ଅପେକ୍ଷା କରି ବସିଚି ।’’

 

ପଙ୍କଜବାବୁଙ୍କ ନଜର ପାଣୁଆ ଉପରେ ପଡ଼ିଗଲା । ହଠାତ୍‌ କହି ଉଠିଲ, ‘‘କିରେ ପାଣୁଆ ?’’

 

‘‘ହଁ ବାବୁ ! ଆପଣଙ୍କ ଅପେକ୍ଷାରେ ପରା ବସିଚି । କଅଣ କିଛି ଦେଖିଲେ ଦେଖିଲେ-?’’

 

ଦେଖିଲିରେ ପାଣୁ, କିନ୍ତୁ ସବୁ ଟିକକରେ ଖରାପ ହୋଇଗଲା ।

 

କିଛି ଖରାପ ହୋଇନି ବାବୁ, ଏକା ଦିନକରେ କଣ ସବୁ ବୁଝିଯାନ୍ତେ ।

 

ଯାଆନ୍ତୁ, କାଲି ପୁଣି ଦେଖା କରିବି ।

 

ତୁ, ଆସୁନୁ ମୋ ବସାକୁ ?

 

ଦାଗିଟାକୁ ଆଉ ସାଙ୍ଗରେ ବାନ୍ଧନ୍ତୁନି । ଆପଣଙ୍କର କାମ କିଛି ହେବନି ।

 

ପଙ୍କଜବାବୁ ହସି ହସି ଆଗେଇଲେ ଥାନା ଅଭିମୁଖରେ ।

 

ଏଗାର

 

ଟାଉନ୍‌ ଥାନା କାନ୍ଥଘଡ଼ି ତିନିଟା ବାଜିବାର ସଂକେତ ଦେଲା । ବିନୋଦବାବୁଙ୍କ ଆଖିରେ ନିଦ ନାହିଁ । ସମ୍ବାଦ ଶୁଣିବା ପାଇଁ ଉତ୍‌କଣ୍ଠିତ ହୋଇ ଅଫିସ ରୁମରେ ବସି ରହିଚନ୍ତି । ଏତିକିବେଳେ ଥାନା ଭିତରକୁ ପଶିଆସିଲେ ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁ ।

 

ଦୁହିଁକି ଏକ ସଂଗରେ ଦେଖିପାରି ବ୍ୟଗ୍ରତା ପ୍ରକାଶ କରି ବିନୋଦବାବୁ ପଚାରିଲେ, ଖବର କ’ଣ ସାର ?

 

ପୃଷ୍ଠଭଂଗଦେଇ ଶତ୍ରୁବ୍ୟୂହରୁ ପଳାଇ ଆସୁଚ ଏଇମାତ୍ର ଖବର । ବ୍ୟାଡ଼୍‌ଲକ୍‌, କହି ବସି ପଡ଼ିଲେ ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁ ଏକ ସଙ୍ଗରେ ।

 

ବିନୋଦବାବୁ ପଙ୍କଜବାବୁଙ୍କ କଥା କିଛି ବୁଝି ନପାରି ଆହୁରି ବ୍ୟଗ୍ରତା ପ୍ରକାଶ କରି ପଚାରିଲେ, ‘‘କଣ ହେଲା ଆଜ୍ଞା’’ ?

 

ଶୀକାରକୁ ନିକଟରେ ପାଇ ମଧ୍ୟ ଧରି ପାରିଲୁନି–ବଡ଼ ହତାଶ ଗଳାରେ ଉତ୍ତର ଦେଲେ ପଙ୍କଜବାବୁ ।

 

ବିନୋଦବାବୁ ପଙ୍କଜବାବୁଙ୍କ ଅବସ୍ଥା ଲକ୍ଷ୍ୟକରି କହିଲେ, ଆଗେ କିଛି ସମୟ ରେଷ୍ଟ ନିଅନ୍ତୁ, ପରେ ଅନ୍ୟକଥା ।

 

ଏ ଜୀବନରେ ଅବସରର ସୁଯୋଗ କାହିଁ ବିନୋଦବାବୁ ? ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଯାହାର ପଣ, ତା’ର ଅବସର ନେବାର ସୁଯୋଗ କେଉଁଠି ? କହ ପ୍ରଫୁଲ୍ଲ, ସବୁକଥା ଆମୂଳଚୂଳ ବିନୋଦବାବୁଙ୍କ ଆଗରେ ବର୍ଣ୍ଣନା କର । ଶୀଘ୍ର ଦଳବଳ ସହ ପୁଣି ଅଭିଯାନ ଆରମ୍ଭ କରିବାକୁ ପଡ଼ିବ ।

 

ପଙ୍କଜବାବୁଙ୍କ ଏହି ପ୍ରକାର କଥାଶୁଣି ବିନୋଦ ଅବାକ୍‌ ହୋଇ ଚାହିଁଲେ ପ୍ରଫୁଲ୍ଲବାବୁଙ୍କ ଆଡ଼କୁ ।

 

ପଙ୍କଜବାବୁ ଘଟଣା ବର୍ଣ୍ଣନା କରିବାକୁ ଲାଗିଲେ । ବିନୋଦ ବାବୁ ଚିତ୍ରପରି ବସି ମନଯୋଗ ସହକାରେ ସବୁକଥା ଶୁଣୁଥାନ୍ତି । ପ୍ରଫୁଲ୍ଲବାବୁଙ୍କର କହିବାର ଶେଷ ହେଲା । ବିନୋଦବାବୁ ରାଗରେ ଜଳିଉଠି କହିଲେ ଚାଲନ୍ତୁ ସାର୍, ବର୍ତ୍ତମାନ ଯାଇଁ ସେଇ ଦୁର୍ଦ୍ଧର୍ଷ ଡକାୟତ ଦଳଙ୍କ ବ୍ୟୁହ ଭେଦକରି ଗୋଟି ଗୋଟି ବାଂଧି ଆଣିବା ।

 

ବାଂଧି ଆଣିବା ଏତେ ସହଜ ମନେ କରନା ବିନୋଦ ବାବୁ... । ଏ ସଂପର୍କରେ ଗଭୀର ଚିନ୍ତା ଦରକାର । କଣ କରିବାକୁ ହେବ ସେ ବିଷୟରେ ମୁଁ ଚିନ୍ତା କରୁଚି । ତମେ ସକାଳୁ ଛତ୍ରପୁର ପୋଲିସ ସାହେବଙ୍କ ପାଖୁ ଫୋନ୍‌କର । ସେ ଆସନ୍ତୁ, ସବୁକଥା ଭାବିଚିନ୍ତି କରିବା ।

 

ବେଶି ଡେରି ହୋଇଯିବ ସାର । ଦସ୍ୟୁ ଦଳ ଆମ୍ଭମାନଙ୍କର ବିଳମ୍ବରେ ଅକ୍ଳେଶରେ ବ୍ୟୂହଭିତରୁ ଚାଲିଯାଇ ପାରିବେ, କହିଲେ ବିନୋଦବାବୁ.... ।

 

ପଙ୍କଜବାବୁ ଚାପାହସ ହସି କହିଲେ, ଦସ୍ୟୁଦଳ ଯେ, ସେଇ ମୁହୂର୍ତ୍ତରେ ପଳାଇ ଯାଇଚନ୍ତି ଏ କଥା ଚିନ୍ତାକରି ପାରୁନା... । ସେମାନେ ଆମଠାରୁ ଆହୁରି ଧୂର୍ତ୍ତ, ଆହୁରି ଚାଲାକ ଏକଥା ମନେରଖ ବିନୋଦ ବାବୁ ।

 

ମୁହଁ ତଳକୁ ପୋତି ବିନୋଦବାବୁ କହିଲେ ବଡ଼ ଲଜ୍ଜାର କଥା ସାର । ଲୋକଙ୍କ ଆଗରେ ଆଉ ମୁହଁ ଦେଖେଇ ବାଟ ଚାଲିବାର ଯୁ’ ନାହିଁ । ଆମ୍ଭମାନଙ୍କର ବାରମ୍ବାର ଏ ପ୍ରକାର ଶୋଚନୀୟ ପରାଜୟରେ ଲୋକେ ଆମକୁ ଭୀରୁ କାପୁରୁଷ ଆଖ୍ୟା ଦେଇ ସାରିଲେଣି ।

 

ଦେବାର କଥା, ଦିଅନ୍ତୁ । ନୀରବରେ ସହିବାକୁ ପଡ଼ିବ । ଦୁଃଖ କାହିଁକି ? ଅନୁତାପ କାହିଁକି ?

 

ଆମେ ଜନ ସାଧାରଣଙ୍କର ସେବକ-ନିଜର କର୍ତ୍ତବ୍ୟରେ ତ୍ରୁଟି ଘଟିଲେ ଆଉ ବରଦାସ୍ତ କରିବ କିଏ ?

 

ବିନୋଦବାବୁ ନୀରବ ହେଲେ–ପଙ୍କଜବାବୁ ଟିକିଏ ଚିନ୍ତା କରି ପୁଣି କହିଲେ, ଦେଖ ବିନୋଦବାବୁ ! ଭାରତ ସ୍ୱାଧୀନ ହେବାପରେ ସାଧାରଣ ନାଗରିକଙ୍କ ପ୍ରାଣରେ ଜାଗି ଉଠିଚି ଚେତନା । ଆଉ ଆଗବେଳ ନାହିଁ ଯେ ଲାଲପଗଡ଼ିଆଙ୍କୁ ଦେଖିଲେ ଲୋକଙ୍କର ଛାତି ଥରିଉଠିବ । ଯେ କୌଣସି ଲୋକ ଆମ୍ଭମାନଙ୍କର ତ୍ରୁଟି ଦେଖିଲେ ସମାଲୋଚନା କରିପାରିବ । ଏଥିପାଇଁ ଅନୁଶୋଚନା କରିବା ଆଦୌ ଉଚିତନୁହେ; ବରଂ ସେସବୁ କଥାକୁ ଉପଦେଶ ମନେକରି ସୁନାମ ଫେରେଇ ଆଣିବାକୁ ଚେଷ୍ଟା କରିବାକୁ ପଡ଼ିବ ।

 

-‘ବର୍ତ୍ତମାନ କ୍ଷେତ୍ରରେ କଣ କରାଯିବ କହନ୍ତୁ, ପଚାରିଲେ ବିନୋଦବାବୁ ।’’

 

-‘‘ମୁଁ ଯାହା କହିଲି ଆଗେ ତାହାହିଁ କରାଯିବ । ତା ପର ଅନ୍ୟକଥା ।’’

 

‘‘ମୁଁ ଟିକିଏ ଅନ୍ୟକଥା ଭାବୁଛି ସାର୍ !

 

‘‘କଣ କହନ୍ତୁ; ଠିକ୍‌ ମନେହେଲେ କରାଯିବ କହିଲେ ପଙ୍କଜବାବୁ ।’

 

ପ୍ରଥମେ ରମା ନିକଟରୁ ମେନକା ବିଷୟରେ କିଛି ତଥ୍ୟ ସଂଗ୍ରହ କରାଯିବା ଉଚିତ, କାରଣ ଦୁଇଜଣଙ୍କ କହିବା ଭିତରେ କେଉଁଠି ତଫାତ୍‌ ରହିଛି ଜଣାଯିବ ।

 

ଭଲ ସୂତ୍ରଟିଏ ବାହାର କରିଚନ୍ତି । ବାସ୍ତବିକ୍‌ ତା’ଠାରୁ କଥା ଆଦାୟ କରିବାକୁ ପଡ଼ିବ ।

 

-ତେବେ, ଆଉ ବିଳମ୍ବ କରୁଚନ୍ତି କାହିଁକି ସାର୍‌ ? ଚାଲନ୍ତୁ, ରାତିତ ଶେଷ ହୋଇ ଆସିଲାଣି । ସାହେବ ଆସିବା ପୂର୍ବରୁ ଏ କାମଟା ସରିଯାଇ ଥାଉ, କହିଲେ ପ୍ରଫୁଲ୍ଲବାବୁ ।

 

ହଁ, ଚାଲ । ମୋର କୌଣସି ଆପତ୍ତି ନାହିଁ, ଉତ୍ତର ଦେଲେ ପଙ୍କଜବାବୁ ।

 

ସେତେବେଳକୁ କୁଆତରା ରାତି ପାହିଆସିବାର ସଂକେତ ଦେଲାଣି । ତିନିହେଁ ଅଫିସ ରୁମ୍‌ରୁ ଉଠି ହାଜତ ଘର ଆଡ଼କୁ ଚାଲିଲେ ।

 

ବାଆର

 

ଟାଉନ୍ ପୋଲିସ୍‌ଷ୍ଟେସନ । ଦୁଇଜଣ ସଂଗୀନଧାରୀ ସିପାହୀ ହାଜତ ଖାନାର ଦ୍ୱାରଦେଶରେ ସତର୍କ ଭାବେ କଡ଼ା ପହରାରେ ନିଯୁକ୍ତି ଅଛନ୍ତି । ରାତି ଚାରିଟା ବାଜିସାରିଲାଣି । ଚାରିଆଡ଼ ସୁନ୍ ସାନ୍ । ବିନୋଦବାବୁ, ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁଙ୍କୁ ସାଙ୍ଗରେ ଧରି ହାଜତଖାନା ପାଖକୁ ଆସିଲେ । ସିପାହୀ ଦୁଇ ଜଣ ବିନୋଦବାବୁଙ୍କୁ ଦେଖି ସାଲ୍ୟୁଟ୍ ଦେଇ ରାସ୍ତା ଛାଡ଼ି ଦେଲେ-। ସମସ୍ତେ ଲୁହା ରେଲିଙ୍ଗ୍ ଦିଆ କବାଟ ପାଖରେ ଠିଆ ହୋଇ ଦେଖିଲେ-ଯୁବତୀଟି ଅନିଦ୍ରା ଅବସ୍ଥାରେ କାହାର ଆଗମନକୁ ଯେପରି ପ୍ରତୀକ୍ଷା କରି ବସିଛି । ପଙ୍କଜବାବୁ ଅବାକ୍ ହୋଇଉଠିଲେ ।

 

ପଙ୍କଜବାବୁ ଯୁବତୀର ଦୁଃଖରେ ଦୁଃଖୀତ ହେଲାପରି ଛଳନା କରି କହିଲେ–‘ମିଛରେ ରାତି ଅନିଦ୍ରା ହୋଇ ସୁକୁମାରି ଅଙ୍ଗକୁ କଷ୍ଟ ଦେଉଛନ୍ତି କାହିଁକି ? ଟିକିଏ ଶୋଇପଡ଼ନ୍ତୁ.... ? ଦୁଃଖ କଲେ କଣ ଆଉ ପୂର୍ବ କଥା ଫେରି ଆସିବ ?

 

‘ଯୁବତୀ ପଙ୍କଜବାବୁଙ୍କ କଥା ଶୁଣି କୌଣସି ଉତ୍ତର ଦେଲାନି । ଠିକ୍ ପୂର୍ବ ପରି ମୂକ ହୋଇ ବସି ରହିଲା ।’

 

ପଙ୍କଜବାବୁ ମନେ ମନେ ଠିକ୍ କଲେ, ଏ ବାଟରେ ଯୁବତୀଠାରୁ କୌଣସି କଥା ଆଦାୟ କରିହେବନି । ସିଧା ଆଙ୍ଗୁଠିରେ କେଭେଁ ଘିଅ ବାହାରେ ନାହିଁ କି ବାହାରିବ ନାହିଁ । ତେଣୁ ଆଙ୍ଗୁଠିଟି ନିଶ୍ଚୟ ବଙ୍କେଇବାକୁ ପଡ଼ିବ ଭାବି ଥଟାଳିଆ ସ୍ୱରରେ କହିଲେ, ବୃଥାରେ ଏ ମୂକ ଅଭିନୟ କାହିଁକି ? ତମ ହୃଦୟବ୍ୟଥା ଦୂର କରିବାପାଇଁ, ସକଳ ଆଖିରୁ ଲୁହ ପୋଛି ଦେବାପାଇଁ ଏଠିକି କେହି ଆସିବେ ନି ରୂପସୀ ?

 

ଯଦି ମୁକ୍ତି ଚାହଁ, ତେବେ ତମ ସ୍ୱରୂପଟାକୁ ଚିହ୍ନିବାକୁ ଆମକୁ ସୁଯୋଗ ଦିଅ ?

 

‘ତଥାପି ଯୁବତୀ ନୀରବ ହେଲା । ପଙ୍କଜବାବୁ ଦେଖିଲେ ଏ ପ୍ରକାର ପ୍ରଶ୍ନରେ ବି ତାଙ୍କର ଉଦ୍ଦେଶ୍ୟ ହାସଲ ହେଉନି । ସେ ଦୃଢ଼କଣ୍ଠରେ କହିଲେ, ‘‘କ’ଣ–ମୋ ପ୍ରଶ୍ନର ସମାଧିତ ଉତ୍ତର ଦେବୁ ନା, ମୃତ୍ୟୁକୁ ଜାଣି ବରଣ କରିବୁ ? ଦେଖି ପାରୁଚୁ, ଗୁଳିଭରା ବନ୍ଧୁକ କିପରି ସତୃଷ୍ଣ ନୟନରେ ଚାହିଁ ରହିଛି ତୋର ଆଡ଼କୁ ? ପକେଟରୁ ରିଭଲଭରଟାକୁ କାଢ଼ି ଦେଖାଇଲେ ଯୁବତୀକୁ-

 

ଯୁବତୀ ଆଉ ସମ୍ଭାଳି ନ ପାରି ହସି ଉଠିଲା ଜୋରରେ । ସେ ହସର ଆଘାତରେ ମନେ ହେଲା ରୁଦ୍ଧ କୋଠରୀଟି ଯେପରି ଫାଟିଯିବ । ସମସ୍ତେ ଅବାକ୍ ହୋଇ ଚାହିଁ ରହିଲେ ଯୁବତୀ ଆଡ଼କୁ । ଯୁବତୀ ଗୁରୁଗମ୍ଭୀର କଣ୍ଠରେ କହିଉଠିଲା, ‘‘ଗୁଇନ୍ଦା ମହାଶୟ, ମୁଁ ଜାଣେ, ଏଠିକି ଆସିବା ପୂର୍ବରୁ ମୋର ପରିଣାମ କ’ଣ ହେବ । ସେଥିପାଇଁ ମୁଁ ପ୍ରସ୍ତୁତ ହୋଇ ଆସିଚି । ମନେ ରଖନ୍ତୁ, ସିଂହୀ କଦାପି ଶୃଗାଳର ଦାସତ୍ୱ ସ୍ୱୀକାର କରିବନି-ମରିବ ପଛେ ବାଣୁଆର ଗୁଳିଚୋଟରେ-। ମୋଠାରୁ ଆପଣ ଅନ୍ୟ କିଛି ଆଶା କରନ୍ତୁ ନି । ଅଧିକ ବ୍ୟାଖ୍ୟା କରିବା ଅନୁଚିତ-

 

ପଙ୍କଜବାବୁ, ଯୁବତୀର ବାକ୍ୟବାଣରେ ଜର୍ଜରିତ ହୋଇ କ୍ଷିପ୍ତ ସିଂହ ପରି ଗର୍ଜିଉଠି କହିଲେ, ‘ଏତେ ଦୂର ସାହସ ? ଆଚ୍ଛା, ସିପାହୀ ! ଚାବୁକ–.....

 

ଯୁବତୀ ଆହୁରି ଜୋରରେ ହସିଉଠି କହିଲା, ‘ଗୁଇନ୍ଦା ମହାଶୟ; ଆପଣ ଭାବୁଥିବେ ଚାବୁକର ଧମକରେ ମୁଁ ଆପଣଙ୍କୁ କିଛି କହି ପକାଇବି ? ତା’ ଭୁଲି ଯାଆନ୍ତୁ ! ଜୀବନର ଶେଷ ରକ୍ତବିନ୍ଦୁ ପ୍ରବାହିତ ହେଉଥିବା ଯାଏଁ ଆପଣ ମୋଠାରୁ କଥା ଆଦାୟ କରିବା ସମ୍ଭବପର ନୁହେଁ । ଆପଣଙ୍କଠାରୁ ଆହୁରି ବୁଦ୍ଧିଜୀବୀଦଳେ ଲୋକ, ଯୁ’ ମାନେକି ଆପଣମାନଙ୍କୁ ଡାକିହାକି ସବୁ-କଥା ଜଣେଇ ଆଖିରେ ଧୂଳି ଦେଇ ଗୋଟାକପରେ ଗୋଟାଏ ଭୀଷଣ କାଣ୍ଡ ଘଟେଇ ଚାଲିଯାଇପାରୁଚନ୍ତି । ସେଇମାନଙ୍କ ପରି ଚତୁର ଲୋକ ଆମ ଦଳର ଟେର ପାଇପାରି ନାହାନ୍ତି । ଆପଣମାନେତ ଅତିନଗଣ୍ୟ । ବାରମ୍ବାର ପରାଜିତ ହୋଇ ମଧ୍ୟ ଲଜ୍ଜା ଅନୁଭବ କରୁ ନାହାନ୍ତି-ଆଶ୍ଚର୍ଯ୍ୟ ! କହି ହସି ଉଠିଲା ଜୋରରେ ।

 

ଯୁବତୀର ଶାଣଦିଆ କଥା-ବିନୋଦବାବୁଙ୍କର ଛାତିରେ ଗଳିଗଲାପରି ଲାଗିଲା । ସେ କ୍ରୋଧରେ ଉନ୍‌ମତ୍ତ ହୋଇ କହିଉଠିଲେ, ‘‘ସିପାହୀ, କ୍ୟା ଦେଖତା ହୈ, ଚଲାଅ ।

 

ସିପାହୀ, ହୁକୁମ ତାଲିମ କରିବାକୁ ଉଦ୍ୟତ ହେବା ସମୟେ ପୁଣି ବିଦ୍ରୁପର ହସି ହସି ଯୁବତୀ କହି ଉଠିଲା, ‘‘ଜୀବିତ ଅବସ୍ଥାରେ ସ୍ପର୍ଶ କରିବାର ଅଧିକାର କା’ର ନାହିଁ ଗୁଇନ୍ଦା ମହାଶୟ-! ବୃଥାଚେଷ୍ଟା । ଦୁଃଖ ରହିଗଲା, ଆପଣମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାର ସୁଯୋଗ ପାଇଲିନି କହି-ହାତରେ ଧରି ଥିବା କ’ଣ ଗୋଟାଏ ଜିନିଷ ପାଟିରେ ଦେଇ ଚଟାଣ ଉପରେ ଢଳି ପଡ଼ିଲା । ପଙ୍କଜବାବୁଙ୍କ ସହିତ ସମସ୍ତେ କବାଟ ଖୋଲି, ଦଉଡ଼ି ଯାଇ ଦେଖିଲେ ଯୁବତୀର ଅବସ୍ଥା ସାଂଘାତିକ । ପଙ୍କଜବାବୁ ଭଲ ଭାବରେ ପରୀକ୍ଷା କରି ଦେଖି କହିଲେ, ସବୁଶେଷ । ହାତମୁଠାରେ ପାଇ ମଧ୍ୟ କାମ ହାସଲ କରି ପାରିଲେନି ।

 

ବିନୋଦବାବୁ କହିଲେ, ସବୁ ଦୁର୍ଭାଗ୍ୟ ସାର୍ । ଆଉ ଏ ମନୋରଥରେ ଚାଲିଲେ ଅଫିସ୍ ରୁମ୍ ଭିତରକୁ । ଲାସ୍‌ଟା ସକାଳ ହେବା ପର୍ଯ୍ୟନ୍ତ-ପଡ଼ିରହିଲା ପୋଷ୍ଟମଟମ୍ ପାଇଁ ।

 

ତେର

 

ପୂର୍ବ ଦିଗ୍‌ବଳୟରେ ଅସ୍ପଷ୍ଟ ଆଲୋକ ଦେଖାଦେଲା । ଥାନା ଅଫିସ୍ ରୁମ୍ ଭିତରେ ପଙ୍କଜବାବୁ, ପ୍ରଫୁଲ୍ଲବାବୁ ଓ ବିନୋଦବାବୁ କେତେବେଳେ ଯେ ଚୌକି ଉପରେ ଢୁଳେଇ ପଡ଼ିଚନ୍ତି ସେମାନଙ୍କର ଜ୍ଞାନ ନାହିଁ । ହଠାତ୍, ଜଣେ ସିପାହୀ ଆସି ଡାକିଲା, ବାବୁ ! ଉଠନ୍ତୁ, ଭ୍ୟାନ ଆସିଗଲାଣି, ଲାସ୍‌ଟାକୁ ହସପିଟାଲକୁ ପଠାଯିବ ପରା ?

 

ସିପାହୀର ଡାକରେ ସମସ୍ତେ ଧଡ଼ପଡ଼ ହୋଇ ଉଠିପଡ଼ି ଆଖି ମଳି ମଳି ହାଜତ ଘର ପାଖକୁ ଚାଲିଲେ । ଲାସ୍‌ଟି ସେହିପରି ପଡ଼ି ରହିଥିଲା । ତାଲା ଖୋଲି ଲାସ୍‌ଟିକୁ ଚାରିଜଣ ସିପାହୀଙ୍କ ସାହାଯ୍ୟରେ ଉଠାଇ ଭ୍ୟାନରେ ଲଦାହେଲା । ଭ୍ୟାନ୍ ଚାଲିଲା ଡାକ୍ତରଖାନା ଅଭିମୁଖରେ । ପଙ୍କଜବାବୁ ଓ ପ୍ରଫୁଲ୍ଲବାବୁ ବିନୋଦବାବୁଙ୍କଠାରୁ ବିଦାୟ ନେଇ ନିଜ ବସାକୁ ଫେରିଲେ । ବିନୋଦବାବୁ ମଧ୍ୟ ନିଜର କାମଧନ୍ଦା ତୁଟାଇବା ପାଇଁ ଫେରିଲେ କ୍ୱାଟରକୁ ।

 

ବିନୋଦବାବୁଙ୍କ କ୍ୱାଟର ଥାନା ହତା ଭିତରେ । ଦୁଇ ମିନିଟ୍ ଯାଆସ କରିବାକୁ ଲାଗିବ-। ବିନୋଦବାବୁ ଘର ଭିତରେ ପାଦ ଦେଉ ଦେଉ ରୀତା ଦେବୀ ଦେଖିପାରି ଥଟ୍ଟାଳିଆ ସ୍ୱରରେ କହିଲେ, ‘‘କଣ କଲ ତମେ ? ଜାଣି ଜାଣି ଗୋଟାଏ ନାରୀହତ୍ୟା ମହାପାପରେ ଭାଗି ହେଲ ?

 

ବିନୋଦବାବୁଙ୍କ ମନ ବଡ଼ ବିଷାକ୍ତ ହୋଇ ଉଠିଥିଲା, ସେ ବିରକ୍ତଭାବ ଦେଖାଇ ଚଢ଼ାଗଳାରେ କହିଲେ; ‘ଯା ଭାର ସେ ବୋହିବ, ଶୁଣିଲା ଲୋକଙ୍କୁ କାହିଁକି ଗରୁ ଲାଗୁଚି ?’

 

ରୀତା ଦେବୀ, ବିନୋଦବାବୁଙ୍କ ମନର ଅବସ୍ଥା ବୁଝିପାରି ଆହୁରି ଚିଡ଼େଇବା ଉଦ୍ଦେଶ୍ୟରେ କହିଲେ, ‘‘ଲାଗିବନି ? କାହିଁକି ଲାଗିବନି ? ହକ୍ ପଇସା ଖରଚ କରି ଯଦି ବେଦୀ ଉପରେ ମୋ ବାପା ତମ ହାତକୁ ମୋ ହାତ ଛନ୍ଦି ଦେଇଛନ୍ତି ସେ ଅଧିକାରରୁ ତ ତମେ ବଞ୍ଚିତ କରି ପାରିବନି ।

 

ବିନୋଦବାବୁ ଆଉ ହସ ସମ୍ଭାଳି ପାରିଲେନି । ଠୋ ଠୋ ହସିଉଠି କହିଲେ, ‘‘ଓ, ସେକଥା ମୋର ଖିଆଲ ନ ଥିଲା... । ରିଅଲି, ଆଇ ୟାମ୍ ସରି ।

 

ବିନୋଦବାବୁଙ୍କ ତୁଣ୍ଡରୁ କଥା ଶେଷ ହୋଇନି ଜଣେ ସିପାହୀ ଦୁଆରେ ଠିଆହୋଇ ଡାକିଲା, ବାବୁ !

 

-ବିନୋଦବାବୁ ଭିତରୁ ଉତ୍ତର ଦେଲେ, କିଏ ?

 

-ମୁଁ ଜବର ଆଜ୍ଞା ।

 

-ଓ ଜବର ? କ’ଣ ଖବର...କହି ଭିତରୁ ବାହାରକୁ ଆସିଲେ ।

 

‘ଆପଣଙ୍କୁ କିଏ ଫୋନରେ ଡାକୁଛନ୍ତି ବାବୁ । ବଡ଼ ଅର୍ଜେଣ୍ଟ ଦରକାର....କହିଲା ଜବର-

 

ଅର୍ଜେଣ୍ଟ ? ଭଲା ଚାକିରି ମଣିଷ କଲା....ମୁଁ ଯାହା ଦେଖୁଚି, ଝାଡ଼ା ମାଡ଼ୁଥିଲେ ବି ରୋକିବାକୁ ପଡ଼ିବ । ଆଚ୍ଛା, ଚାଲ, ମୁଁ ଯାଉଚି–ବ୍ୟସ୍ତଭାବରେ କହିଲେ ବିନୋଦବାବୁ ।

 

ଜବର ଚାଲିଗଲା, ରୀତା ଦେବୀ କବାଟ କୋଣରେ ଠିଆହୋଇ ସବୁ କଥା ଶୁଣୁଥିଲେ-। ଆଉ ସମ୍ଭାଳି ନପାରି ହସି ହସି କହିଲେ, ଏଥର ସିଓରଲି ପ୍ରମସନ । ନୋ ଡାଉଟ୍ । ବିନୋଦବାବୁ ହସି ହସି ଚାଲିଲେ ଥାନାକୁ ।

 

ଫୋନଟା ବାରମ୍ବାର ବାଜି ଉଠୁଥାଏ କ୍ରିଂ କ୍ରିଂ ହୋଇ । ବିନୋଦବାବୁ ବ୍ୟସ୍ତଭାବରେ ଥାନା ଅଫିସ ରୁମ୍ ଭିତରେ ପହୁଞ୍ଚି ରିସିଭରଟାକୁ ତୋଳି ଧରି ପଚାରିଲେ, ‘‘ହଲୋ, କିଏ ଆପଣ-? କଣ କହୁଛନ୍ତି ?

 

ଉତ୍ତର ଆସିଲା, ଆପଣ ବିନୋଦବାବୁ–ଥାନା ଇନଚାର୍ଜ ଅଫିସର୍ ?

 

‘‘ଆଜ୍ଞା ହଁ, ଉତ୍ତର ଦେଲେ ବିନୋଦବାବୁ ।’’

 

ନମସ୍କାର, ମୁଁ ଜଣେ ଆପଣଙ୍କର ଅପରିଚିତ କହୁଚି ।

 

କଣ କହୁଚନ୍ତି ? କଣ ଦରକାର ମୋଠି କହନ୍ତୁ ?

 

-ଆପଣମାନେ ଦସ୍ୟୁଦଳଙ୍କୁ ଗିରଫ କରିବା ଲାଗି ଅପ୍ରାଣ ଚେଷ୍ଟା କରୁଚନ୍ତି ନା ?

 

-ହଁ, କାହିଁକି ଆପଣଙ୍କର ସେ ବିଷୟରେ କଣ ଦରକାର ? ବିରକ୍ତିକର କଣ୍ଠରେ କହିଲେ ବିନୋଦବାବୁ ।

 

ଉତ୍ତର ଆସିଲା, ବିରକ୍ତିକର ଲାଗୁଛି ବୋଧେ ମୋର ପ୍ରଶ୍ନ ଆପଣଙ୍କୁ ?

 

ଆହୁରି ବିରକ୍ତିକର କଣ୍ଠରେ କହିଲେ ବିନୋଦବାବୁ, ହଁ ଅଯଥା ବାଜେ ପ୍ରଶ୍ନ କରନ୍ତୁନି-କଣ ଦରକାର କହନ୍ତୁ ।

 

ବାଜେ ପ୍ରଶ୍ନ କରୁନି ଇନ୍‌ସିପେକ୍ଟର ବାବୁ....ଆପଣ ଏତେ ଧନ୍ଦି ହୋଇ ଯୁ’ଥିପାଇଁ ଘୁରି ମରୁଚନ୍ତି ତା’ରି ସଂଧାନ ମୁଁ ଦେବାପାଇଁ ପ୍ରସ୍ତୁତ ହୋଇ ଡାକିଚି । ଶୁଣନ୍ତୁ–

 

ଏ ପ୍ରକାର ଉତ୍ତରରେ ବିନୋଦବାବୁ ଚମକି ପଡ଼ି କହିଲେ, କିଏ ଆପଣ ?

 

-ଉତ୍ତର ଆସିଲା ଉଛୁଳ ହସ ଭିତରେ ‘ଯାଦୁଘରର ସର୍ଦ୍ଦାର ।’

 

ଅଜାଣତରେ ବିନୋଦବାବୁଙ୍କ କଣ୍ଠରୁ ବାହାରି ପଡ଼ିଲା ଦସ୍ୟୁ ? ସିପାହୀ, ସିପାହୀ କହି ଚିତ୍କାର କରି ଉଠିଲେ ଜୋରରେ–

 

ବିନୋଦବାବୁଙ୍କ ଚିତ୍କାରରେ ପୁଣି ଆହୁରି ଜୋରରେ ଉତ୍କଟ ହସ ଭାସି ଆସିଲା । ବିନୋଦବାବୁ ସେହିପରି ରିସିଭରଟାକୁ କାନ ପାଖରେ ଧରି ଶୁଣୁଥାନ୍ତି । କିଛି ସମୟ ପରେ ହସ ବନ୍ଦ ହୋଇ ପୁଣି ଶୁଭିଲା, ମୋ ନାଁ ଶୁଣି ବିଚଳିତ ହୋଇ ପଡ଼ିଲେଣି ଦେଖୁଚି । ଆଉ ଆପଣଙ୍କୁ ବେଶି ସମୟ ବିବ୍ରତ କରିବାକୁ ଦେବିନି । ମୋର ମଧ୍ୟ ସମୟ କମ୍ । ଶୁଣନ୍ତୁ–

 

ବିନୋଦବାବୁ ମନଯୋଗ ସହକାରେ ଶୁଣିବାକୁ ଲାଗିଲେ ।

 

ମୁଁ ଆପଣମାନଙ୍କୁ ବାରମ୍ବାର ସତର୍କ କରାଉଥିଲେ ମଧ୍ୟ ମୋର କୌଣସି ଅନୁରୋଧ ଗ୍ରହଣ କଲେନି । ଆପଣମାନେ ପ୍ରକୃତରେ ପୋଲିସ୍ ଚାକିରି କରିବାକୁ ଅଯୋଗ୍ୟ । ବର୍ତ୍ତମାନ ଶେଷଥର ପାଇଁ ମୁଁ କଣ କହିବାକୁ ଆସିଚି ଦୟାକରି ଶୁଣି ସମାଜର କଲ୍ୟାଣ ସାଧନ କରିବାରେ ବ୍ରତୀ ହୁଅନ୍ତୁ; ଅଯଥା ମାୟାମୃଗ ପଛରେ ଘୂରି ଶକ୍ତି ନଷ୍ଟ କରନ୍ତୁନି ।

 

ଆଗରୁ କହିସାରିଚି ଯେ, ଆମ ମାନଙ୍କଠାରୁ ଭଦ୍ରଖୋଳ ପିନ୍ଧିଥିବା ଲୋକେ ଆପଣଙ୍କର ପ୍ରଧାନ ଶତ୍ରୁ । ସେ ଶତ୍ରୁଙ୍କୁ ସାଧନକରିବାକୁ ଚେଷ୍ଟା ନକରି ଆମ ପଛରେ ଘୂରୁଛନ୍ତି କାହିଁକି ? ଆପଣ ଜାଣନ୍ତି-ଯୁ ମାନଙ୍କର ଆମେ ସର୍ବନାଶ କରିଛୁ ସେମାନେ କି ଧରଣ ଲୋକ ? ସେମାନେ ଆମଠାରୁ ଲକ୍ଷଗୁଣରେ ସଇତାନ । ଆପଣମାନଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଲକ୍ଷ ଲକ୍ଷ ନୀରିହଙ୍କର ତଣ୍ଟି ଚିପି ରକ୍ତ ଶୋଷଣ କରି ଗଢ଼ୁଛନ୍ତି ପାଞ୍ଚତାଲା କୋଠା । ବିସ୍ତାର କରିଚନ୍ତି ଏକାଧିପତ୍ୟ । ଏଇପରି ଭାବରେ ଯଦି ଆମେମାନେ କିଛିଦିନ ନୀରବ ରହିବୁ-ଶେଷକୁ ଆମେ ଆମର ଦେଶକୁ ବି ହରେଇ ବସିବୁ । ଯୁ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଅଧିକାର କରି ବସିଥିଲା ସେ ଜାତିର ଆଜି ଅବସ୍ଥା ହୋଇଚି କଣ ଆପଣ ଜାଣନ୍ତିନି ? ଅବସ୍ଥାର ସମ୍ମୁଖୀନ ହୋଇ ଓଡ଼ିଆ ଘରର ଝିଅ ଦେଶ ବିଦେଶରେ ବିକ୍ରୀ ହୋଇ କିପରି ଭାବରେ ନିର୍ଯ୍ୟାତିତା ହେଉଛନ୍ତି ଯୁ ସବୁ ଦଲାଲମାନେ ଏସବୁ ମୂଳରେ ରହି ଜାତିର ମେରୁଦଣ୍ଡ ଉପରେ ଆଘାତ କରୁଚନ୍ତି ସେମାନଙ୍କୁ ଆପଣମାନେ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିବା ଉଚିତ ନୁହେଁ କି ? କଣ କରୁଚନ୍ତି ଆପଣମାନେ ? ମିଛରେ କାହିଁକି ଆମ ପଛରେ ଘୂରୁଛନ୍ତି ? ଆମ୍ଭେମାନେ ପ୍ରକୃତରେ ଦସ୍ୟୁ ନୋହୁ-ଦସ୍ୟୁ ହେଉଚନ୍ତି ସେଇମାନେ । ଆମେମାନେ ଦେଶର ସେବକ । ଆମେମାନେ ଲୁଟ୍ କରୁନା, ଦୟାଶୀଳ ଲୋକର....କରୁ, ଯିଏ ଭିକାରୀକୁ ଭିକ ମୁଠେ ନଦେଇ ଦୁଆରୁ ତଡ଼ିଦିଏ-ପରର ତଣ୍ଟି ଚିପି ଅମାର ଭର୍ତ୍ତି କରେ ଆମେ ହତ୍ୟା କରୁ-ଦେଶଦ୍ରୋହୀ ଜାତିଦ୍ରୋହୀ, ଠକ, ଯୁଆଚୋର ମାନଙ୍କୁ । ବିଶ୍ୱାସ କରନ୍ତୁ ମୋ କଥାକୁ । ମୁଁ ଯାହା କହୁଚି ନିରାଟ ସତ୍ୟ । ଚଳନ୍ତା ଟ୍ରେନ ଭିତରେ ପାନ୍ନାଲାଲକୁ ହତ୍ୟା କରୁଛନ୍ତି ଆମ ଦଳର ଲୋକେ ବିଷାକ୍ତ ବାଷ୍ପ ପ୍ରୟୋଗ କରି ଅଚେତ ଅବସ୍ଥାରେ ଆପଣଙ୍କ ହାତରେ ଧରେଇ ଦେଇଥିଲେ ପନ୍ନାଲାଲର ରଖିତା ସ୍ତ୍ରୀ ରମାକୁ । ଭାବିଥିଲୁ ଆପଣମାନେ ତାଠୁଁ ସମସ୍ତ କଥା ଆଦାୟ କରି ଦୋଷୀକୁ ଉପଯୁକ୍ତ ଶାସ୍ତି ଦେବେ ବୋଲି । କିନ୍ତୁ, ଆପଣମାନଙ୍କର ସମସ୍ତ ବୁଦ୍ଧି ବୃତ୍ତି ତା ନିକଟରେ ହାର ମାନିଲା । ସେ ଦିନ ରାଙ୍ଗା ରାଓଠୁ ପାଞ୍ଚହଜାର ଟଙ୍କାର ଗହଣା ଠକି ନେଇଚୁ ଆମେ । ଆପଣଙ୍କୁ ସତର୍କ ଚିଠି ଦେଇ ଆସିଥିଲି ନିଜେ ମୁଁ । ତା ସତ୍ତ୍ୱେ, ଆପଣମାନେ କିଛି ବି କଲେନି; ବରଂ ସେମାନଙ୍କର ପ୍ରରୋଚନାରେ ପଡ଼ି ଆମରି ପଛରେ ଘୂରିଲେ । କଣ ବା ଲାଭ ହେଲା କହିଲେ ?

 

ବିନୋଦବାବୁ ମନଯୋଗ ସହକାରେ ସବୁ ଶୁଣି ପଚାରିଲେ, ମୋର କେତୋଟି କଥାର ଉତ୍ତର ଦେଇ ପାରିବେ କି ?

 

ପଚାରନ୍ତୁ, ନିର୍ଭିକ ଭାବରେ କହିଲା ସର୍ଦ୍ଦାର । ଆପଣ ବର୍ତ୍ତମାନ ଯୁ ସବୁ କଥା ଗୋଟାଏ ଝୁଂକ୍‌‌‌‌‌‌‌‌‌‌‌ରେ କହିଗଲେ ସେ ସବୁ, ଯେ କେହି ଶୁଣିଲେ ଆପଣଙ୍କୁ ଜଣେ ମହତ୍ ଲୋକ ବୋଲି ମନେକରିବ, କିନ୍ତୁ ମୁଁ କହୁଚି; ଆପଣମାନେ ଯୁ ନୀତି ନେଇ ଚାଲିଚନ୍ତି ସେ ନୀତିରେ କଣ ଦେଶର ପରିସ୍ଥିତି ବଦଳି ପାରିବ ? ଜାଲ, ଜୁଆଚୋରୀ ଧର୍ଷଣ ହତ୍ୟାକାଣ୍ଡ ଭିତରେ କଣ ଶାନ୍ତି ଫେରି ଆସିପାରେ, ପଚାରିଲେ ବିନୋଦବାବୁ-

 

-ନାଁ, କଦାପି ନୁହେଁ.... । ସାମୟିକ ବେଦନାର ଉପଶମ ମାତ୍ର ।

 

ତେବେ କାହିଁକି ଆପଣମାନେ ଶାନ୍ତି ଯୁଦ୍ଧ ନକରି ଦେଶ ଭିତରେ ଆତଙ୍କ ସୃଷ୍ଟି କରୁଚନ୍ତି-?

 

ଉତ୍ତର ଆସିଲା । ଆପଣମାନଙ୍କ ଶିଥିଳତା ଭାଙ୍ଗିଦେବା ନିମନ୍ତେ ଆପଣମାନେ ଆମ ପଛରେ ଘୂରୁଘୂରୁ ପ୍ରକୃତବାଟ ଆବିଷ୍କାର କରି ପାରିବେ-ବିସ୍ମିତ ହେଲେ ବିନୋଦବାବୁ ଏପ୍ରକାର ଉତ୍ତରରେ ।

 

ନିଜେ ଖୁସି ହେଲାପରି ଛଳନା କରି-ଧନ୍ୟବାଦ ଜଣେଇ ପଚାରିଲେ, ମୋର ଆଶା ଆପଣମାନେ ଆମମାନଙ୍କୁ ଏ ଦିଗରେ ସାହାଯ୍ୟ କରିବେ ନିଶ୍ଚୟ ?

 

ଉତ୍ତର ଆସିଲା ନିଶ୍ଚୟ, କରିବୁ...ଆପଣମାନେ ଯଦି ସାହାଯ୍ୟ ଚାହାନ୍ତି ।

 

ଆଉ ଥରେ ଧନ୍ୟବାଦ ଜଣେଇଁ କହିଲେ, ବିନୋଦବାବୁ-କେତୋଟି ପ୍ରଶ୍ନର ଉତ୍ତର ଦେବେକି ?

 

ଉତ୍ତର ଆସିଲା, ପଚାରନ୍ତୁ-କହିବାର ଆବଶ୍ୟକତା ଥିଲେ କହିବି ।

 

ବିନୋଦବାବୁ ପଚାରିଲେ, ଆଚ୍ଛା ‘କହନ୍ତୁତ, ରମା କିଏ ? ତା’ର ପ୍ରେମିକାକୁ କାହିଁକି ଆପଣମାନେ ହତ୍ୟା କଲେ ? ତା’କୁ ଆମ ହାତରେ ଛାଡ଼ି ଦେବାର ଉଦ୍ଦେଶ୍ୟ କଣ ?

 

ଉତ୍ତର ଆସିଲା, ସେ ଅନେକ କଥା । କେବଳ ଏତିକି ମାତ୍ର ଜାଣି ରଖନ୍ତୁ-ସେ ହେଉଚି ଏଇ ବ୍ରହ୍ମପୁର ସହରର ସ୍ୱନାମଧନ୍ୟ ବେଶ୍ୟା ମେନକାର ଭଉଣୀ । କଲିକତାର ପାନ୍ନାଲାଲ ସହିତ ସଂପୃକ୍ତ ରହି ଏଠାରୁ ବାଳିକା ଯୁବତୀ ମାନଙ୍କୁ ନେଇ ସେଠାରେ ବେଶ୍ୟାଳୟରେ ବିକ୍ରୀ କରିବା ତାର ବେଉସା । ପାନ୍ନାଲାଲ ହେଉଚି ବେଶ୍ୟାଳୟ ମାନଙ୍କର ବଡ଼ ଦଲାଲ ।

 

ଖୁସି ହୋଇ ପୁଣି ପ୍ରଶ୍ନ କଲେ ବିନୋଦବାବୁ ଏଠି ତା ସହିତ କେଉଁମାନେ ସଂପୃକ୍ତ ଅଛନ୍ତି-ତାକୁ ଏ ଦିଗରେ ସାହାଯ୍ୟ କରନ୍ତି ?

 

ସେମାନଙ୍କ ସହିତ ଏଠିକର ଇଣ୍ଡିମ ହୋଟେଲର ମାଲିକ ଆପନ୍ନାସ୍ୱାମୀ ଓ ରମାର ଭଉଣୀ ମେନକା ସଂପୃକ୍ତ ଅଛନ୍ତି । ସେମାନଙ୍କର ସାହାଯ୍ୟକାରୀ ରାଙ୍ଗାରାଓ, ବର୍ତ୍ତମାନ ଏଠିକାର ବିଶିଷ୍ଟ ସୁନା ବ୍ୟବସାୟୀ ।

 

ଏଥିରେ ରାଙ୍ଗାରାଓର ସ୍ୱାର୍ଥ ? ପଚାରିଲେ-ବିନୋଦବାବୁ...

 

-ରାଙ୍ଗାରାଓ, ଲମ୍ପଟ । ଭଦ୍ରଖୋଳ ପିନ୍ଧି ସେ ମେନକାର ସାହାଯ୍ୟରେ ସଦ୍ୟ ପ୍ରସ୍ଫୁଟିତ ଆଗନ୍ତୁକା ଯୁବତୀମାନଙ୍କୁ ପ୍ରଥମେ ଉପଭୋଗ କରିବାରେ ସୁଯୋଗ ପାଏ । ସେତିକି ତାର ସ୍ୱାର୍ଥ.... ।

 

-ଆପଣମାନେ ଏସବୁ ଖବର ଜାଣିଲେ କିମିତି ?

 

ଦୁନିଆର କୌଣସି ଖବର ନାହିଁ ଯାହାକି ଆମମାନଙ୍କ ନିକଟରେ ଆସି ନ ପହୁଞ୍ଚେ...ହସ ହସ କଣ୍ଠରେ ଉତ୍ତର ଦେଲା ।

 

-ବିନୋଦବାବୁ ପଚାରିଲେ ଆପଣମାନେ ସେମାନଙ୍କୁ ଧରିବାରେ ସାହାଯ୍ୟ କରିବେ ?

 

ଆପଣମାନେ ଯଦି ଅକ୍ଷମ ହୁଅନ୍ତି...ଉତ୍ତର ଦେଲା ସର୍ଦ୍ଦାର ।

 

ତେବେ କୁହନ୍ତୁ ଆପନ୍ନା ସ୍ୱାମୀ ବର୍ତ୍ତମାନ କେଉଁଠି ?

 

ଯେତେଦୂର ସମ୍ଭବ ଆପଣମାନଙ୍କ ଭୟରେ ସେ ଆତ୍ମଗୋପନ କରିଚି କମଳାକୁ ନେଇ ।

 

‘‘ୟାର ପ୍ରମାଣ ? ପଚାରିଲେ ବିନୋଦବାବୁ.....

 

ରାଙ୍ଗାରାଓଙ୍କ ଅଫିସ୍ ରୁମ୍ ଖାନତଲାସ କଲେ ୟା’ର ପ୍ରମାଣ ପାଇପାରିବେ ନିଶ୍ଚୟ ।

 

‘ଧନ୍ୟବାଦ ! କେବେ ପୁଣି ଆପଣଙ୍କ ସହିତ କଥାଭାଷା ହେବ ।’

 

-‘ଆପଣଙ୍କୁ ସେ ବିଷୟରେ ଧନ୍ଦିହେବାକୁ ପଡ଼ିବନି । ଆମେ ସମୟ ଜାଣି ଆପଣଙ୍କୁ ଖବର ଜଣାଇବୁ । ବ୍ୟସ୍ତ ହେବେନି । ନମସ୍କାର କହି କହିବା ବନ୍ଦକଲା ।’

 

ବିନୋଦବାବୁ, ରିସିଭରଟାକୁ ରଖିଦେଇ ଅବାକ୍ ହୋଇ ଚଉକି ଉପରେ ବସି ପଡ଼ିଲେ-। ବିନୋଦବାବୁଙ୍କର ଏ ପ୍ରକାର ଅବସ୍ଥା ଦେଖି, ଜବର ଆସି ପଚାରିଲା, ‘‘କଣ ହେଲା ବାବୁ ?

 

କିଛି ନାହିଁ । A.S.I ଙ୍କୁ କହିବେ ଶୀଘ୍ର ପୁଲିସ ସାହେବଙ୍କ ପାଖକୁ ଫୋନ୍ କରିବେ ଏଠିକି ଆସିବାକୁ । ଆଉ ତା ସାଙ୍ଗେ ସାଙ୍ଗେ ପ୍ରଫୁଲ୍ଲବାବୁ ଓ ପଙ୍କଜବାବୁଙ୍କ ପାଖକୁ ଖବର ପଠାଇବେ ଶୀଘ୍ର ଆସିବା ପାଇଁ ।

 

ଜବର ହଁ ଆଜ୍ଞା, କହି ଚାଲିଗଲା । ବିନୋଦବାବୁ କ୍ୱାଟରକୁ ଫେରିଲେ ।

 

ଚଉଦ

 

ସାଢ଼େ ଛଅଟା ବାଜିବ...ପୋଲିସ ସାହେବ ନିଦରୁ ଉଠି ମୁହଁ ହାତ ଧୋଇ ବୈଠକଖାନାରେ ବେଡ଼୍‍ ଟି ଖାଇ ବସିଚନ୍ତି, ହଠାତ୍ କଲିଙ୍ଗ୍ ବେଲ୍ ଟା ବାଜିଉଠିଲା କ୍ରୀଂ-କ୍ରୀଂ-କ୍ରୀଂ-

 

ପୋଲିସ୍ ସାହେବ ତରତରରେ ଚା’ତକ ପିଇଦେଇ ରିସିଭରଟାକୁ ତୋଳିଧରି ପଚାରିଲେ ‘‘ହଲୋ, କିଏ କହୁଚନ୍ତି ?

 

‘‘ମୁଁ ବ୍ରହ୍ମପୁର ଥାନା A.S.I. କହୁଚି ଅଭିବାଦନ ଜଣାଇ ଉତ୍ତର ଦେଲା...

 

କଣ ଖବର ? ଉଦବିଗ୍ନ ହୋଇ ପଚାରିଲେ, ‘ପୋଲିସ ସାହେବ ।’

 

ଯୁବତୀଟି ଧରାପଡ଼ିବା ଭୟରେ ଆତ୍ମହତ୍ୟା କଲା । ପୋଷ୍ଟମଟମ ପାଇଁ ହସପିଟାଲ ପଠାଇ ଦେଇଚୁ... । ଆପଣ ଶୀଘ୍ର ଏଠାକୁ ଆସିବାକୁ ଅଫିସର୍ ଇନଚାର୍ଜ ଅନୁରୋଧ କରୁଚନ୍ତି ।

 

ପୋଲିସ ସାହେବଙ୍କ ମନରେ ଚମକ ଲାଗିଗଲା...ସେ ଦୀର୍ଘ ନିଶ୍ୱାସ ତ୍ୟାଗ କରି ଉତ୍ତର ଦେଲେ; ଆଚ୍ଛା ତମେ ଅଫିସର ଇନଚାର୍ଜଙ୍କୁ କହିଦିଅ । ମୁଁ ବର୍ତ୍ତମାନ ବାହାରୁଚି ଅଧଘଣ୍ଟେ ଭିତରେ ପହଞ୍ଚିବି । A.S.I. ଅଭିବାଦନ ଜଣାଇ କହିବା ବନ୍ଦ କଲା ।

 

ପୁଲିସ ସାହେବ ଆଉ ମୁହୂର୍ତ୍ତେ ମାତ୍ର ଡେରି ନ କରି ଯିବାପାଇଁ ଉଦ୍ୟତ ହେଉଚନ୍ତି ଚପରାସି ପ୍ରବେଶ କରି ସାଲ୍ୟୁଟ ଦେଇ ଗୋଟିଏ ଏକସପ୍ରେସ୍ ଚିଠି ଆଣି ବଢ଼ାଇ ଦେଲା । ପୋଲିସ୍ ସାହେବ ସାଙ୍ଗେ ସାଙ୍ଗେ ଟେଲିଗ୍ରାମର ଲଫାପାଟିକୁ ଚିରି ଏକ ନିଶ୍ୱାସରେ ପଢ଼ିପକାଇ ବିସ୍ମିତ ହୋଇ ଉଠିଲେ । ଆଉ ମୁହୂର୍ତ୍ତେ ମାତ୍ର ଡେରି ନ କରି ଡ୍ରାଇଭରକୁ ଡାକିଲେ କାର୍ ପ୍ରସ୍ତୁତ କରିବାକୁ । ଡ୍ରାଇଭର ସାଲ୍ୟୁଟ୍ ଦେଇ ଗ୍ୟାରେଜକୁ ଗାଡ଼ି ଆଣିବାକୁ ଚାଲିଗଲା । ପୋଲିସ୍ ସାହେବ ଡ୍ରେସିଙ୍ଗ ରୁମ୍ ଭିତରକୁ ଚାଲିଯାଇ ପୋଷାକଟା ତରତରରେ ପିନ୍ଧି ବାହାରି ପଡ଼ିଲେ । ସାହେବଙ୍କ ଏକ ପ୍ରକାର ଅସ୍ଥିରତା ଦେଖି-ମେମ୍ ସାହେବ ପଚାରିଲେ ଏତେ ଅସ୍ଥିରତା କାହିଁକି ? ଏଡ଼େ ସକାଳୁ ଅଖିଆ ଅପିଆ କୁଆଡ଼ିକି ବାହାରୁଚ ?

 

ଆସିଲେ କହିବି–କହିବାକୁ ବର୍ତ୍ତମାନ ବେଳ ନାହିଁ.....ବଡ଼ ବ୍ୟସ୍ତ ଭାବରେ ବାହାରି ପଡ଼ିଲେ । ସେତେବେଳକୁ କାରଟି ଆଣି ଡ୍ରାଇଭର ଗେଟ୍ ଫାଟକ ପାଖରେ ପହଞ୍ଚାଇ ଦେଇ ସାରିଥିଲା । ପୋଲିସ୍ ସାହେବ ବସିବା ମାତ୍ରେ କାରଟି ଦୂରନ୍ତ ଗତିରେ ଛୁଟି ଚାଲିଲା ବ୍ରହ୍ମପୁର ରାସ୍ତାରେ ।

 

ଛତ୍ରପୁରଠାରୁ ବ୍ରହ୍ମପୁର ମାତ୍ର ତେର ମାଇଲ । ପନ୍ଦର ମିନିଟ୍ ଭିତରେ କାର୍ ଯାଇଁ ବ୍ରହ୍ମପୁର ଟାଉନ୍ ପୋଲିସ୍ ଷ୍ଟେସନରେ ପହଞ୍ଚିଗଲା...ସେତେବେଳକୁ ପଙ୍କଜବାବୁ, ପ୍ରଫୁଲ୍ଲବାବୁ ବିନୋଦବାବୁ ପ୍ରଭୃତି ପ୍ରସ୍ତୁତ ହୋଇ ସାହେବଙ୍କୁ ଅପେକ୍ଷା କରି ବସିଥିଲେ । କାର୍ ପହଞ୍ଚିବା ମାତ୍ରେ ଅଭିବାଦନ ଜଣେଇ ଭିତରକୁ ନେଇ ଗଲେ, ବିଳମ୍ବ ନକରି ପୋଲିସ ସାହେବ ଅଫିସ ରୁମରେ ବସି ଖବର କଣ ବୋଲି ପଚାରିବାରୁ ବିନୋଦବାବୁ ଘଟିଥିବା ସମସ୍ତ ଘଟଣା ଟକିନିଖି କରି ବର୍ଣ୍ଣନା କରିଗଲେ ।

 

ପୋଲିସ ସାହେବ ସମସ୍ତ ଘଟଣା ଶୁଣିବାପର କହି ଉଠିଲେ ଆଉ ବିଳମ୍ବ କରିବା ଦରକାର ନାହିଁ । ଆଗେ ଚାଲ-ରାଙ୍ଗାରାଓ କୁଆଡ଼େ-ଆମ ଆସିବା ସମ୍ବାଦ ପାଇ ଚାଲିଯାଇ ପାରେ-। ଚାଲନ୍ତୁ ସାର୍, କହି ସମସ୍ତେ ଅଫିସ ରୁମରୁ ଉଠି କାର ଭିତରକୁ ଆସିଲେ । ସାହେବ ଡ୍ରାଇଭରକୁ ଗାଡ଼ି ବଡ଼ବଜାର–ଅଭିମୁଖରେ ଚଳାଇବାକୁ କହିଲେ । ରାଙ୍ଗାରାଓଙ୍କ ଦୋକାନ ବଡ଼ ବଜାର ମେନ୍ ଛକ ଉପରେ । କାର୍ ଯାଇ ସେଇଠି ଅଟକିଲା । ସେତେବେଳକୁ ରାଙ୍ଗାରାଓଙ୍କ ମେନେଜର ଆସି ଦୋକାନ ଖୋଲି ଜିନିଷପତ୍ର ସଜାଇବାରେ ଲାଗିଛନ୍ତି । ହଠାତ୍, ପୋଲିସ୍ ସାହେବଙ୍କ ଗାଡ଼ିକୁ ଦୋକାନ ସାମନାରେ ଦେଖିପାରି–ଦଉଡ଼ି ଆସି ଅଭିବାଦନ ଜଣେଇଲେ ।

 

‘ପୋଲିସ ସାହେବ ପଚାରିଲେ ‘ମିଷ୍ଟର, ରାଓ ଅଛନ୍ତି ?

 

-‘ଅଛନ୍ତି’ ଆଜ୍ଞା, ଅଫିସ ରୁମରେ ବସିଚନ୍ତି । କ’ଣ ଡାକିଦେବି ?-‘ନା, ଡାକିବାର ଆବଶ୍ୟକତା ପଡ଼ୁନି...ଚାଲନ୍ତୁ ମୁଁ ନିଜେ ସେଠାକୁ ଯାଇ କଥାଭାଷା ହୋଇ ଆସିବି ।

 

ରାଙ୍ଗାରାଓଙ୍କ ମାନେଜର ଏ ସବୁ ରହସ୍ୟ କିଛିମାତ୍ର ଜାଣି ନଥିଲେ...ତେଣୁ, ବିନା ଆପତ୍ତିରେ ଅଫିସ ରୁମ୍ ପାଖକୁ ପୋଲିସ ସାହେବଙ୍କୁ ସମାଦରରେ ପାଛୋଟି ନେଇ ଗଲେ । ପୋଲିସ ସାହେବ ସଦଳବଳେ ସୁନାକୋଠିର ଉପର ମହଲାରେ ଥିବା ରାଙ୍ଗାରାଓଙ୍କ ଅଫିସ୍ ରୁମକୁ ଚାଲିଲେ ।

 

ରାଙ୍ଗାରାଓ ଯଦି ଓ ଜାଣିଥିଲେ; ବିପଦ ତାଙ୍କ ମୁଣ୍ଡ ଉପରେ ଅଛି ବୋଲି ତଥାପି ଏସବୁ-ଏତେ ଶୀଘ୍ର ଘଟିଯିବ ଏକଥା ମନରେ ଆଦୌ ଆଣି ପାରି ନଥିଲେ । ସେଥିପାଇଁ ନିଶ୍ଚିନ୍ତ ଭାବରେ ଅଫିସ ରୁମ୍ ଭିତରେ ବସି ଉପାୟ ଚିନ୍ତା କରୁଥିଲେ । ହଠାତ୍’ ପୋଲିସ ସାହେବଙ୍କୁ ସେଠାରେ ଦେଖି ଉପାୟହୀନ ହୋଇ ପଡ଼ି ନିଜକୁ ଲୁଚାଇବା ପରି ଅଭିନୟ କରି ଅଭିବାଦନ ଜଣାଇଁ ସମାଦାର ସହିତ ଅଫିସ୍ ରୁମ୍ ଭିତରେ ପଡ଼ିଥିବା ମଖମଲ ଦିଆ ଆରାମ୍ ଚୌକି ଉପରେ ବସାଇ କହିଲେ, ଆଜି ଏ ଗରୀବ ଦୁଆରେ ପାଦ ପଡ଼ିଲା କିମିତି ଆଜ୍ଞା ? ପୋଲିସ ସାହେବ ମୁରୁକି ହସ ହସି କହି ଉଠିଲେ-ଆପଣଙ୍କ ସହିତ କେତେକ ବିଷୟ ଆଲୋଚନା କରିବା ପାଇଁ ଆସିଚୁ... ?

 

‘‘ଆଲୋଚନା ? ମୋ ସହିତ ଆଲୋଚନା...ଏକି ଅସମ୍ଭବ କଥା କହୁଚନ୍ତି ଆଜ୍ଞା ? ବଡ଼ ବିସ୍ମିତ ହେଲାପରି ପଚାରିଲେ ରାଙ୍ଗାରାଓ ।

 

ପୋଲିସ ସାହେବ ହସି ହସି କହିଲେ, ବିଶ୍ୱାସ କରିପାରୁ ନାହାନ୍ତି ବୋଧେ ? ବର୍ତ୍ତମାନ ସବୁ କଥା ଜାଣିପାରିବେ ।

 

ହଉ, ଏ’ତ ପରମ ସୌଭାଗ୍ୟ ମୋର । ବସନ୍ତୁ, ମୁଁ ଟିକିଏ ବାହାରୁ ଆସୁଚି କହି ଉଠିବାକୁ ଉଦ୍ୟତ ହେଲେ ।

 

ନାଁ, ଆପଣ ଏଠୁଁ ବାହାରକୁ ଯିବା ଦରକାର ନାହିଁ । ଆପଣ ବୋଧେ ଆମମାନଙ୍କୁ ଅଭ୍ୟର୍ଥନା ଜଣେଇବା ପାଇଁ ବ୍ୟବସ୍ଥା କରିବାକୁ ଉଠୁଛନ୍ତି ? ଆମେ ସମସ୍ତ ବ୍ୟବସ୍ଥା ସାରି ଆସିଚୁ । ଆପଣଙ୍କ ସହିତ କେତୋଟି ବିଷୟ କଥାଭାଷା ହେଲେ ଚାଲିଯିବୁ ।

 

ରାଙ୍ଗାରାଓ ବଡ଼ ଅକଡ଼ିଆରେ ପଡ଼ିଲେ । କଣ କରିବେ କିଛି ସ୍ଥିର କରି ପାରିଲେନି । ସୁନାପିଲାଟି ପରି ଚୁପ୍ ହୋଇ ବସିଲେ ଚଉକି ଉପରେ ।

 

ପୋଲିସ୍‌ ସାହେବ ମୁରୁକି ହସା ଦେଇ ପଚାରିଲେ, ଆଚ୍ଛା, ରାଓବାବୁ ଆପଣ ଇଣ୍ଡିଆ ହୋଟେଲର ମାଲିକ ଆପନ୍ନା ସ୍ୱାମୀଙ୍କୁ ଜାଣିଥିବେ ଏବଂ ତାଙ୍କ ସହିତ ନିଶ୍ଚୟ ପରିଚୟ ଥିବ ?

 

-ହଁ, ଅଛି ଆଜ୍ଞା....

 

-ସେ କିମିତି ଧରଣର ଲୋକ କହିପାରିବେ ?

 

-ବ୍ୟବସାୟୀ ହିସାବରେ ସେ ଭାରି ସଚୋଟ । ବ୍ୟବହାର ମଧ୍ୟ ସୁନ୍ଦର । ଭାରି ଭଦ୍ରବୋଲି ମୋର ଧାରଣା । ୟା’ ଛଡ଼ା ମୁଁ ଏକାବେଳକେ ତାଙ୍କ ପ୍ରାଇଭେଟ୍ ଲାଇଫ୍ ବିଷୟରେ ଅନଭିଜ୍ଞ ।

 

ତାଙ୍କ ସହିତ ଆପଣଙ୍କର କିଛି ସଂପର୍କ ଅଛି ? ପଚାରିଲେ ପୋଲିସ ସାହେବ ।

 

‘ଅଛି, ବ୍ୟବସାୟ ସଂପର୍କ । ସେ ମୋ ସହିତ ସୁନା ରୂପାର କାରବାର କରନ୍ତି ।’’

 

କେଉଁ କେଉଁ ଦିନ ତାଙ୍କ ସହିତ ଆପଣଙ୍କର ବ୍ୟବସାୟ ହୋଇଚି ତା’ତ ନିଶ୍ଚୟ ଆପଣଙ୍କ ଖାତାରୁ ବାହାରିବ ।

 

‘ତାଙ୍କ ସହିତ ମୋର ବିଶେଷ ବ୍ୟବସାୟ ନଥାଏ, ଆଉ ତା’ଛଡ଼ା ସବୁ ଖୁଚୁରା ବ୍ୟବସାୟ କରନ୍ତି । ଖାତାପତ୍ରରେ ସେ ସବୁ ଲେଖା ନଥିବ, କହିଲେ ରାଙ୍ଗାରାଓ ।’

 

ବେଶ୍, ତାପରେ ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଅନୁରୋଧ ।

 

ପଚାରନ୍ତୁ ଆଜ୍ଞା, ଆପଣଙ୍କ ପାଖରେ ମୋର ଲୁଚାଇବାର କୌଣସି କାରଣ ନାହିଁ,.....ମୁହଁରେ କୃତ୍ରିମ ହସ ଖେଳେଇ କହିଲେ ରାଙ୍ଗାରାଓ ।

 

ଆଚ୍ଛା, ବ୍ରହ୍ମପୁରରେ ଥିବା ବେଶ୍ୟାମାନଙ୍କ ସହିତ ଆପନ୍ନା ସ୍ୱାମୀର ସଂପର୍କ ଅଛିକି ?

 

ଥାଇପାରେ...ହୋଟେଲ ମାଲିକଙ୍କ ପାଖରେ ସାଧାରଣତଃ ବିଭିନ୍ନ ପ୍ରକାର ଲୋକ ଆସି ଜୁଟନ୍ତି । ସେମାନଙ୍କ ମନୋରଂଜନ ପାଇଁ ବ୍ୟବସ୍ଥା ଏମାନେ କରିବାର ମୁଁ ଶୁଣିବାକୁ ପାଇଚି । ତେଣୁ ଅସମ୍ଭବ କଣ ?

 

ଟିକିଏ ଭାବି ପୁଣି ପୋଲିସ୍ ସାହେବ ପଚାରିଲେ, ଆଚ୍ଛା, ରାଓବାବୁ....ଏ ସହରରେ ଥିବା ସ୍ୱନାମଧନ୍ୟା ବେଶ୍ୟା ମେନକାର ସହିତ ରାଙ୍ଗାରାଓ କି ପ୍ରକାର ସଂପର୍କ ?

 

ସେ ବିଷୟରେ ମୁଁ କିଛି କହିପାରିବିନି ଆଜ୍ଞା । କାରଣ–

 

‘ହସିଉଠିଲେ ପୋଲିସ୍ ସାହେବ ଜୋରରେ । ସେଇ ହସର ଧ୍ୱନିରେ ରାଙ୍ଗାରାଓଙ୍କର ହୃଦୟତନ୍ତ୍ରୀ ଥରି ଉଠିଲା... । ସେ ବଡ଼ ଡରିଲାପରି ଦେଖାଗଲେ । ପୋଲିସ୍ ସାହେବ ବିଦ୍ରୂପର ହସ ମୁହଁରେ ଖେଳେଇ କହିଲେ, ‘‘ମିଷ୍ଟର ରାଓ, ଆମମାନଙ୍କର ଏପରି ସମୟରେ ଏଠିକି ଆସିବାର କାରଣ କିଛି ଲକ୍ଷ୍ୟ କରିପାରିଚନ୍ତି ?

 

ନାଁ ଆଜ୍ଞା, କିଛିମାତ୍ର ଜାଣେନି–ବଡ଼ କଂପିତ କଣ୍ଠରେ ଉତ୍ତର ଦେଲେ ରାଙ୍ଗାରାଓ ।

 

ଶୁଣନ୍ତୁ ଗମ୍ଭୀର କଣ୍ଠରେ କହିଲେ ପୋଲିସ ସାହେବ, ବର୍ତ୍ତମାନ କେତେକ ଅପରାଧରେ ଆମେ ଆପଣଙ୍କୁ ସନ୍ଦେହ କରି ଆରେଷ୍ଟ କରିବାକୁ ଆସିଚୁ । ଆଉ ତାର ପ୍ରମାଣ ଆମେ ଆପଣଙ୍କଠାରୁ କେତେକାଂଶରେ ପାଇ ସାରିଲୁଣି । ଆପଣ ଚୁପ୍ ହୋଇ ବର୍ତ୍ତମାନ ବସନ୍ତୁ-ଆମେ ଏଘର ସର୍ଚ୍ଚ କରିବୁ । ଆପଣଙ୍କ ସମସ୍ତ ଆଲମିରା ଓ ଟ୍ରେଜେରି ଚାବି ଦିଅନ୍ତୁ ।

 

ରାଙ୍ଗାରାଓଙ୍କ ମୁଣ୍ଡରେ ଅକାଳ ବଜ୍ର ପଡ଼ିଲା । ତୁଣ୍ଡରୁ ପଦେ କଥା ବି ବାହାରିଲା ନାହିଁ-। ସେ କେଭେ ଆଶା କରି ନଥିଲେ ଯୁ’ ପୋଲିସ୍ ସାହେବ ତାଙ୍କୁ ସମ୍ମାନ ଜଣେଇବାରେ ଦିନେ ତ୍ରୁଟି କରୁନଥିଲେ ସେ ଆଜି ତାଙ୍କର ସର୍ବନାଶ କରିବେ ବୋଲି । ସେ ନୀରବରେ ମୁହଁ ତଳକୁ ପୋତି ବସି ରହି ଚାବିକାଠି ପୋଲିସ ସାହେବଙ୍କୁ ବଢ଼ାଇ ଦେଲେ ।

 

ପୋଲିସ୍ ସାହେବ ବଡ଼ ଘରେ ଥିବା ସମସ୍ତ କାଗଜପତ୍ର ତଲାସ କରିବାକୁ ଆଦେଶ ଦେଲେ । ହୁକୁମ ତାଲିମ କରାଗଲା, ପ୍ରଫୁଲ୍ଲବାବୁ, ବିନୋଦବାବୁ, ପଙ୍କଜବାବୁ ସମସ୍ତ ଜିନିଷ ଟିକିନିଖି କରି ଦେଖିବା ପର ଆପନ୍ନାସ୍ୱାମୀର ତେଲଗୁରେ ଲେଖା ଖଣ୍ଡିଏ ହସ୍ତାଙ୍କିତ ପତ୍ର ଜଉ ମୁଦଦିଆ ଗୋଟିଏ ଲଫାପାଭିତରେ ପାଇଲେ । ବିନୋଦବାବୁ ତେଲଗୁ ପଢ଼ିବାରେ ଅଭ୍ୟସ୍ତ ଥିଲେ, ସେ ଲଫାପାଟିକୁ ଚିରି ଚିଠିଟିକୁ ପଢ଼ି ଆନନ୍ଦରେ ଚିତ୍କାର କରି ଉଠିଲେ ମିଳିଚି ଆଜ୍ଞା, ଏଥର ଚାଲନ୍ତୁ...ପୋଲିସ୍ ସାହେବ ରାଗରେ ଜଳିଉଠି କହିଲେ; ସୟତାନ, ମୋ ଆଗରେ ପୁଣି ଚାଲାକି ?

 

ଚାଲ । ମୁଁ ତୋର କି ସର୍ବନାଶ କରିପାରେ ଦେଖିବୁ ।

 

-ବିନୋଦବାବୁ ହସିହସି କହିଲେ, ଚାଲ ମି: ରାଓ-ନିଜର ଇଜ୍ଜତକୁ ବଞ୍ଚେଇ-ମଟର ଭିତରକୁ ଚାଲନ୍ତୁ । ନଚେତ୍ ପୋଲିସ କନେଷ୍ଟବଲ୍ ଆସି ହାତକଡ଼ା ଦେଇ ନେଇ ଯିବେ ।

 

ରାଙ୍ଗାରାଓଙ୍କର ଆଉ କଥାକହିବାର ଯୁ’ ନଥିଲା । ସେ ବାପର ସୁପୁତ୍ରପରି ଚାଲିଲେ ମଟର ଭିତରକୁ । ମଟର ଛୁଟି ଚାଲିଲା ମଙ୍ଗଳବାର ପେଣ୍ଠ ସାହି ମେନକା ବେଶ୍ୟାର ଗୃହାଭିମୁଖରେ ।

 

-ପନ୍ଦର-

 

ପୋଲିସ ଏପ୍ରକାର ଭାବରେ ଗିରଫ କରି ରାଙ୍ଗାରାଓଙ୍କୁ ନେବା ଖବର ବିଦ୍ୟୁତ୍ ବେଗରେ ସହରର ଚାରିଆଡ଼େ ଖେଳିଗଲା....ଘଟଣା କଣ ସଠିକ୍ ଜାଣି ନପାରି ନାନା ଭାବରେ ନାନାପ୍ରକାର ଗୁଜବ ଉଠିଲା... । ଦୋକାନ, ବଜାର, ରାସ୍ତାଘାଟ ଯୁଆଡ଼େ ଶୁଣିବ ସେଇ ଆଲୋଚନାରେ ଲୋକେ ବ୍ୟସ୍ତ ।

 

କାର ଯାଇ ଦୁଇ ମିନିଟ୍ ଭିତରେ ମଙ୍ଗଳବାର ପେଟାସାହି କମଳା ବାଈର ଦୁଆର ସାମନାରେ ଅଟକି ଗଲା...ଚାରିଆଡ଼େ ସମସ୍ତ ପୋଲିସ କଡ଼ା ପହରା ଦେଉଥାନ୍ତି । ରାଙ୍ଗାରାଓଙ୍କୁ ସାଙ୍ଗରେ ଧରି ପୋଲିସ୍ ସାହେବ ଓ ପଙ୍କଜବାବୁ ପ୍ରଭୃତି ସମସ୍ତେ କମଳାର ଘର ଭିତରକୁ ପ୍ରବେଶ କଲେ । ଘରର ଉପର ଠାରୁ ତଳ ପର୍ଯ୍ୟନ୍ତ ସବୁ ଜାଗା ଟିକି ନିଖି କରି ଅନୁସନ୍ଧାନ କରାଗଲା । ଶେଷରେ କିଛି ମାତ୍ର ନପାଇ ପୋଲିସ୍ ସାହେବ ଚଢ଼ାଗଳାରେ ପଚାରିଲେ, ‘‘ରାଓ, ଏଘର ଭିତରର ଗୁପ୍ତପଥ ନିଶ୍ଚୟ ଆପଣ ଜାଣିଥିବେ ?

 

-ନା ଆଜ୍ଞା, ‘କଂପିତ ସ୍ୱରରେ କହିଲେ ରାଙ୍ଗାରାଓ’ । ପୋଲିସସାହେବ ଚଢ଼ାଗଳାରେ ପଚାରିଲେ ‘‘ମୋ ସାମନାରେ ମିଥ୍ୟା କହିବାକୁ ସାହାସ କରନି...ଜାଣି ପାରୁଚ, ତୁମେ ଆମକୁ ସବୁକଥା ଖୋଲି ନ କହିଲେ ପରିଣାମଟା କଣ ହେବ ?

 

ମୁଁ ଏ ବିଷୟରେ କିଛି ମାତ୍ର ଜାଣେନି ଆଜ୍ଞା, ଥରି ଥରି ଭୟରେ ଉତ୍ତର ଦେଲେ ରାଙ୍ଗାରାଓ ।

 

-ଜାଣେନା, ବେଶ୍‌ ତେବେ ମୁଁ ତୁମପାଇଁ ଉପଯୁକ୍ତ ବ୍ୟବସ୍ଥା ସାଙ୍ଗେ ସାଙ୍ଗେ କରି ଦେଉଚି । ସିପାହୀ, ଚଲାଅ ହଣ୍ଟର, ସବୁକଥା ଆଦାୟ ନହେବା ପର୍ଯ୍ୟନ୍ତ ମାଡ଼ ଜମା ବନ୍ଦ କରିବନି-

 

ରାଙ୍ଗାରାଓ ଦିହରେ ଆଜିଯାଏଁ–କେହି ଟିପ ଦେବାତ ଦୂରର କଥା ସାମନାରେ ଆସି କଥା କହିବାକୁ ସାହସ କରୁ ନଥିଲେ । ସେଇ ରାଙ୍ଗାରାଓଙ୍କୁ ଆଜି ହଣ୍ଟରରେ ସିପାହୀ ମାଡ଼ିଦେବ ଏଇ କଥା ଭାବି, ଭୟରେ ଅସ୍ଥିର ହୋଇ କହି ଉଠିଲେ ମୋତେ ମାଡ଼ ଦିଅନ୍ତୁ ନି ଆଜ୍ଞା, ମୁଁ ସବୁକଥା କହୁଚି ।

 

ପୋଲିସସାହେବ ମୁହଁରେ କୃତ୍ରିମ ହସ ଖେଳେଇ କହିଲେ, ବେଶ୍‌ ଆମେତ ସେଇକଥା ଆପଣଙ୍କ ଠାରୁ ଚାହୁଁଥିଲୁ–ସିଧା ସିଧା କହି ଦେଇଥିଲେ । ଏସବୁର ପ୍ରଶ୍ନ ଉଠିଥାନ୍ତା କାହିଁକି ?

 

-ପଙ୍କଜବାବୁ ସବୁକଥା ମନଯୋଗ ସହିତ ଶୁଣୁଥାନ୍ତି...ମଝିରେ ମଝିରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରୁଥାନ୍ତି ।

 

ପୋଲିସସାହେବ ପୁଣି କହିଲେ ଆଉ ଡେରି କାହିଁକି ମିଷ୍ଟର ରାଓ ! ଶୀଘ୍ର କାମ ଶେଷକରି ଆମକୁ ଫେରିବାକୁ ପଡ଼ିବ ।’’

 

ଏତିକିବେଳେ ଅଗଣା ମଝିରେ ଥିବା ଗୋଟିଏ ବଡ଼ ପିଜୁଳୀ ଗଛରେ ଝୁଲାଯାଇଥିବା ଗୋଟିଏ ଲୁହାଶିକୁଳି ଉପରେ ପଙ୍କଜବାବୁଙ୍କର ନଜର ପଡ଼ିଲା....ସେ ସାଙ୍ଗେ ସାଙ୍ଗେ ଗଛ ଉପରକୁ ଉଠିଯାଇ ଦେଖିଲା ଶିକୁଳିଟି ଗଛ ମୂଳରେ ଥିବା ଗୋଟିଏ କୋରଡ଼ ଭିତରକୁ ଝୁଲୁଚି । ସେ କୌତୁହଳତା ପ୍ରକାଶ କରି ଲୁହା ଶିକୁଳିଟିକୁ ଜୋରରେ ଟାଣିଦେଲେ । ସାଙ୍ଗେ ସାଙ୍ଗେ ସାଇରେନ୍‌ ବାଜିଲା ପରି ଗୋଟିଏ ଶବ୍ଦ ଭିତରୁ ବାଜି ଉଠିଲା....ପୋଲିସସାହେବ ଓ ଅନ୍ୟାନ୍ୟମାନେ ବିସ୍ମିତ ହୋଇ ଅନାଇଲେ ସେଇ ଆଡ଼କୁ । ପଙ୍କଜବାବୁ ଗଛ ଉପରେ ଥାଇ କହି ଉଠିଲେ ଆଉ ଚିନ୍ତା କରନ୍ତୁନି ସାର୍‌ । ଆମେ ଠିକ୍‌ ଜାଗାରେ ଆସି ପହଞ୍ଚିଛେ । ଆମର ଏ ଅଭିଯାନ ଶେଷ ଅଭିଯାନ ।

 

ସମସ୍ତ ପୋଲିସବାଲାଙ୍କ ମୁହଁରେ ହସ ଫୁଟିଉଠିଲା ।

 

ପୋଲିସସାହେବ କଡ଼ା ଗଳାରେ ପୁଣି ପଚାରିଲେ ବର୍ତ୍ତମାନ ଗୁପ୍ତ ପଥର ସଂଧାନ ଶୀଘ୍ର କୁହ-ରାଙ୍ଗାରାଓ....ନଚେତ୍‌ ପ୍ରାଣଦଣ୍ଡ ଛଡ଼ା ଅନ୍ୟବାଟ ତମର କିଛି ନାହିଁ ।

 

ରାଙ୍ଗାରାଓ ଭୟ ବିହ୍ୱଳିତ କଣ୍ଠରେ କହିଲେ ମୋର କଥା ଟିକିଏ ଶୁଣନ୍ତୁ ଆଜ୍ଞା ।

 

କହ, ଶୀଘ୍ର କହ । ରାଙ୍ଗାରାଓ ଭୟରେ ଥରି ଥରି କହିଲେ ଆପଣ ଜାଣନ୍ତିକି ଆଜ୍ଞା, ଆପନ୍ନାସ୍ୱାମୀ କି ପ୍ରକାର ଲୋକ । ମୁଁ ସବୁବେଳେ ତା ନିକଟରେ ଶରଣାପନ୍ନ । ସେ ବିଚାର କଲେ ଗୋଟାଏ ମିନିଟ ଭିତରେ ମୋର ସର୍ବନାଶ କରିବ ।

 

-ଭୟ ନାହିଁ ମୁଁ ତମକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବି । ତମେ ନିର୍ଭୟ ମନରେ କହ । ତମର କୌଣସି କ୍ଷତି କରିବାକୁ ଦେବିନି । କହିଲେ ପୋଲିସ ସାହେବ ।

 

ସେ ଯାହାହେଉ, ମୁଁ ଯେତେବେଳେ ଧରାପଡ଼ିଚି-ଏ ବାଟରେ ମରିବି, ସେ ବାଟରେ ବି ମରିବି । ମରିବା ବେଳରେ ଆଉ ଭଲ ମନ୍ଦ ଭାବିବାର କଣ ଅଛି । ଆସନ୍ତୁ, ମୁଁ ଆପଣଙ୍କୁ ଗୁପ୍ତପଥର ସଂଧାନ ଦେଉଚି କହି କାନ୍ଥରେ ଝୁଲୁଥିବା ଗୋଟିଏ ଲୁହା ଶିକୁଳିକୁ ଜୋରରେ ଟାଣିଦେଲେ । ସାଙ୍ଗେ ସାଙ୍ଗେ କାନ୍ଥର ଗୋଟିଏ ଅଂଶ ଖୋଲିଗଲା ଏବଂ ଭିତରକୁ ବାଟ ସ୍ପଷ୍ଟ ଦେଖାଗଲା । ପଙ୍କଜବାବୁ ନିକଟକୁ ଦଉଡ଼ିଯାଇ ଦେଖିଲେ କାନ୍ଥର ଯେଉଁ ଅଂଶଟି ଖୋଲିଯାଇଚି ସେ ଅଂଶଟି ଗୋଟିଏ କାଠ ପଟାରେ ତିଆରି କବାଟ । ଘରର କାନ୍ଥ ରଙ୍ଗ ସାଙ୍ଗରେ ମିଶାଇ କୃତ୍ରିମ ଉପାୟରେ ରଙ୍ଗ କରାଯାଇଚି । ଆନନ୍ଦରେ ବିହ୍ୱଳ ହୋଇ ବଡ଼ ପାଟିରେ କହିଉଠିଲେ ‘‘ଦେଖନ୍ତୁ ସାର୍‌ କି ଉପାୟରେ ଦସ୍ୟୁ ତା’ର ଯାତାୟାତର ପଥ ପରିଷ୍କାର କରି ରଖିଛି । ଏତିକିବେଳେ ଘରର ଛାତ ଉପରୁ ଖଣ୍ଡିଏ ମସ୍ତବଡ଼ ପଥର ରାଙ୍ଗାରାଓଙ୍କ ମୁଣ୍ଡ ଉପରକୁ ଖସିପଡ଼ିଲା । ରାଙ୍ଗାରାଓ ଚିତ୍କାର କରି ଢଳି ପଡ଼ିଲେ ସିମେଟ୍‌ ଚଟାଣ ଉପରେ । ....ପୋଲିସ୍‌ ସାହେବ ଓ ଅନ୍ୟମାନେ ନିଜର ପ୍ରାଣ ବଂଚାଇବା ଭୟରେ ବାହାରକୁ ଦଉଡ଼ି ପଳାଇଲେ । ବାହାରକୁ ଆସିବାର ଦୁଇ ମିନିଟ୍‌ ଭିତରେ ଶୁଣିବାକୁ ପାଇଲେ ମାଟି ଭିତରୁ ଭୀଷଣ ଶବ୍ଦ....ସମସ୍ତେ ରାସ୍ତାରେ ଠିଆହୋଇ ବିସ୍ମିତ ହୋଇ ଅନାଇଁ ରହିଲେ ସେଇ ଦିଗକୁ । ଦୁଇ ମିନିଟ୍‌ ପରେ କୋଠାଟି ଭୁଷୁଡ଼ି ତଳେ ଢଳିପଡ଼ିଲା ।

 

ପୋଲିସ୍‌ସାହେବ କହିଉଠିଲେ ‘‘ସବୁ ବ୍ୟର୍ଥ ହେଲା ପଙ୍କଜବାବୁ । ଆମ ଚାଲାକିଠୁଁ ଦସ୍ୟୁଦଳର ଚାଲାକି ବଳି ପଡ଼ିଲା ।

 

ପଙ୍କଜବାବୁ କହିଲେ ତଥାପି ଆମକୁ ଏ ଯାଗାର ଭିତରକୁ ପ୍ରବେଶକରି ଦେଖିବାକୁ ପଡ଼ିବ । କାରଣ–ମୋର ଯେପରି ମନେ ହେଉଚି ଦସ୍ୟୁ ବେଲ୍‌ଟି ବାଜିଉଠିବା ମାତ୍ରେ ବିଷ୍ଫୋରଣ କରିଦେଇ ଅନ୍ୟ ବାଟେ ସଦଳଦଳେ ଯାତ୍ରା କରିଚି । ଆଉ, କାଳେ ଭୟରେ ରାଙ୍ଗାରାଓ ସେମାନଙ୍କର ବ୍ୟୁହଭେଦର ସଂଧାନ ଦେଇ ପକାଇବ ସେଥିଲାଗି ତାଙ୍କୁ ଏକାବେଳେକେ ନିଚିହ୍ନ କରିଦେଇଛି ।

 

ବର୍ତ୍ତମାନ ପରିସ୍ଥିତିରେ କରିବାକୁ ହେବ କଣ ? ପଚାରିଲେ ପୋଲିସ୍‌ସାହେବ ।

 

ମୋ ମତରେ ଭାଙ୍ଗିପଡ଼ିବା କୋଠାର ସମସ୍ତ ଅଂଶ ବାହାରକରି ତଳ ଅଂଶଟି ଦେଖିବାକୁ ପଡ଼ିବ ।

 

ତାହାହିଁ କରାଯିବ । ବର୍ତ୍ତମାନ ଦମ୍‌କଳ ଡକାଇ ନିଆଁ ଲିଭାଯାଇ ପଥର ଇଟା ପ୍ରଭୃତି ବାହାର କରାଯିବାର ବ୍ୟବସ୍ଥା ହେଉ ଏବଂ ଏଠାରେ ପୋଲିସ୍‌ କଡ଼ା ପହରା ଦେଉ । କହିଲେ ପୋଲିସ୍‌ସାହେବ ।

 

ହଁ ସାର୍‌, ସେଇଆ କରନ୍ତୁ । ଯୁ’ ଅଂଶଟି ପ୍ରବେଶ ଦ୍ୱାରର ପଥ ସେଇ ଅଂଶଟି ପ୍ରଥମେ ପରିଷ୍କାର କରାଗଲେ ଆମେ ନିର୍ବିଘ୍ନରେ ଭିତରକୁ ଯାଇ ପାରିବା ।

 

ସାଙ୍ଗେ ସାଙ୍ଗେ ରିଜର୍ଭଫୋର୍ସ ଦମକଳ ପାଇଁ ଫୋନ୍ କରାଗଲା । ରିଜର୍ଭ ଫୋର୍ସ ପାଞ୍ଚ ମିନିଟ୍‌ ଭିତରେ ଆସି ସେଠାରେ ପହୁଞ୍ଚିଗଲେ । ସେତେବେଳକୁ ଅସଂଖ୍ୟ ଜନତା ଆସି ରୁଣ୍ଡ ହୋଇଥାନ୍ତି । ସମସ୍ତେ ଗୋଟାଏ ଝୁଙ୍କରେ ଲାଗି ପ୍ରବେଶ ଦ୍ୱାରର ଅଂଶଟିକୁ ପରିଷ୍କାର କରିଦେଲେ-। ଦମକଳ ସାହାଯ୍ୟରେ ନିଆଁକୁ ଲିଭାଗଲା । ପୋଲିସ ବାହିନୀଙ୍କ ସହିତ ପୋଲିସ ସାହେବ, ପଙ୍କଜବାବୁ ପ୍ରଭୃତି ସମସ୍ତେ ସୁଡ଼ଙ୍ଗ ବାଟ ଦେଇ ଅତି କଷ୍ଟରେ ମାଟି ଖୋଳି ଖୋଳି ପ୍ରବେଶ କଲେ । ପ୍ରବଳ ଚେଷ୍ଟା ସତ୍ତ୍ୱେ କିଛିଦୂର ମାତ୍ର ଅଗ୍ରସର ହୋଇ ଦେଖିଲେ ବିଭିନ୍ନ ପ୍ରକାର ମେସିନ୍‌ର ଭଗ୍ନାଂଶ ଭାଙ୍ଗି ରୁଜି ପଡ଼ିଛି ଏବଂ କେତେଜଣ କଳାମୁଖା ଦଗ୍‌ଧକାୟ ବିକଳାଙ୍ଗ ଅବସ୍ଥାରେ ପଡ଼ିଛନ୍ତି ।

 

ପୋଲିସ୍‌ସାହେବ କହିଲେ, ଆଉ ଭିତରକୁ ଯାଇ ହେବନି ପଙ୍କଜବାବୁ । ବର୍ତ୍ତମାନ ଯାହା ଦେଖୁଚେ ସବୁ ଶେଷ । ଦସ୍ୟୁ ସଦଳବଳେ ମାଟିଭିତରେ ସମାଧି ନେଇଚି ।

 

-ହସି ଉଠିଲେ ପଙ୍କଜବାବୁ ।

 

-ପୋଲିସ୍‌ସାହେବ ପଚାରିଲେ, କଣ ହେଲା ?

 

ଆପଣ କଣ ଦସ୍ୟୁକୁ ଏତେ ବେଚାଲାକ ଭାବିଚନ୍ତି । ଆପଣମାନେ ବସନ୍ତୁ ଏ ଗୋଟାଏ ‘‘ଯାଦୁଘର ।’’

 

ବାସ୍ତବିକ୍‌, ଏସବୁ ‘‘ଯାଦୁ’’ ପରି ମନେ ହେଉଚି । ବ୍ରହ୍ମପୁର ପରି ଛୋଟିଆ ସହରରେ ଏ ପ୍ରକାର କ୍ଷେତ୍ର ଯେ ଥାଇପାରେ ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ୟା’ ପଛରେ ଗୋଟାଏ ବିରାଟ ଦଳ ରହିଛନ୍ତି ସାର୍‌ । ବିଭିନ୍ନ ଯାଗାର ଲୋକଙ୍କର ସମ୍ମିଶ୍ରଣରେ ଏ ଦଳର ପ୍ରତିଷ୍ଠା ହୋଇଚି ।

 

ହୋଇପାରେ । ସତ୍ୟ ବୋଲି ସ୍ୱୀକାର କରୁଚି ଆପଣଙ୍କ କଥାକୁ ।

 

ମୁଁ ୟା’ ବିଷୟରେ କେତେକ ସଠିକ୍‌ ପ୍ରମାଣ ଦେଇଚି ସାର ! ଦେଖନ୍ତୁ, ସେମାନଙ୍କର ଏଠିକାର ଅନୁଷ୍ଠାନଟି ଧ୍ୱଂସ ହୋଇଗଲା ପଛେ ଆମକୁ ଜାଣିବାକୁ ସୁବିଧା ଦେଲେନି; ଚାଲନ୍ତୁ, ଅଫିସରେ ବସି ଆଲୋଚନା କରିବା । ବର୍ତ୍ତମାନ ଦସ୍ୟୁଦଳ ଚତୁରତା ଦେଖେଇ ଆମ ନିକଟରୁ ଦୂରକୁ ପଳେଇଚନ୍ତି ନିଶ୍ଚୟ ।

 

ପୋଲିସ୍‌ସାହେବ ଦୀର୍ଘନିଶ୍ୱାସ ତ୍ୟାଗକରି ସଦଳବଳେ କାର ଭିତରକୁ ଫେରିଲେ । କାର ଛୁଟିଚାଲିଲା ପୋଲିସଷ୍ଟେସନ ଆଡ଼କୁ ।

 

ଶେଷ

 

ପୋଲିସ୍‌ଷ୍ଟେସନରେ ଏ. ଏସ୍‌. ଆଇ ଏକୁଟିଆ ଅଫିସ ରୁମ ଭିତରେ ବସିଥାନ୍ତି....ହଠାତ୍‌, କଲିଙ୍ଗ୍‌ ବେଲ୍‌ଟା ବାଜିଉଠିଲା ଜୋରରେ କ୍ରିଂ କ୍ରିଂ କ୍ରିଂ..... ।

 

ଏ. ଏସ୍‌. ଆଇ ଇତସ୍ତତଃହୋଇ ଚଉକିରୁ ଉଠି ରିସିଭରଟାକୁ ତୋଳିଧରି ପଚାରିଲେ, ‘‘କିଏ ଆପଣ, କଣ କହୁଛନ୍ତି ?

 

-ମୋର ପୋଲିସ୍‌ସାହେବଙ୍କ ସାଙ୍ଗରେ କଥାଭାଷା ଅଛି ।

 

କେହି ଉଚ୍ଚପାହ୍ୟା ଅଫିସର ହୋଇଥିବେ ଭାବି ଶଂକୁଚିତ ଭାବରେ ଏ. ଏସ୍‌. ଆଇ. ଉତ୍ତରଦେଲେ ‘‘ସାହେବ ଫେରିନାହାନ୍ତି ଆଜ୍ଞା...

 

ଧନ୍ୟବାଦ, କହି ନିରୁତ୍ତର ହେଲେ ଅଦୃଶ୍ୟମାନ ବ୍ୟକ୍ତି । ଦୁଇ ମିନିଟ୍‌ ଯାଇନି ପୋଲିସ୍‌ ସାହେବ ସଦଳବଳେ ଆସି ଥାନା ଅଫିସ ରୁମ୍‌ ଭିତରେ ପହୁଞ୍ଚିଲେ ।

 

ସାହେବଙ୍କୁ ଦେଖିବାମାତ୍ରେ ଏ. ଏସ୍‌. ଆଇ ଏକ ନିଶ୍ୱାସରେ କହିପକାଇଲେ... ‘‘ବର୍ତ୍ତମାନ ଆପଣଙ୍କୁ କେହି ଭଦ୍ରଲୋକ ଫୋନ୍‌ରେ ଡାକୁଥିଲେ ସାର୍‌.....

 

ପୋଲିସ୍‌ସାହେବ କିଛିମାତ୍ର ଭାବି ପାରିଲେନି...କ୍ଳାନ୍ତି ଅନୁଭବକରି ଚେୟାରରେ ବସିବାକୁ ଯାଉଚନ୍ତି, ପୁଣି ବେଲ୍‌ଟି ବାଜିଉଠିଲା କ୍ରିଂ କ୍ରିଂ କ୍ରିଂ ।

 

ଏ. ଏସ. ଆଇ, ଦଉଡ଼ିଯାଇ ପୁଣି ରିସିଭରଟାକୁ ଉଠେଇ ପଚାରିଲେ, ‘କିଏ କହୁଚନ୍ତି ।

 

ଉତ୍ତର ଆସିଲା, ପୋଲିସ୍‌ସାହେବ ବୋଧେ ଆସି ପହୁଞ୍ଚିଗଲେଣି ?

 

-ହଁ ସାର୍‌....

 

ଆପଣ କିଏ କହୁଛନ୍ତି ? ପଚାରିଲେ ଏ. ଏସ୍‌. ଆଇ ।

 

ଆପଣଙ୍କର ଜାଣିବାର ଦରକାର ନାହିଁ । ଆପଣ ଫୋନ୍‌ ପାଖକୁ ପୋଲିସ୍‌ସାହେବଙ୍କୁ ଡାକି ଦିଅନ୍ତୁ, ବଡ଼ ଜରୁରୀ ଦରକାର ଅଛି । ତାଙ୍କ ସାଙ୍ଗରେ ମୁଁ କଥା ହେବି ।

 

ରିସିଭରଟାକୁ ରଖିଦେଇ ଏ. ଏସ୍‌. ଆଇ, ପୋଲିସ୍‌ ସାହେବଙ୍କୁ ସବୁକଥା ଜଣେଇଦେଲା ।

 

ପୋଲିସ୍‌ସାହେବଙ୍କ ମନ ସେଇ ଦୁର୍ଦ୍ଧର୍ଷ ଡକାୟତଦଳଙ୍କ ଭାବନାରେ ବ୍ୟସ୍ତ ଥିଲା....ସେ ବଡ଼ ବ୍ୟସ୍ତଭାବରେ ଯାଇଁ ରିସିଭରଟାକୁ ତୋଳିଧରି ପଚାରିଲେ...ହଲୋ, କିଏ ଆପଣ କହୁଚନ୍ତି ?

 

-ଉତ୍ତର ଆସିଲା, ମୁଁ ଜଣେ ସାଧାରଣ ନାଗରିକ । ନମସ୍କାର ।

 

-ପୋଲିସ୍‌ ସାହେବ ବଡ଼ ବ୍ୟସ୍ତଭାବରେ ପଚାରିଲେ, କଣ ଦରକାର ମୋଠି ?

 

ମୋର କେତୁଟା କଥା ପଚାରିବାର ଅଛି ।

 

-ବର୍ତ୍ତମାନ ସମୟ ନାହିଁ । ପରେ ଅଫିସରେ ସାକ୍ଷାତ କରିବେ ।

 

-ବର୍ତ୍ତମାନ ଆପଣଙ୍କୁ ସମୟ ଦେବାକୁ ପଡ଼ିବ ସାର୍‌ ।

 

-ଏ ପ୍ରକାର ଧମକପୂର୍ଣ୍ଣ କଥା ଶୁଣି ପୋଲିସ୍‌ସାହେବ ବିଚଳିତ ହୋଇପଡ଼ି ପଚାରିଲେ-

 

-ଦୟାକରି ଆପଣଙ୍କର ପରିଚୟ ଦେଲେ ଖୁସି ହେବି ।

 

ପରେ ଦେବି, ବର୍ତ୍ତମାନ ମୋ ସାଙ୍ଗରେ କଥାଭାଷା କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

 

ପୋଲିସ୍‌ ସାହେବ କି ଉତ୍ତର ଦେବେ କିଛିମାତ୍ର ଭାବି ପାରିଲେନି । ତାଙ୍କ ମୁଣ୍ଡ ଘୂରିବାରେ ଲାଗିଲା । ସାହେବଙ୍କ ଏ ଅସ୍ଥିରତା ଦେଖି ପଙ୍କଜବାବୁ କହିଲେ, ‘‘ମୋତେ କଥାଭାଷା କରିବାକୁ ସୁଯୋଗ ଦିଅନ୍ତୁ ସାର ।’’

 

ପୋଲିସସାହେବ ବିନା ଆପତ୍ତିରେ ରିସିଭରଟିକୁ ପଙ୍କଜବାବୁଙ୍କୁ ଧରାଇ ଫେରି ଆସି ବସିଲେ ଚଉକି ଉପରେ । ପଙ୍କଜବାବୁ କଥାଭାଷା କରିବାକୁ ଆରମ୍ଭ କଲେ ।

 

ଆଚ୍ଛା, ଏଥର ପଚାରନ୍ତୁ ।

 

ପଙ୍କଜବାବୁଙ୍କ ପ୍ରଶ୍ନରେ ଉତ୍ତର ଆସିଲା....‘‘ମିଃ, ଦାସ, ସାହେବ ବୋଧେ ମୋ ସହିତ କଥାଭାଷା କରିବାକୁ ଅକ୍ଷମ ହୋଇ ପଡ଼ିଲେ । ଆଚ୍ଛା, ତମେଇ ଜାଣିଲେ ଯଥେଷ୍ଟ ।

 

ପଙ୍କଜବାବୁ ମନରେ ଚମକ ଲାଗିଗଲା....ସେ କଡ଼ା ଗଳାରେ ଚିତ୍କାର କରି ଉଠିଲେ ସର୍ଦ୍ଦାର ତମେ ?

 

ହଁ, ମୁଁ ସର୍ଦ୍ଦାର । ଧନ୍ୟବାଦ ମିଃ ଦାସ । ତମ ତୀକ୍ଷ୍‌ଣ ବୁଦ୍ଧିକୁ ପ୍ରସଂଶା ନକରି ରହିପାରୁନି ।

 

ପଙ୍କଜବାବୁ ଆଉ ଡେରି ନ କରି ପଚାରିଲେ, କଣ କହନ୍ତୁ–ବଡ଼ କ୍ଳାନ୍ତହୋଇ ପଡ଼ିଚୁ ଆମ୍ଭେମାନେ ।

 

ହସ ଭାସିଆସିଲା ଜୋରରେ । ହସର ସ୍ରୋତରେ ପଙ୍କଜ ବାବୁଙ୍କ ଛାତିରେ ଚମକ ଲାଗିଗଲା....ସେ ରିସିଭରଟାକୁ ମୁହଁ ପାଖରେ ଧରି ପ୍ରଶ୍ନ ଆଶାରେ ରହିଲେ ।

 

ମୁହୂର୍ତ୍ତକ ପରେ ପୁଣି ପ୍ରଶ୍ନ ଆସିଲା-ବର୍ତ୍ତମାନ ଆପଣ ମାନେ କଣ କରିବାକୁ ଚାହୁଛନ୍ତି-?

 

ଶେଷ ସିଦ୍ଧାନ୍ତ ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ କିଛି କହି ପାରୁନାହୁଁ ।

 

ଶେଷ ସିଦ୍ଧାନ୍ତ ପାଖରେ ପହଞ୍ଚିବା ଆପଣଙ୍କ ପକ୍ଷରେ ସ୍ୱପ୍ନ ।

 

-କାହିଁକି ?

 

-ଆପଣମାନେ ଅପାରଗ ।

 

ଅପାରଗ ? ବଡ଼ ବିରକ୍ତିକର କଣ୍ଠରେ କହିଲେ ? ପଙ୍କଜବାବୁ ।

 

ବାଧିଲା ବୋଧେ ମୋ କଥା ।

 

ନବାଧିବ ବା କାହିଁକି ?

 

ବେଶ୍‌, ଯଦି ବାଧୁଚି, ବାଧିଲା ଭଳିଆ କାମ କରନ୍ତୁ ।

 

ଆମ କର୍ତ୍ତବ୍ୟ ସମ୍ବନ୍ଧରେ ଆପଣଙ୍କର ପରାମର୍ଶ ଦରକାର ନାହିଁ ।

 

ସେଇଥିଲାଗି ଆପଣମାନଙ୍କର ଦୂରବସ୍ଥା । ଶାସନ କଲ ଅଚଳ ।

 

-କଣ କହୁଚନ୍ତି ଆପଣ ?

 

ଠିକ୍‌ କହୁଚି, ଆପଣଙ୍କ ପରି ହଜାରେ ଗୁଇନ୍ଦା ଏକଠି ହୋଇ ସର୍ବ ସାଧାରଣଙ୍କର ସହଯୋଗ ନପାଇ କୌଣସି ଦୁର୍ନୀତି ବନ୍ଦ କରି ପାରିବେକି ?

 

ବୋଧେ ନୁହେଁ ।

 

ତା’ ହେଲେ ଆମମାନଙ୍କର ସହଯୋଗ ନେବାକୁ କୁଣ୍ଠାବୋଧ କରୁଚନ୍ତି କାହିଁକି ?

 

ଆପଣମାନେ ଯେ ଦସ୍ୟୁ, ଘୃଣ୍ୟକାମ କରନ୍ତି ।

 

ଭୁଲ୍‌ ଧାରଣା ଆପଣମାନଙ୍କର । ଘଟଣାଚକ୍ରରେ ପଡ଼ି ଆମେ ଆପଣଙ୍କୁ ଭୁଲ୍‌ ସଂବାଦ ଦେଇଥିଲୁ ।

 

ପ୍ରମାଣ ?

 

ପ୍ରମାଣ ଶୁଣିବାକୁ ଚାହାନ୍ତି–ଶୁଣନ୍ତୁ–

 

ଓଡ଼ିଶାରେ ଜାଲ, ଜୁଆଚୋରୀ, ଠକାମୀ ବଢ଼ି ଉଠିଲା । ଟାଉଟର ମାନଙ୍କ ପ୍ରାର୍ଦୁଭାବରେ ଲୋକେ ଆତଙ୍କିତ ହୋଇ ଉଠିଲେ । ସେ ସବୁର ପ୍ରତିରୋଧ ଆପଣମାନେ କରି ପାରିଲେନି । ସେଥିପାଇଁ ଦେଶ ଭିତରେ ଚେତନାଶୀଳ ଲୋକଙ୍କ ମନରେ ଚତନା ଜାଗିଉଠି ଏଇ ସଂଘ ପ୍ରତିଷ୍ଠା କରାଗଲା । ଆମ ମାନଙ୍କ ଦଳରେ ରହିଲେ, ଚୋର, ବଦମାସ, ଜୁଆଚୋରି, ଠକ, ବାଜିକର, ବ୍ୟବସାୟୀ, ଚାକିରୀଆ, ପ୍ରଭୃତି ସବୁ ଶ୍ରେଣୀର ଲୋକ । ସବୁ ପ୍ରକାର ଲୋକଙ୍କର ଖବର ସଂଗ୍ରହ କରିବାରେ ଅସୁବିଧା ରହିଲାନି । ଫଳରେ ଆମେସବୁ ଦିଗରେ ଆଗେଇବା ପାଇଁ ପ୍ରସ୍ତୁତ ହେଲୁ ଏବଂ ଆପଣମାନଙ୍କୁ ସବୁବେଳେ ଖବର ଯୋଗାଇବାରେ ସୁବିଧା ପାଇଲୁ । ୟାସତ୍ତ୍ୱେବି ଆପଣମାନେ କୃତକାର୍ଯ୍ୟ ହୋଇ ପାରୁ ନାହାନ୍ତି । ଆଉ ଯାହାବା କରୁଚନ୍ତି କୃତିତ୍ତ୍ୱ ହାସଲ କଲାଭଳି ନୁହେଁ । ତେଣୁ ଅନୁରୋଧ, ଆପଣମାନେ ସବୁ କ୍ଷେତ୍ରରେ ସର୍ବ ସାଧାରଣଙ୍କର ସାହାଯ୍ୟ ଦରକାର କରନ୍ତୁ । ଆପଣମାନଙ୍କର ଆଉ କୌଣସି ଅସୁବିଧା ରହିବନି । ଆଜି ଯା’ ହେଉ ଗୋଟାଏ କାମ ଶେଷ କରିଥିବାରୁ ଆମ ସଂଘ ତରଫରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣଉଚି । ଆପନ୍ନାସ୍ୱାମୀ ଓ ତା ଦଳର ସମସ୍ତ ଲୋକେ ମାଟିତଳେ ପୋତିହୋଇ ମରିଚନ୍ତି । ତା ସାଙ୍ଗରେ ଭାଗିଦାର ଥିବା ରାଙ୍ଗାରାଓକୁ ମଧ୍ୟ ସେଇମାନେ ଜାଣି ଶୁଣି ମାରିଚନ୍ତି । ସେମାନଙ୍କ ପଛରେ ଘୂରି ଆଉକିଛି ଲାଭ ନାହିଁ । ମୁଁ ଆପଣଙ୍କୁ ଯାହା କହୁଚି ତା’ ନିରାଟ ସତ୍ୟ । ଏଣିକି ଆମମାନଙ୍କର ସାହାଯ୍ୟ ପ୍ରତ୍ୟେକ କ୍ଷେତ୍ରରେ ନେବାକୁ ଚେଷ୍ଟା କରନ୍ତୁ । ଆପଣମାନଙ୍କର ସୁନାମ ବଢ଼ିବ । ପରେ ପୁଣି ଆବଶ୍ୟକ ପଡ଼ିଲେ ଜଣାଇବୁ । ନମସ୍କାର ।

 

ପଙ୍କଜବାବୁ ରିସିଭରଟାକୁ ତଳେ ରଖିଦେଇ ଲଥ୍‌କିନି ଆସି ଚଉକି ଉପରେ ବସିଗଲେ-

 

ପାଖରେ ବସି ପୋଲିସ ସାହେବ ସବୁକଥା ଶୁଣୁଥିଲେ । ସେ ବିସ୍ମୟସୂଚକକଣ୍ଠରେ କହିଲେ ବାସ୍ତବିକ୍‌ ଏ ଗୋଟାଏ ଯାଦୁକର ।

 

ଯାଦୁକର ନୁହେଁ ସାର–ଯାଦୁକର ସର୍ଦ୍ଦାର ନମ୍ବର ୧ ଅପ୍‌, ୫ ନମ୍ବର ଡାଉନ, ୧୦ ଜି.ପି. ଆର୍‌

 

ୟା’ ଅର୍ଥ କଣ–ସେଇ ?

 

-ବୁଝିବାକୁ ବାକି ରହିଲା ଆଉ କଣ ?

 

-ତେବେ, ପ୍ରକୃତ ରହସ୍ୟ ବୁଝିବାକୁ ପଡ଼ିବ, କେତେଦୂର ସେମାନଙ୍କ କଥାରେ ସତ୍ୟତା ରହିଛି କିଏ ଯାଣେ ?

 

-ବର୍ତ୍ତମାନ ଆଉ ଧୈର୍ଯ୍ୟନାହିଁ ସାର୍‌ ।

 

ପୋଲିସ୍‌ସାହେବ ହସି ହସି କହିଲେ–‘ଆଚ୍ଛା ଥାଉ ଦେଖିବା ଦ୍ୱିତୀୟ ଅଭିଯାନବେଳେ-।’

 

ପୋଲିସ୍‌ସାହେବଙ୍କ କଥାରେ ସମସ୍ତେ ଆଶ୍ୱସ୍ତିର ନିଶ୍ୱାସ ମାରିଲେ ।

Image